ମୁଖ୍ୟ ଖବର
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ ବହୁତଳ କୋଠା (PG) ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି । 25 ଜଣ ଗୁରୁତର ଆହତ ହୋଇଛନ୍ତି । ଅନେକ ଲୋକ ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ଆଶଙ୍କା କରି ଉଦ୍ଧାରକାରୀ ଟିମ୍ ଏବେ ବି ସନ୍ଧାନ ଅଭିଯାନ ଚଳାଇଛନ୍ତି । କୋଠା ଭୁଶୁଡ଼ିବାର CCTV ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଉଛି ଯେ, କୋଠାଟି ମୁହୂର୍ତ୍ତକ ମଧ୍ୟରେ ଭୁଶୁଡ଼ି ପଡ଼ିଛି ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୁର୍ଘଟଣାଗ୍ରସ୍ତ କୋଠାଟି ପ୍ରାୟ 40 ରୁ 50 ବର୍ଷ ପୁରୁଣା । କୋଠାରେ ଏକ ବେସମେଣ୍ଟ ଏବଂ ପାଞ୍ଚଟି ଉପର ମହଲା ଥିଲା ଏବଂ ଏହାକୁ ପିଜି ବାସସ୍ଥାନ ଭାବରେ ବ୍ୟବହାର କରାଯାଉଥିଲା । ଘଟଣା ସମୟରେ ବେସମେଣ୍ଟରେ ନବୀକରଣ କାର୍ଯ୍ୟ ଚାଲିଥିଲା । ହଠାତ୍, କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିଲା, ଯାହା ଫଳରେ ଭଗ୍ନାବଶେଷ ତଳେ ଲୋକମାନେ ଫସି ଯାଇଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ଦିଲ୍ଲୀ ପୋଲିସ, ଅଗ୍ନିଶମ ବିଭାଗ, CAT ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ସଂସ୍ଥାର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଭଗ୍ନାବଶେଷ ଅପସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏବଂ ଅନେକ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା ।
Comments ସମସ୍ତ ମତାମତ