ମୁଖ୍ୟ ଖବର
କଟକ : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ପରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନେଇ ବିଜେଡି ରାଜନୀତିରେ ନିଆଁ ଲାଗିଛି । ବିଧାୟକ ଦେବୀଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି । ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ୍ କରିବା ପରେ ନବୀନଙ୍କ କିଛି ସମର୍ଥକ ଏବେ ଦେବୀଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ଦେବୀ ମଧ୍ୟ ଏହାର ଜବାବ୍ ଫେରାଇ ଚାଲିଛନ୍ତି । ଏଭଳି ସ୍ଥିତିରେ ଦେବୀଙ୍କ ସମର୍ଥକଙ୍କ ପକ୍ଷରୁ ଏକ ବଡ଼ ଧରଣର ସ୍ୱାଗତ ରାଲି କରାଯାଇ ତାଙ୍କୁ ନିର୍ବାଚନମଣ୍ଡଳୀକୁ ସ୍ୱାଗତ କରାଯାଇଛି । ବାଙ୍କୀ ବିଜୁ ଜନତା ଦଳର ପ୍ରାୟ ନେତା, କର୍ମୀ ଏଥିରେ ଉପସ୍ଥିତ ଥିଲେ ବି କାର୍ୟ୍ୟକ୍ରମର ବ୍ୟାନର୍ରେ ଶଙ୍ଖ ଚିହ୍ନ ନଥିଲା କି ନବୀନ ପଟ୍ଟନାୟକଙ୍କ ଫଟୋ ଦେଖିବାକୁ ମିଳିନଥିଲା । ବରଂ ସବୁଜ ରଙ୍ଗର ପତାକାରେ କେବଳ ବିଜୁ ବାବୁଙ୍କ ଫଟୋ ଓ ନାଁ ନେଇ ବାଙ୍କୀରେ ପ୍ରବେଶ କରିଛନ୍ତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ।
ସୂଚନାନୁଯାୟୀ, ବିଧାୟକ ଦେବୀଙ୍କୁ ଗତକାଲି ଜାତମୁଣ୍ଡିଆ ଛକ ମା'ପୋଟଳେଇ ଠାରେ ଶହ ଶହ ଲୋକ ସ୍ୱାଗତ କରିବା ସହ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ । ଏକ ମୋଟର ସାଇକେଲ ରାଲିରେ ଜାତମୁଣ୍ଡିଆ ଠାରୁ ବାଙ୍କୀ ବଜାର ପର୍ୟ୍ୟନ୍ତ ତାଙ୍କୁ ନିଆଯାଇଥିଲା । ତାଙ୍କ କାର୍ୟ୍ୟାଳୟ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ତାଙ୍କର ଅଭିଭାଷଣରେ କହିଥିଲେ, ବାଙ୍କୀ ବିକାଶଧାରା ଏବଂ ବିଜୁ ଲିଗାସିକୁ ଜାହିର୍ କରିବାକୁ ମା'ଚର୍ଚ୍ଚିକା ମୋତେ ଶକ୍ତି ଦିଅନ୍ତୁ । ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ଜଳାଞ୍ଜଳି ଦେଇ ଯେଉଁମାନେ ବଡ଼ ବଡ଼ କଥା କହୁଛନ୍ତି ସେମାନଙ୍କୁ ମୁଁ ଗତ ୧୬ ତାରିଖ ରାଜ୍ୟସଭା ନିର୍ବାଚନରେ ଉଚିତ୍ ଶିକ୍ଷା ଦେଇଛି । ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେବାର ଯଥାର୍ଥତା ଅଛି । ବିଜେଡି ଗଠନ ସମୟରେ ତାଙ୍କର ଅବଦାନ ଅବିସ୍ମରଣୀୟ । କଂଗ୍ରେସ ଓ ବିଜେଡି ଦଳ ଯାହାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିଲା ସେ ବ୍ୟକ୍ତିଙ୍କ ବିଜୁ ଜନତା ଦଳରେ କୌଣସି ଭୂମିକା ନାହିଁ ।
ଅନ୍ୟପକ୍ଷରେ ବାଙ୍କୀରେ ଦେବୀଙ୍କ ରାଲିର କିଛି ଘଣ୍ଟା ପରେ ଦେବୀଙ୍କ କ୍ୟାମ୍ପ୍ର କିଛି ଯୁବ ଓ ଛାତ୍ର ନେତାଙ୍କୁ ନିଲମ୍ବନ କରିଛି ବିଜେଡି । କେବଳ ଦେବୀ ନୁହନ୍ତି, ଏଥିରେ ସୌଭିକଙ୍କ ସମର୍ଥକ ରହିଛନ୍ତି । ସେମାନେ ହେଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ଶୋଭନ ମହାନ୍ତି, ଅନୁପମ ଶତପଥୀ, ବିଜୁ ଛାତ୍ର ଜନତା ଦଳର ଉପସଭାପତି ରଞ୍ଜିତ ଦାସ । ଏମାନଙ୍କୁ ମଧ୍ୟରୁ କିଛି ନେତା ଭି.କେ.ପାଣ୍ଡିଆନ୍ଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଦଳ ବିରୋଧୀ ମନ୍ତବ୍ୟ ଦେଉଥିବାରୁ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଆଗକୁ ଦେବୀଙ୍କ ଶିବିରର ଅନ୍ୟ ନେତା ମାନେ ଯେଉଁମାନେ ଦଳୀୟ ଦାୟିତ୍ୱରେ ରହିଛନ୍ତି ସେମାନଙ୍କ ଉପରେ ନଜର ରହିବ । ଯାହା ଶୁଣାଯାଉଛି ଆଗକୁ ଅନ୍ୟ କିଛି ଯୁବ ଓ ଛାତ୍ର ନେତା ବିଜେଡିର ବିଭିନ୍ନ ପଦପଦବିରୁ ଇସ୍ତଫା ଦେଇପାରନ୍ତି । ଆସନ୍ତା ସପ୍ତାହରେ ଭୁବନେଶ୍ୱରରେ ଏକ କାର୍ୟ୍ୟକ୍ରମ କରି ବିଜେଡି ସଂଗଠନ ସମ୍ଭାଳୁଥିବା ନେତୃତ୍ୱଙ୍କୁ ଚାଲେଞ୍ଜ୍ ଦେବାକୁ ଯୋଜନା ହୋଇଥିବା କୁହାଯାଉଛି।
Comments ସମସ୍ତ ମତାମତ