ମୁଖ୍ୟ ଖବର
ଦେବାଶିଷ ସାମନ୍ତରାୟ ସୋମବାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବେ ବେଳେ ଉକ୍ତ ଆସନ ପାଇଁ ଉପନିର୍ବାଚନ କରିବାକୁ ଆଜି ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ଜୁନ୍ ୧୮ ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ECI ଜାରି କରିଥିବା ପ୍ରେସ୍ ରିଲିଜ୍ରେ ଉଲ୍ଲେଖ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ଜୁନ୍ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୮ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ଜୁନ୍ ୯ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଜୁନ୍ ୧୧।ଜୁନ୍ ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସନ୍ଧ୍ୟା ୫ଟାରୁ ଭୋଟ୍ ଗଣତି ହେବ ଓ ଫଳାଫଳ ଘୋଷଣା କରାଯିବ। ଜୁନ୍ ୨୦ ତାରିଖ ପୂର୍ବରୁ ଏହି ଉପନିର୍ବାଚନକୁ ଶେଷ କରିବାକୁ ଇସିଆଇ ଲକ୍ଷ୍ୟ ରଖିଥିବା ତାଙ୍କ ପ୍ରେସ୍ ରିଲିଜ୍ରେ ଦର୍ଶାଇଛନ୍ତି।
୨୦୨୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ। ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୩ ତାରିଖରେ ଶେଷ ହୋଇଥା’ନ୍ତା। ତା’ ପୂର୍ବରୁ ୨୦୨୬ ମେ’ ୫ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।
ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ସୋମବାର ସେ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ି ଦେଇଥିଲେ। ମଙ୍ଗଳବାର ସେ ବିଜେପିରେ ଯୋଗ ଦେଇଛନ୍ତି। ତେଣୁ ବିଜେପି ତାଙ୍କୁ ଏହି ଉପନିର୍ବାଚନରେ ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ରାଜ୍ୟସଭାରେ ଆଗରୁ ତାଙ୍କର ସଂଖ୍ୟା ଗରିଷ୍ଠତା ନଥିଲା। କିନ୍ତୁ ଏବେ ଅଛି। ଏବେ ପୁଣି ଆଉ ଗୋଟିଏ ସିଟ୍ ବିଜେପିର ବଢିବ। ସୁଜିତ୍ କୁମାର ଓ ମମତା ମହନ୍ତ ଇସ୍ତଫା ଦେଇ ପୁଣି ରାଜ୍ୟସଭା ଯାଇଥିଲେ। ଯିଏ ଇସ୍ତଫା ଦେଇ ଆସିଛନ୍ତି, ତାଙ୍କ ସମ୍ଭାବନା ଅଧିକ ରହିଛି। ତେବେ କିଏ ପ୍ରାର୍ଥୀ ହେବେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ।ଦେବାଶିଷ ସାମନ୍ତରାୟ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ବିଜେଡି ଟିକେଟରେ ତିର୍ତ୍ତୋଲ ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟରେ ବାରବାଟୀ-କଟକ ଆସନରୁ ବିଧାନସଭାକୁ ଯାଇଥିଲେ। ୨୦୧୯ରେ ସେ ଏହି ଆସନରେ ମହମ୍ମଦ ମୋକିମଙ୍କଠାରୁ ପରାସ୍ତ ହୋଇଯାଇଥିଲେ।
Comments ସମସ୍ତ ମତାମତ