Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ

    Share on :
    ajab-Image
    Date: Apr 11, 2026    Views: 2992

    ଅନୁଗୁଳ: ଜଣେ ୫ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜରପଡ଼ା ଥାନା ଜେରେଙ୍ଗ ଦେହୁରୀସାହିର ବାବୁଲା ଜେନା(୪୦)କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତ। ମାମଲାର ବିବରଣୀ ଅନୁସାରେ, ଗତବର୍ଷ ମାର୍ଚ୍ଚ ୧୩ ତାରିଖରେ ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜଣେ ୫ ବର୍ଷର ନାବାଳିକା ନିଖୋଜ ହୋଇ ଯାଇଥିଲେ। ଘଟଣାର ଦୁଇଦିନ ପରେ ମାର୍ଚ୍ଚ ୧୫ ତାରିଖରେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଘରପାଖରେ ଥିବା ଏକ ମହୁଲ ବଣରୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହୋଇଥିଲା। ନାବାଳିକାଙ୍କ ଘର ପାଖରେ ରହୁଥିବା ଜେରେଙ୍ଗ ଦେହୁରୀସାହିର ବାବୁଲା ଜେନାକୁ ସନ୍ଦେହ କରିଥିଲା ପୁଲିସ। ଯାଞ୍ଚ ସମୟରେ ତା’ ଘରୁ ରକ୍ତଭିଜା କପଡ଼ା ମିଳିବା ପରେ ପୁଲିସ ତାକୁ ଉଠାଇ ଆଣି ଜେରା କରିଥିଲା। ବାବୁଲା ନିଜ ଦୋଷ ସ୍ବୀକାର କରିବା ସହ ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରିଥିବା ମାନିଥିଲା। ଅନୁଗୁଳ ଏସ୍‌ପି ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ଡିଏସ୍‌ପି ଯୋଗେଶ୍ବରୀ ବେହେରା ଓ ପୁଲିସର ସ୍ବତନ୍ତ୍ର ଟିମ୍‌ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ବିରୋଧରେ କୋର୍ଟରେ ପ୍ରମାଣ ଦାଖଲ କରିଥିଲେ। 

    ଅଭିଯୁକ୍ତ ଘରୁ ମିଳିଥିବା ରକ୍ତ ନମୁନାର ଡିଏନ୍‌ଏ ରିପୋର୍ଟ, ଫରେନ୍‌ସିକ୍ ତଥ୍ୟ, ୩୨ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟ ପ୍ରମାଣକୁ ଭିତ୍ତି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍‌ ତଥା ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ସୌମ୍ୟା ଶୁଭଦର୍ଶିନୀ ଏଭଳି କଠୋର ଦଣ୍ଡ ଶୁଣାଇଛନ୍ତି। ବିଏନ୍‌ଏସ୍‌ ଦଫା ୧୩୭ (୨), ୧୦୩ (୧), ୬୫ (୨) ଏବଂ ୨୩୮ (କ) ସହିତ ପୋକ୍‌ସୋ ଆକ୍ଟର ଧାରା ୬ ଅନୁଯାୟୀ ବାବୁଲାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦିଲୀପ ଦାସ ପରିଚାଳନା କରୁଥିଲେ। ରାୟକୁ ପୀଡ଼ିତାଙ୍କ ପରିବାର ସ୍ବାଗତ କରିଛନ୍ତି। ଅପରପକ୍ଷ‌ରେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବ ବୋଲି କହିଛି ବାବୁଲା। ଅଦାଲତଙ୍କ ରାୟକୁ ଅନୁଗୁଳ ଏସ୍‌ପି ରାହୁଲ ଜୈନ ସ୍ବାଗତ କରିବା ସହ ଯେଉଁ ଅପରାଧୀ ଏଭଳି ଜଘନ୍ୟ କାଣ୍ଡ ଘଟାଇବାର ମାନସିକତା ରଖୁଛନ୍ତି ସେମାନଙ୍କୁ ଆଇନ କେବେ ବି ଛାଡ଼ିବ ନାହିଁ ବୋଲି କହିଛନ୍ତି। ଘଟଣାର ପ୍ରାୟ ବର୍ଷକ ଭିତରେ ଦୋଷୀକୁ ଦଣ୍ଡ ମିଳିଥିବାରୁ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଅଭିନନ୍ଦନ ଜଣାଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook