Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୯ ପୁଲିସ୍‌ କର୍ମଚାରୀଙ୍କୁ ମିଳିଲା ଫାଶୀ ଦଣ୍ଡ

    Share on :
    ajab-Image
    Date: Apr 7, 2026    Views: 2873

    ତାମିଲନାଡୁର ମଦୁରାଇ ଜିଲ୍ଲାର ଗୋଟିଏ କୋର୍ଟ ଆଜି ଐତିହାସିକ ରାୟ ଦେଇଛନ୍ତି। ବାପ-ପୁଅଙ୍କୁ ହାଜତରେ ପିଟିପିଟି ମାରିବା ଘଟଣାରେ ତାମିଲନାଡୁର ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।୬ ବର୍ଷ ତଳେ ବ୍ୟବସାୟୀ ପି ଜୟରାଜ ଓ ପୁଅ ଜେ ବେନିକ୍ସଙ୍କ ମୃତ୍ୟୁ ପୁଲିସ୍‌ ହେପାଜତରେ ହୋଇଥିଲା। ୨୦୨୦ରେ ଘଟିଥିବା ଏହି ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏବେ ମଦୁରାଇ କୋର୍ଟ ୯ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। 
    ଏହି ହାଜତ ମୃତ୍ୟୁ ଘଟଣା ୨୦୨୦ ମସିହା ଜୁନ ୧୯ର। ୨୦୨୦ ମସିହା କୋଭିଡ-୧୯ ଲକଡାଉନ ସମୟରେ ପି. ଜୟରାଜ (୫୮) ଓ ତାଙ୍କ ପୁଅ ଜେ ବେନିକ୍ସ (୩୧) ପୁଲିସ ହେପାଜତରେ ପ୍ରାଣ ହରାଇଥିଲେ। ଜୟରାଜ ଓ ବେନିକ୍ସ ଗୋଟିଏ ମୋବାଇଲ ଦୋକାନ ଚଳାଇଥିଲେ। କିନ୍ତୁ ଲକଡାଉନ ନିୟମ ଉଲ୍ଲଂଘନ କରି ଧାର୍ଯ୍ୟ ସମୟ ବାହାରେ ସେମାନେ ଦୋକାନ ଖୋଲି ଥିବାରୁ ପୁଲିସ୍‌ ସେମାନଙ୍କୁ ଉଠାଇ ନେଇଥିଲା।ଉଠାଇ ନେବା ପରେ ବାପ-ପୁଅଙ୍କୁ ସାଥାନକୁଲମ ପୁଲିସ ଷ୍ଟେସନରେ ପ୍ରାୟ ୭ ଘଣ୍ଟା ଧରି ଭୟଙ୍କର ମାଡ଼ ମରାଯାଇଥିଲା। ସେମାନଙ୍କୁ ଥାନାରେ ଅକଥନୀୟ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶେଷରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ମୋଟ ୧୦ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ପ୍ରଥମେ ଘଟଣାର ତଦନ୍ତ ରାଜ୍ୟର ସିବି-ସିଆଇଡି କରିଥିଲା। କିନ୍ତୁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ତଦନ୍ତ ସମୟରେ ୧୦ ଜଣ ପୁଲିସ୍‌ କର୍ମଚାରୀ ଗିରଫ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ଇନସପେକ୍ଟର, ୨ ଜଣ ସବ ଇନସପେକ୍ଟର ଓ ବାକି ୭ ଜଣ କନଷ୍ଟେବଲ ରହିଥିଲେ।କିନ୍ତୁ ଜଣେ ତଦନ୍ତ ସମୟରେ କରୋନା ଯୋଗୁ ଆଖି ବୁଜିଥିଲେ। ଏବେ ମଦୁରାଇର ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟ ଏହି ଘଟଣାକୁ "ବିରଳରୁ ଅତି ବିରଳ" ମାମଲା ଭାବେ ଗ୍ରହଣ କରି ସମସ୍ତ ୯ ଜଣ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook