ମୁଖ୍ୟ ଖବର
ଗଞ୍ଜାମ : ଗଞ୍ଜାମ ବେଲଗୁଣ୍ଠା ଥାନା ସରନୁଆପଲ୍ଲୀ ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦମ୍ପତି ହେଉଛନ୍ତି ଚିତ୍ରସେନ ନାୟକ ଓ ପୂଜା ନାୟକ।
ସୂଚନା ଅନୁଯାୟୀ,ଟଙ୍କା ପଇସାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ଚିତ୍ରସେନ ଫୁଙ୍କନଳା ଓ ପନିକିରେ ପୁଜାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରେ ସେ ଘରର ବାଡ଼ିଠାରୁ କିଛି ଦୂରରେ ଥିବା ଏକ ଗଛରେ ରଶି ବାନ୍ଧି ସେଥିରେ ଝୁଲି ପଡ଼ିଥିଲେ। ସାତ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଚିତ୍ରସେନ ନାୟକ ଓ ପୂଜା ନାୟକ। ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ପ୍ରେମ ବିବାହ କରିବାର ଏକ ବର୍ଷ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। କିନ୍ତୁ ତା’ପରଠାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଦୁଇ ଛୁଆଙ୍କ ଭବିଷ୍ୟତ ଚିନ୍ତା କରି ଛଅ ମାସ ତଳେ ପୂଜା ଭୁବନେଶ୍ୱର ଚାଲିଯାଇଥିଲେ। ସିଆର୍ପି ଛକ ପାଖରେ ରହି ଶ୍ରମିକ ଭାବେ ସେ କାମ କରୁଥିଲେ। ବ୍ୟାଙ୍କରେ କାମ ଥିବାରୁ ସେ ଗାଁକୁ ଆସିଥିଲେ। ଅନ୍ୟପକ୍ଷରେ ପୂଜାଙ୍କ ଅନୁପସ୍ଥତିରେ ରାଗରେ ଜଳୁଥିଲା ଚିତ୍ରସେନ। ଆଉ ଗତକାଲି ରାତିରେ ଝଗଡ଼ା ବେଳେ ସେ ପୂଜାଙ୍କୁ ମାରିବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୂଜା ଆଜି ବ୍ୟାଙ୍କକୁ ଯାଇଥା’ନ୍ତେ। କିନ୍ତୁ ସେ ବ୍ୟାଙ୍କକୁ ନଯିବାରୁ ତାଙ୍କ ଭାଇ ଘରକୁ ଆସିଥିଲା। ଆଉ ଘର କବାଟ ଖୋଲି ଦେବା ପରେ ଭଉଣୀ ମରି ପଡ଼ିଥିବା ଦେଖଥିଲେ।ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି। ପୁଲିସର ତଦନ୍ତ ଜାରି ରହିଛି।
Comments ସମସ୍ତ ମତାମତ