Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଖୋଜ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଠାବ

    Share on :
    ajab-Image
    Date: Jul 19, 2026    Views: 3328

    କୁଚିଣ୍ଡା: ପ୍ରେମ କଲା । ବିବାହ ପ୍ରତିଶ୍ରୁତି ଦେଇ  ଶାରୀରିକ ଶୋଷଣ କଲା । ହେଲେ ଜୀବନସାଥୀ କରିବା ବେଳକୁ ଧରାଛୁଆଁ ଦେଲାନି । ବିବାହ ପାଇଁ  ଜିଦ୍‌ ଧରିଥିବା ପ୍ରେମିକାକୁ ତଣ୍ଟି  ଚିପି ମାରି ଫିଙ୍ଗିଦେଲା । ଗତ ଗୁରୁବାରଠାରୁ ନିଖୋଜ ଯୁବତୀଙ୍କ  କ୍ଷତାକ୍ତ ମୃତଦେହ ବଡ଼ରମା  ଘାଟିତଳୁ ଠାବ କରାଯିବା ପରେ ପଦାକୁ ଆସିଛି ପ୍ରେମ-ପ୍ରତାରଣାର ଏଭଳି ଲୋମଟାଙ୍କୁରା କାହାଣୀ ।
    ​​​​​​​ମୃତ ଯୁବତୀ କୁଚିଣ୍ଡା ଥାନା  କୁସୁମୀ ଫାଣ୍ଡି ମହୁଲଗୁଡ଼ା ଗାଁର  ମନୋଜ ସାଙ୍କ ଝିଅ ସରିତା (୨୪)  । ପୁଲିସ୍‌ ଅଭିଯୁକ୍ତ ପ୍ରେମିକ କୁଚିଣ୍ଡା ଥାନା ତେଲିକୁଣ୍ଡାପୋଷି ଗାଁର ଅନିଲ ପୃଷେଠ ଓ ସହଯୋଗୀ ତଥା ବୋଲେରୋ ଡ୍ରାଇଭର ଅଶୋକ କିସାନକୁ ଗିରଫ କରିଛି । ଅଭିଯୁକ୍ତର ସୂଚନା ଆଧାରରେ ସମ୍ବଲପୁର ଦେବଗଡ଼ ଜାତୀୟ ରାଜପଥ-୫୩ର  ବଡ଼ରମା ଘାଟିତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟାରେ ବ୍ୟବହୃତ ଓଢ଼ଣି  ଓ ବୋଲେରୋ ଜବତ ହୋଇଛି ।  
    କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ କୁମାର  ଦାସଙ୍କ ସୂଚନା ଅନୁସାରେ, ସରିତା କୁଚିଣ୍ଡା  ଟାଉନ ହଲ୍‌ ନିକଟ ଏକ ବ୍ୟୁଟି ପାର୍ଲର୍‌ରେ କାମ କରୁଥିଲେ । ସେହି ସମୟରେ ଅନିଲ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼଼ି ଉଠିଥିଲା । ଗତ ୧୭ ତାରିଖରେ ସରିତା ରହସ୍ୟଜନକ  ଭାବେ ନିଖୋଜ ହୋଇଯାଇଥିଲେ । ଝିଅକୁ  ଅନିଲ ଅପହରଣ କରି ନେଇଥିବା ପରିବାର  ତରଫରୁ ଅଭିଯୋଗ ହୋଇଥିଲା । ପୁଲିସ୍‌  ପ୍ରାଥମିକ ଭାବେ ଏକ ଅପହରଣ ମାମଲା  ରୁଜୁ କରିଥିଲା । ଅନିଲକୁ ଅଟକ ରଖି  ପଚରାଉଚରା କରିଥିଲା । ଜେରା ବେଳେ  ସତ ଓଗାଳିଥିଲା ଅନିଲ । ଏହାପରେ  ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା ।    
    ଅଭିଯୁକ୍ତ ପୁଲିସ୍‌କୁ ଦେଇଥିବା  ବୟାନରୁ ଜଣାପଡ଼ିଛି, ଉଭୟଙ୍କ ମଧ୍ୟରେ  ପ୍ରାୟ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା ।  ଏ ନେଇ ସେମାନଙ୍କ ପରିବାର ଲୋକେ  ଜାଣିଥିଲେ । ସରିତା ବିବାହ ପାଇଁ କହି  ଆସୁଥିବାବେଳେ ଅନିଲ ଏହାକୁ ଟାଳି  ଆସୁଥିଲା । ହେଲେ ସରିତା ଜିଦ୍‌ରେ  ଅଟଳ ରହିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ  ମାନସିକସ୍ତରରେ ପ୍ରସ୍ତୁତ ହୋଇସାରିଥିଲା ।  ଗତ ଗୁରୁବାର ସନ୍ଧ୍ୟାରେ ବୁଲିଯିବାକୁ କହି  କୁଚିଣ୍ଡାରୁ ଜମନକିରା ପଟକୁ ଆଣିଥିଲା ।  ବନ୍ଧୁ ଅଶୋକର ବୋଲେରୋରେ ସେମାନେ  ବାହାରିଥିଲେ । ଉଭୟେ ପଛ ସିଟ୍‌ରେ  ବସିଥିଲେ ।  ସରିତାଙ୍କ ସହ କଥା ହେବା  ଆଳରେ ଅନିଲ ଓଢ଼ଣିରେ ତାଙ୍କ ତଣ୍ଟି ଚିପି  ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ପରେ  ମୃତଦେହକୁ ବଡ଼ରମା ଘାଟିକୁ ନେଇ  ଫିଙ୍ଗିଦେଇଥିଲା ।​ ଅନିଲର ବୟାନ ଆଧାରରେ ଶନିବାର  ମୃତଦେହ ଠାବ କରାଯାଇଥିଲା । ଘଟଣାସ୍ଥଳକୁ  ସରିତାଙ୍କ ପିତାଙ୍କୁ ଡକାଯାଇଥିଲା । ପୋଷାକ  ଓ ମୁହଁ ଦେଖି ବାପା ମୃତଦେହ ଚିହ୍ନଟ  କରିଥିଲେ । ଅନିଲ ଓ ଅଶୋକକୁ ନେଇ  ବଡ଼ରମା ଘାଟି ନିକଟରେ ସିନ୍‌ ରିକ୍ରିଏସନ  କରାଯାଇଛି । ସମ୍ବଲପୁରରୁ ସାଇଣ୍ଟିଫିକ୍‌  ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ  କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ  ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା  ପରେ ଘଟଣା ସମ୍ପର୍କରେ ଅଧିକ ସୂଚନା  ମିଳିପାରିବ ବୋଲି ପୁଲିସ୍‌ କହିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook