Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକ ମୃତ

    Share on :
    ajab-Image
    Date: Oct 4, 2026    Views: 2334

    କଳାହାଣ୍ଡି: ଆନ୍ଧ୍ରପ୍ରଦେଶର ଅନକାପାଳି ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ପ୍ରେମରାଜ ବିଶୋଇ (୪୦ ବର୍ଷ)। ଏହି ଅଘଟଣ ପରେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳିଯାଇଥିବାବେଳେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ଏବଂ ଗାଁରେ ଆମ୍ବୁଲାନ୍ସକୁ ଅଟକ ରଖାଯାଇଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଫାମ୍ପୁଣି ପଂଚାୟତ ବାର୍ଲାହାଣ୍ଡି ଗାଁରେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରେମରାଜ ଆନ୍ଧ୍ରପ୍ରଦେଶର ଅନକାପାଳିରେ ସିଭିଲ୍ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେ ଏକ ରୁମରେ ଘାଟବାଘ୍ର ଗାଁର ନବୀନ ମାଳିଙ୍କ ସହ ରହି କାମ କରୁଥିଲେ। ତାଙ୍କ ସହ ରୁମରେ ଝାଡ଼ଖଣ୍ଡର ଆଉ ଜଣେ ଯୁବକ ମଧ୍ୟ ରହୁଥିଲେ। ଗତକାଲି ରାତି ପ୍ରାୟ ୯:୧୫ ସମୟରେ ଖାଇସାରିବା ପରେ ହଠାତ୍ ପ୍ରେମରାଜଙ୍କର ଝାଡ଼ାବାନ୍ତି ହୋଇଥିଲା। ତେବେ କୌଣସି ପ୍ରକାର ଡାକ୍ତରୀ ଚିକିତ୍ସା କରାଇବା ବଦଳରେ ହଠାତ୍ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କର ମରଶରୀରକୁ ଗାଁକୁ ପଠାଇ ଦିଆଯାଇଥିଲା।ପ୍ରେମରାଜଙ୍କ ଅକାଳ ମୃତ୍ୟୁ ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ତାଙ୍କର ବଡ଼ ଭାଇ ସୁରେନ୍ଦ୍ର ବିଶୋଇ ଜଣେ ଭିନ୍ନକ୍ଷମ ହୋଇଥିବାରୁ ଏହି ଦୁଃସମୟରେ ସେ କିପରି ଚଳିବେ ଏବଂ ପରିବାରର ଭରଣପୋଷଣ କିପରି ହେବ, ସେନେଇ ଏବେ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପରିବାରର ଏପରି ଦୟନୀୟ ଅବସ୍ଥା ସ୍ଥାନୀୟ ଅଞ୍ଚଳରେ ଗଭୀର ସମବେଦନା ସୃଷ୍ଟି କରିଛି।
    ଡାକ୍ତରୀ ଚିକିତ୍ସା ନକରାଇ ହଠାତ୍ ମୃତଦେହକୁ ଆମ୍ବୁଲାନ୍ସରେ ଗାଁକୁ ଅଣାଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଛି। ଏହାକୁ ନେଇ ଗାଁ ଭିତରେ ଶବ ଆଣିଥିବା ଆମ୍ବୁଲାନ୍ସକୁ ଅଟକ ରଖାଯାଇଛି। ଘଟଣାର ସଠିକ୍ ତଦନ୍ତ କରାଯାଇ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆଣିବାକୁ ଏବଂ ପରିବାରକୁ ଉପଯୁକ୍ତ ସହାୟତା ଯାଚିବାକୁ ଦାବି ହେଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook