Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ, ଜଣେ ଗୁରୁତର

    Share on :
    ajab-Image
    Date: Sep 29, 2026    Views: 3366

    ଜଙ୍କିଆ/ ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସମୟରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀ ପାଣିରେ ବୁଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି), ଭାକରସାହିର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁଘଟିଥିବା ବେଳେ ଜଣେ ସହପାଠୀ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ଜଣକ ହେଲେ ବାଲିପାଟଣା ବ୍ଲକ ବାରିଲୋ ଗ୍ରାମର ମନୋଜ କୁମାର ସାହୁଙ୍କ ୧୫ ବର୍ଷୀୟ ଏକମାତ୍ର ପୁଅ ଅର୍ଣ୍ଣବ ସାହୁ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

    ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବା ପାଇଁ ଅର୍ଣ୍ଣବ ଅନ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଦୁଇଦିନ ତଳେ ଖୋର୍ଦ୍ଧା ଆସିଥିଲେ। ମଙ୍ଗଳବାର ସକାଳେ ଅର୍ଣ୍ଣବ ଓ ବାଲିଅନ୍ତା ଅଞ୍ଚଳର ଆଉ ଜଣେ ଛାତ୍ର ବିଦ୍ୟାଳୟ ନିକଟସ୍ଥ ଭୋଗପୁର ଗ୍ରାମରେ ଥିବା ଏକ ଗଭୀର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ଉଭୟେ ଗଭୀର ପାଣିକୁ ଖସିପଡ଼ି ବୁଡ଼ିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଏହା ଦେଖି ତୁରନ୍ତ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଅର୍ଣ୍ଣବଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଆକସ୍ମିକ ଦୁର୍ଘଟଣା ପରେ କ୍ରୀଡ଼ା ପ୍ରତିଯୋଗିତାକୁ ତୁରନ୍ତ ସ୍ଥଗିତ ରଖାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook