Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିଖୋଜର ୨୩ ଦିନ ପରେ ମିଳିଲା ଯୁବତୀଙ୍କ କଙ୍କାଳ, ପ୍ରେମିକ ଗିରଫ

    Share on :
    ajab-Image
    Date: Jun 8, 2026    Views: 4004

    ଭଦ୍ରାସାହି : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁ ଗ୍ରାମର ଜନୈକା ନିଖୋଜ ଯୁବତୀଙ୍କ କଙ୍କାଳ ୨୩ ଦିନ ପରେ ରୋଇଡା ଅଞ୍ଚଳରେ ମାଟିତଳୁ ପୁଲିସ ଜବତ କରିଛି। ଏହି ଘଟଣାରେ ହତ୍ୟାକାରୀ ପ୍ରେମିକକୁ ପୁଲିସ ଗିରଫ କରିଛି। ମୃତ ଯୁବତୀ ଜଣକ ହେଲେ ଭଦ୍ରାସାହି ପଞ୍ଚାୟତ ସ୍ଥିତ ଝାଡ଼ଗାଁ ଗ୍ରାମର ଅନିତା ମହାକୁଡ଼। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର, ଯୁବତୀଙ୍କ ଚୁର୍ଣ୍ଣି, ଚପଲ ସମେତ ଏକ ବାଇକ୍‌କୁ ପୁଲିସ ଜବତ କରିଛି।  ଅଭିଯୁକ୍ତ ଯୁବକକୁ ଧରି ପୁଲିସ ଘଟଣାସ୍ଥଳରେ ସିନ୍‌ ରିକ୍ରେସନ କରିଥିଲା।
    ପୁଲିସର ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁ ଦୁମ୍ବି ସାହିର ପ୍ରମିଳା ମହାକୁଡ଼ଙ୍କ ସାନ ଝିଅ ଅନିତା ମହାକୁଡ଼ ମେ ୧୧ରେ ନିଖୋଜ ହୋଇଯାଇଥିଲେ। ମୋବାଇଲ୍ ଫୋନକୁ ସେ ଘରେ ଛାଡ଼ି ଦେଇଥିଲେ। ପରିବାରଲୋକେ ଖୋଜାଖୋଜି କରିବା ପରେ ବି ତାର କୌଣସି ସନ୍ଧାନ ପାଇ ନଥିଲେ। ଅନିତା ସାହିର ସଂଗ୍ରାମ ଆଲଦାଙ୍କୁ ଫୋନ କରିଥିବା ଜଣାପଡିଥିଲା। ପରିବାର ଲୋକ ସଂଗ୍ରାମକୁ ଅନିତା ସମ୍ପର୍କରେ ପଚାରିଥିଲେ ମଧ୍ୟ ସେ କିଛି ଜାଣିନଥିବା କହିଥିଲା। ଘଟଣାର ୩ ଦିନ ପରେବି ଅନିତାଙ୍କ କୌଣସି ପତ୍ତା ନମିଳିବାରୁ ପରିବାର ଲୋକେ ବଡ଼ବିଲ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ୍ କୌଣସି ପଦକ୍ଷେପ ନ ନେବାରୁ ପରିବାରଲୋକେ ଶନିବାର କେନ୍ଦୁଝର ଏସପିଙ୍କୁ ଭେଟିଥିଲେ। ବଡବିଲ ପୁଲିସ ସଂଗ୍ରାମକୁ ପଚରାଉଚରା କରିବା ଅନିତା ନିଖୋଜ ରହସ୍ୟ ଲୋକଲୋଚନକୁ ଆସିଥିଲା। ଅନିତାକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକ ସଂଗ୍ରାମ ଆଲଦାକୁ ଗିରଫ୍ କରିବା ସହ ପୂରା ଘଟଣା ପଦାକୁ ଆଣିଛି । ରବିବାର ଅଭିଯୁକ୍ତ ସଂଗ୍ରାମକୁ ନେଇ ଘଟଣାର ସିନ୍ ରିକ୍ରିଏସନ କରିଛି । ଘଟଣା ସ୍ଥଳକୁ ଯାଇ ହତ୍ୟା କରିଥିବା ସ୍ଥାନ ଏବଂ ବାଇକରେ ମୃତଦେହକୁ ନେଇ ୫ କିମି ଦୂର ରଇଡ଼ା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ପୋତିଥିବା ସ୍ଥାନ ସେ ଦେଖାଇଥିଲା। ଏଥି ସହିତ ଘଟଣାରେ ବ୍ୟବହୃତ ବାଇକ୍ ଏବଂ ଅଭିଯୁକ୍ତ ଜଙ୍ଗଲରେ ଲୁଚାଇଥିବା ଯୁବତୀର ଚୁନି, ଚପଲ, ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ୍ ଜବତ୍ କରିଛି । ବ୍ୟବହୃତ ବାଇକ୍ ଅଭିଯୁକ୍ତର ଘରୁ ଜବତ୍ ହୋଇଛି। ସ୍ପେସାଲ୍ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ରାକେଶ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଖାତରୁ ଅନିତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି । କେନ୍ଦୁଝର ଫୋରେନ୍ସିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି ।
    ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁସାରେ ସଂଗ୍ରାମ ଏବଂ ଅନିତାଙ୍କ ମଧ୍ୟରେ ଅନେକ ଦିନରୁ ପ୍ରେମ ସମ୍ପର୍କ ରହିଥିଲା। ୩/୪ ମାସ ତଳେ ସଂଗ୍ରାମ ବାହାରକୁ ଯାଇଥିବାବେଳେ ଅନିତା ଅନ୍ୟ ଜଣେ ଯୁବକକୁ ପ୍ରେମ କରୁଥିବା ନେଇ ସଂଗ୍ରାମଙ୍କ ସନ୍ଦେହ ହୋଇଥିଲା । ସଂପୃକ୍ତ ଯୁବକଙ୍କ ସହ ଅନିତାଙ୍କ କିଛି ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବା ପରେ ସଂଗ୍ରାମଙ୍କ ଉତ୍ତ୍ୟକ୍ତ ହୋଇପଡିଥିଲେ। ମେ ୧୧ରେ ଅନିତାକୁ ଦେଖା କରିବା ପାଇଁ ସେ ଡାକିଥିଲା । ଘର ଠାରୁ ପ୍ରାୟ ଅଧ କିମି ଦୂର ଫୁଟବଲ୍ ପଡ଼ିଆ ଉପରପଟେ ଥିବା ଏକ କେନ୍ଦୁଗଛ ନିକଟରେ ଉଭୟଙ୍କ ସାକ୍ଷାତ୍ ହୋଇଥିଲା । ଏକ ଧାରୁଆ ଛୁରୀରେ ଅନିତାର ବେକକୁ ଚୋଟ ପରେ ଚୋଟ ପକାଇ ଚାଲିଲା ସଂଗ୍ରାମ। ଅନିତାର ମୃତ୍ୟୁ ଘଟିଥିଲା। ମୃତଦେହ ଛାଡ଼ି ସଂଗ୍ରାମ ଚାଲିଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ଛିଟା ପଡ଼ିଥିବା ନିଜର ପୋଷାକକୁ ବଳିତା ଡ୍ୟାମ ନିକଟରେ ଫୋପାଡିବା ପରେ ରାତି ଅନ୍ଧାରରେ ମୃତଦେହକୁ ବାଇକରେ ଲଦି ୫ କିମି. ଦୂର ରଇଡ଼ା ସ୍ଥିତ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲକୁ ନେଇଥିଲା । ସେଠାରେ ଏକ ଖାତରେ ମୃତଦେହକୁ ପୋତିବା ସହ ପାଖରେ ଥିବା ଅନ୍ୟ ଏକ ଖାତରେ ଅନିତାଙ୍କ ଚୁନି, ଚପଲ, ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଫୋପାଡ଼ି ଦେଇଥିଲା। ଏନେଇ ବଡ଼ବିଲ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସଂଗ୍ରାମ ଆଲଦାକୁ କୋର୍ଟ ଚାଲାଣ କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook