ମୁଖ୍ୟ ଖବର
ଖଣ୍ଡଗିରି: ଅଦିନିଆ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ମଙ୍ଗଳବାର ଅପରାହ୍ଣରେ ଖଣ୍ଡଗିରି ଥାନା ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ ଏକ ବିଶାଳ ବିଜ୍ଞାପନ ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳାଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗଞ୍ଜାମ ଜିଲା ଆସ୍କାର ୩୭ ବର୍ଷୀୟ ଟୁନା ଗୌଡ଼ ଓ ଡୁମୁଡୁମା ଅଞ୍ଚଳର ୧୯ ବର୍ଷୀୟ ସଚ୍ଚିଦାନନ୍ଦ ପ୍ରଧାନ। ସେହିପରି ଗୁରୁତର ଆହତ ଡୁମୁଡୁମା ଅଞ୍ଚଳର ମୌସୁମୀ ପ୍ରିୟଦର୍ଶିନୀ ଥିବା ସୂଚନା ମିଳିଛି। ମୌସୁମୀ ଜଣେ ଅଧ୍ୟାପିକା। ଅନ୍ୟ ଜଣେ ଆହତଙ୍କ ପରିଚୟ ଜଣାପଡ଼ି ନାହିଁ। ସେମାନେ ବର୍ଷା ଯୋଗୁଁ ଏକ ଦୋକାନ ତଳେ ଆଶ୍ରୟ ନେଇଥିବାବେଳେ କାଳବୈଶାଖୀ ଯୋଗୁଁ ଏହି ହୋର୍ଡିଂ ପଡ଼ି ଏପରି ଘଟିଛି। ହୋର୍ଡିଂ ଭାଙ୍ଗିବା ଯୋଗୁଁ ୪/୫ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲା।
ହୋର୍ଡିଂ ଭୁଶୁଡ଼ିବା ବେଳେ ସେଠାରେ ଥିବା ଲୋକ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ। ହୋର୍ଡିଂ ଭାଙ୍ଗି ପଡ଼ିବା ଫଳରେ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଜାତୀୟ ରାଜପଥ ଓ ସେବା ରାସ୍ତା (ସର୍ଭିସ ରୋଡ୍) ଜାମ୍ ହୋଇଯାଇଥିଲା। ରାସ୍ତାରେ ଗାଡ଼ିଗୁଡିକ ଅଟକି ରହିଥିଲା। କେତେକ ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ୍ ସେବାରେ ବ୍ୟାଘାତ ଘଟିଛି। ରାତି ସୁଦ୍ଧା ଉପକଣ୍ଠ ତମାଣ୍ଡୋ, କଳିଙ୍ଗନଗର, ଆଇଗିଣିଆ, ଭରତପୁର ଆଦି କେତେକ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ହୋଇନଥିବା ଜଣାପଡ଼ିଛି।
ଅପରାହ୍ଣ ୫ଟା ବେଳେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପ୍ରବଳ ଘଡ଼ଘଡ଼ି ସହ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ବାଟରେ ଯାଉଥିବା କିଛି ଲୋକ ଆଇଗିଣିଆ ଛକରେ ଥିବା କିଛି ଦୋକାନ ନିକଟରେ ମଧ୍ୟ ଠିଆ ହୋଇଥିଲେ। ପ୍ରବଳ ପବନ ଯୋଗୁଁ ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟରେ ଥିବା ଏକ ବଡ଼ ବିଜ୍ଞାପନ ହୋର୍ଡିଂ ଭାଙ୍ଗି ପଡିଥିଲା। ସେଠାରେ ଥିବା ୪/୫ ଦୋକାନ ଉପରେ ଲୁହା ହୋର୍ଡିଂ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଟୁନା ଓ ସଚ୍ଚିଦାନନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଦୋକାନଗୁଡିକ ଭାଙ୍ଗି ଚୁରମାର ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ବୁଧବାର ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।
Comments ସମସ୍ତ ମତାମତ