ମୁଖ୍ୟ ଖବର
ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ସହରରେ ଏକ ସପିଂ ମଲ୍ର ସେଲ୍ଫଗର୍ଲ କାମିନୀ କାଞ୍ଚନ ଧଳଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କ ମୃତ୍ୟୁ ଘଟିଥିବା ବେଳେ କାମିନୀଙ୍କ ମୃତ୍ୟୁ ପାଇଁ ସଫି ମଲ୍ର ମ୍ୟାନେଜର ରାହୁଲ ନାୟକ ଦାୟୀ ବୋଲି ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।
ପ୍ରେସକ୍ଲବ ମାର୍ଗରେ ଥିବା କସ୍ମୋ ବଜାର ମଲ୍ର ମ୍ୟାନେଜରକୁ ଗତକାଲି ବିଳମ୍ବିତ ଥାନାରେ ଅଟକ ରଖିଛି ପୁଲିସ । କାମିନୀଙ୍କ ବାପା ସୁରେନ୍ଦ୍ର ଦର୍ଶାଇଛନ୍ତି, ତାଙ୍କ ଝିଅକୁ ରାହୁଲ ଗତ ଜାନୁଆରୀ ୩୧ରେ ପିକ୍ନିକ୍ରେ ବାଲେଶ୍ବର, ରେମୁଣା, ଚାନ୍ଦିପୁର ଆଦି ଅଞ୍ଚଳକୁ ବୁଲାଇ ନେଇଥିଲେ। ସେହି ସମୟରେ ତାଙ୍କ ଝିଅକୁ ମୃଦୁ ପାନୀୟ କିମ୍ବା ଖାଇବାରେ ସ୍ଲୋ ପଏଜନ ଦିଆଯାଇଥିଲା। ପିକ୍ନିକ୍ରୁ ଫେରିବା ପରଦିନଠାରୁ ତାଙ୍କ ଝିଅ ଅସୁସ୍ଥ ହେବା ଆରମ୍ଭ ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଓ ପରେ କଟକର ଟାଙ୍ଗି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।
ପିକ୍ନିକ୍ ଯିବାର କିଛିମାସ ପୂର୍ବରୁ ତାଙ୍କ ଝିଅକୁ ରାହୁଲ ଏକତରଫା ପ୍ରେମ କରି ବ୍ଲାକ୍ମେଲିଂ କରୁଥିଲେ ବୋଲି ସୁରେନ୍ଦ୍ର ଏତଲାରେ ଉଲ୍ଲେଖ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରାଯାଇ ମ୍ୟାନେଜର ରାହୁଲଙ୍କୁ ଅଟକ ରଖ୍ ପଚରାଉଚରା କରୁଛି ପୁଲିସ । ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଆଇଆଇସି ନୀରଜ କୁମାର ସାମଲ କହିଛନ୍ତି ।
Comments ସମସ୍ତ ମତାମତ