ମୁଖ୍ୟ ଖବର
ନୂଆଦିଲ୍ଲୀ; ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତ ୯ ତାରିଖରୁ ନିଖୋଜ ଥିଲେ କର୍ଣ୍ଣାଟକର ୨୨ ବର୍ଷୀୟ ସାକେତ ଶ୍ରୀନିବାସୈୟା । ୬ ଦିନ ତଳେ ପଡୋଶୀଙ୍କ ଘର ବାହାରୁ ସାକେତଙ୍କ ଲାପଟପ୍ ଏବଂ ବ୍ୟାଗ୍ ମିଳିଥିଲା । ଆମେରିକା କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କେମିକାଲ ଏବଂ ବାୟୋମଲେକ୍ୟୁଲାର ଇଞ୍ଜିନିୟରିଂ ପଢୁଥିଲେ ସାକେତ । ୯ ତାରିଖରୁ ନିଖୋଜ ଥିବା ସାକେତଙ୍କୁ ଖୋଜା ଖୋଜି ଜାରି ରହିଥିଲା । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକାରେ ଥିବା ଭାରତୀୟ କନସୁଲେଟ ଜେନେରାଲ ।
ରିପୋର୍ଟ ଅନୁସାରେ, ସାକେତଙ୍କୁ ଶେଷ ଥର ପାଇଁ ବର୍କଲି ହିଲ୍ସ ଅଞ୍ଚଳରେ ଦେଖାଯାଇଥିଲା । ସେ ହ୍ରଦ ଆଞ୍ଜା ଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ତାଙ୍କ ପାସପୋର୍ଟ ଏବଂ ଲାପଟପ୍ ମିଳିଥିଲା । କର୍ଣ୍ଣାଟକର ମୂଳ ବାସିନ୍ଦା ସାକେତ ଶ୍ରୀନିବାସୈୟା ଆଇଆଇଟି ମାଡ୍ରାସରୁ ବିଟେକ୍ ଡିଗ୍ରୀ ହାସଲ କରିଥିଲେ । ଅଧିକ ଅଧ୍ୟୟନ ପାଇଁ ଆମେରିକା ଯାଇଥିଲେ । ୨୦୨୫ରେ କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଥିଲେ । ଫେବୃଆରୀ ୧୩ ତାରିଖରେ କର୍ଣ୍ଣାଟକ ସରକାରଙ୍କ ମୁଖ୍ୟ ସଚିବ ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କୁ ଚିଠି ଲେଖିଥିଲେ । ସାକେତଙ୍କ ପରିବାରକୁ ମିଳିଥିବା ସୂଚନା ଅନୁସାରେ ବର୍କଲି ପୁଲିସରେ ଅଭିଯୋଗ ଦାଖଲ ସତ୍ତ୍ୱେ ସାକେତଙ୍କର କୌଣସି ସନ୍ଧାନ ମିଳିନଥିଲା ଚିଠିରେ ଲେଖାଯାଇଥିଲା । ପରିସ୍ଥିତିର ଗମ୍ଭୀରତା ଏବଂ ପରିବାରରେ ବଢୁଥିବା ଚିନ୍ତାକୁ ଦୃଷ୍ଟିରେ ରଖି ହସ୍ତକ୍ଷେପ ଲୋଡ଼ିଥିଲେ କର୍ଣ୍ଣାଟକ ସରକାର ।
Comments ସମସ୍ତ ମତାମତ