ମୁଖ୍ୟ ଖବର
ନିଆଳି: ଥଟ୍ଟାମଜା ହେଲା କାଳ । ସମ୍ପର୍କୀୟ ମାମୁଁର ଭୁଜାଲି ଚୋଟରେ ଚାଲିଗଲା ଭଣଜାର ଜୀବନ । ଗତକାଲି(ମଙ୍ଗଳବାର) ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅଧିନ ଭାପୁରନାଥ ସାହିରେ । ମୃତ ଭଣଜା ହେଲେ ଭାପୁରନାଥ ସାହିର ଲିପୁନାଥ, ବୟସ ୧୯ ବର୍ଷ ।
ଗତକାଲି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଅଭିଯୁକ୍ତ ମିଥୁନ ଭାପୁର ନାଥପୁର ଗାଁ ନିକଟ ଅଠାନ୍ତର ଓ ନୂଆଗାଁ ପୂର୍ତ୍ତ ବିଭାଗ ପିଚୁ ରାସ୍ତାରେ ବୁଲାବୁଲି କରୁଥିଲେ । ଏହି ସମୟରେ ମୃତ ଲିପୁନାଥ ଥଟ୍ଟାମଜାରେ ମିଥୁନଙ୍କୁ କିଛି ଇଙ୍ଗିତ କରିଥିଲେ । ଏହାକୁ ନେଇ ଉତିକ୍ଷିପ୍ତ ହୋଇପଡିଥିଲେ ମିଥୁନ । ରାଗରେ ଲିପୁନାଥଙ୍କୁ ଚାପୁଡା ମାରିିଥିଲେ । ଏହାକୁ ନେଇ ପ୍ରତିବାଦ କରିଥିଲେ ଲିପୁନାଥ । ଫଳରେ ରାଗିକି ଭୁଜାଲିରେ ସମ୍ପର୍କୟ ମାମୁଁ ତାଙ୍କୁ ଆକ୍ରମଣ କରିଥିଲେ ।ମିଥୁନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଭଣଜା ଲିପୁନାଥ । ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଲିପୁନାଥ ।ଏନେଇ ମୃତକଙ୍କ ପରିବାର ପକ୍ଷରୁ ବାଲିପାଟଣା ଥାନାରେ ଏତଲା ଦିଆଯାଇଥିଲା । ବାଲିପାଟଣା ପୋଲିସ କେସ ନମ୍ବର ୩୦/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟା ପଛରେ କେବଳ ଥଟ୍ଟାମଜା ନା ଆଉ କିଛି ରହିଛି ଏନେଇ ଖୋଳତାଡ ଆରମ୍ଭ କରିଛି ବାଲିପାଟଣା ପୋଲିସ । ସେପଟେ ଅଭିଯୁକ୍ତ ମିଥୁନ ଫେରାର ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିବ ପୋଲିସ ।
Comments ସମସ୍ତ ମତାମତ