ମୁଖ୍ୟ ଖବର
ବାଲେଶ୍ୱର: ସ୍କୁଲରେ ଫଳକ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ସନାତନ ଧଳଙ୍କ ପୁତ୍ର ପ୍ରହଲ୍ଲାଦ ଧଳ(୧୧) । ଏଭଳି ଅଘଟଣ ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ଗ୍ରାମରେ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନାଯୋଗ୍ୟ, ପ୍ରହଲ୍ଲାଦ ବଡ଼ାସ ୟୁପି ସ୍କୁଲର ୫ମ ଶ୍ରେଣୀ ଛାତ୍ର । ସେ ସ୍କୁଲକୁ ଆସିଥିବାବେଳେ ସାଙ୍ଗ ପିଲାଙ୍କ ସହ ସ୍କୁଲ ପରିସରରେ ଥିବା ଏକ ଫଳକ ପାଖରେ ଥିଲେ । ଏହି ସମୟରେ ସାଙ୍ଗ ପିଲାଟି ଫଳକକୁ ଗୋଇଠା ମାରିବାରୁ ତାହା ସାମ୍ନାରେ ଥିବା ପ୍ରହଲ୍ଲାଦଙ୍କ ଉପରେ ପଡ଼ିଯାଇଥିଲା । ପ୍ରହଲ୍ଲାଦ ଫଳକ ତଳେ ଚାପି ହୋଇଯାଇଥିଲେ । ପରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ପ୍ରହଲ୍ଲାଦକୁ ତୁରନ୍ତ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କ ମୃତ୍ୟୁ ହୋଇଛି । ରାତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏହି ଅଘଟଣ ପରେ ଉକ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି ।
Comments ସମସ୍ତ ମତାମତ