ମୁଖ୍ୟ ଖବର
ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ ପଞ୍ଚାୟତ ସେବକ ଟିକରପଡ଼ା ଗାଁ ନିକଟ ଘୋଡ଼ାହାଡ଼ ନଦୀରେ ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ପାଇଁ ବୁଡ଼ ପକାଇବାକୁ ଯାଇ ଗାଧୋଉଥିବା ବେଳେ ୨ ମହିଳା ନଦୀରେ ଭାସି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୋମବାର ଭୋର ୩ଟାରେ ଏହି ଅଘଟଣ ଘଟିଛି। ମୃତକ ଦ୍ବୟ ହେଲେ ସେବକ ଟିକରପଡ଼ା ଗାଁର ସିମାଞ୍ଚଳ ପାଢ଼ୀଙ୍କ ସ୍ତ୍ରୀ ଲଳିତା(୬୪) ଏବଂ ଧନୁ ଗୌଡ଼ଙ୍କ ସ୍ତ୍ରୀ ସବିତା(୪୦)।ଲଳିତା ଗାଧୋଇ ସାରି ଲୁଗା ଚିପୁଡୁଥିବା ବେଳେ ଲୁଗାଟି ଭାସି ଯାଇଥିଲା। ଲୁଗାକୁ ଆଣିବା ବେଳେ ଅସାବଧାନତା କାରଣରୁ ସେ ନଦୀର ଗଭୀର ଗଣ୍ଡ ମଧ୍ୟକୁ ଚାଲିଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ବେଳେ ସବିତା ମଧ୍ୟ ନଦୀରେ ବୁଡ଼ି ଯାଇଥିଲେ। ଉଭୟେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ସାମାଜିକ କର୍ମୀ ସୀମାଞ୍ଚଳ କର ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ପ୍ରାୟ ୧ କିମି ଦୂର ଗୋଲଣ୍ଡା ଗ୍ରାମ ନଦୀପଠାରେ ପହଞ୍ଚି ଗ୍ରାମର କିଛିବ୍ୟକ୍ତିଙ୍କ ସହାୟତାରେ ନଦୀରୁ ଉଭୟଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।
ଉଭୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୋଲିସ ଟିମ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ଅପମୃତ୍ୟୁ ମାମଲା ନଂ.୪୪/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
Comments ସମସ୍ତ ମତାମତ