ମୁଖ୍ୟ ଖବର
ରାଜସ୍ଥାନ: ବରିଷ୍ଠ କଂଗ୍ରେସ ନେତ୍ରୀ, ପୂର୍ବତନ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଗିରିଜା ବ୍ୟାସଙ୍କର ମେ ୧ ତାରିଖରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଗିରିଜା ବ୍ୟାସ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଗତ ମାସରେ ଏକ ଦୁର୍ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇଥିଲେ, ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମାର୍ଚ୍ଚ ୩୧ ତାରିଖରେ ରାଜସ୍ଥାନ ଉଦୟପୁର ସ୍ଥିତ ବାସଭବନରେ ଗଣଗୌର ପୂଜା ସମୟରେ ଆରତୀ କରୁଥିବା ବେଳେ ଡକ୍ଟର ବ୍ୟାସଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ସେ ୮୯ ପ୍ରତିଶତ ପୋଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉଦୟପୁରରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ପରେ ତାଙ୍କୁ ଅହମ୍ମଦାବାଦର ଜାଇଡସ୍ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।ଗୁରୁବାର, ୧ ମେ, ୨୦୨୫ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଡକ୍ଟର ବ୍ୟାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କ ଅବଦାନକୁ ଅବିସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି।ଭାରତୀୟ ରାଜନୀତି, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ଗିରିଜା ବ୍ୟାସଙ୍କ ଜନ୍ମ ୮ ଜୁଲାଇ ୧୯୪୬ ମସିହାରେ ହୋଇଥିଲା। ଡକ୍ଟର ଗିରିଜା ବ୍ୟାସଙ୍କ ରାଜନୈତିକ ଯାତ୍ରା ଅତ୍ୟନ୍ତ ସମର୍ପଣ ଏବଂ ସେବା ମନୋଭାବରେ ପରିପୂର୍ଣ୍ଣ। 25 ବର୍ଷ ବୟସରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଗିରିଜାଙ୍କୁ କେହି କେବେ ଭାବି ନ ଥିଲେ ଯେ, ଦିନେ ସେ ସାଂସଦ, ମନ୍ତ୍ରଣାଳୟ, ମହିଳା କମିଶନ ଏବଂ ରାଜ୍ୟ କଂଗ୍ରେସ ଭଳି ଗୁରୁତ୍ୱପୂର୍ଣ୍ଣ ମଞ୍ଚର ସ୍ୱର ହେବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ ତାଙ୍କର ନିଷ୍ପତ୍ତି, ମହିଳା ସଶକ୍ତିକରଣ ଦିଗରେ ତାଙ୍କର ପଦକ୍ଷେପ ଏବଂ ଷ୍ଟ୍ରିଟ୍ ବିକ୍ରେତା ଆଇନ ଭଳି ପଦକ୍ଷେପ ତାଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା ବୋଲି ପ୍ରମାଣିତ କରେ।
Comments ସମସ୍ତ ମତାମତ