ମୁଖ୍ୟ ଖବର
ନୂଆଦିଲ୍ଲୀ: ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂହଙ୍କ ଅକାଳ ମୁକ୍ତି ଆବେଦନ ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ଓଡ଼ିଶା ରାଜ୍ୟ ସଜା ସମୀକ୍ଷା ବୋର୍ଡକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଦାରା ସିଂହ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।
ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାରେ ରାଜ୍ୟ ସଜା ସମୀକ୍ଷା ବୋର୍ଡର ଅଯଥା ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଯଥା ସମୟ ନେବା ଏବଂ ଶୁଣାଣି ଘୁଞ୍ଚାଇବାକୁ ଅନୁରୋଧ କରାଯିବା ଉପରେ ମଧ୍ୟ କୋର୍ଟ ଆପତ୍ତି ଉଠାଇଛନ୍ତି।
ଆଜିର ଶୁଣାଣିରେ ସୁପ୍ରିମକୋର୍ଟ ମାମଲାକୁ ଘୁଞ୍ଚାଇବାକୁ ମନା କରିଦେଇଛନ୍ତି। ସେପ୍ଟେମ୍ବର ୧୭ ସୁଦ୍ଧା ରାଜ୍ୟ କର୍ତ୍ତୃପକ୍ଷ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନନେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଯିଏ ସମ୍ପୃକ୍ତ ଅଧିକାରୀ, ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।
କୋର୍ଟ କହିଛନ୍ତି, “ଆପଣ ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ସଚିବ କିମ୍ବା ଯିଏ ଅଧିକାରୀ ଅଛନ୍ତି, ତାଙ୍କୁ ସମନ୍ କରିବୁ। ରାଜ୍ୟ ପକ୍ଷର AOR (ଆଡଭୋକେଟ୍ ଅନ୍ ରେକର୍ଡ)ଙ୍କ ଅନୁରୋଧକ୍ରମେ ଶୁଣାଣି ଘୁଞ୍ଚାଇବାକୁ ଅନୁମତି ଦିଆଯାଇନାହିଁ। ସେପ୍ଟେମ୍ବର ୧୭ରେ ମାମଲାର ତାଲିକାଭୁକ୍ତ କରାଯାଉ। ପରବର୍ତ୍ତୀ ତାରିଖରେ ଓଡ଼ିଶା ସରକାର ଅଗଷ୍ଟ ୧୯ରେ ଆମ ଆଦେଶ ଅନୁଯାୟୀ କେଉଁ ନିଷ୍ପତ୍ତି ନିଆଯାଇଛି, ତାହା କୋର୍ଟକୁ ଜଣାଇବ।”
ଏହାପୂର୍ବରୁ ଅଗଷ୍ଟ ୧୮ ତାରିଖରେ ମଧ୍ୟ ସୁପ୍ରିମକୋର୍ଟ ରାଜ୍ୟ ସଜା ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାରେ କରୁଥିବା ବିଳମ୍ବକୁ ନେଇ ଆପତ୍ତି ଉଠାଇଥିଲେ। ଦାରା ସିଂହ ୨୬ ବର୍ଷରୁ ଅଧିକ ସମୟ ଧରି ଆଜୀବନ କାରାଦଣ୍ଡ ଭୋଗି ସାରିଛନ୍ତି।
ଦାରା ସିଂହ ଭାବେ ପରିଚିତ ରବୀନ୍ଦ୍ର କୁମାର ପାଲଙ୍କୁ ୧୯୯୯ ମସିହା ଜାନୁଆରୀରେ ଅଷ୍ଟ୍ରେଲୀୟ ଖ୍ରୀଷ୍ଟିଆନ୍ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅ ଫିଲିପ୍ ଓ ଟିମୋଥିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଓଡ଼ିଶାର ମନୋହରପୁର ଗାଁରେ ଏକ ଷ୍ଟେସନ୍ ୱାଗନ୍ ଭିତରେ ତିନିଜଣଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା।
୨୦୦୩ ମସିହାରେ ଏକ ଟ୍ରାଏଲ୍ କୋର୍ଟ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଏହାପରେ ୨୦୦୫ ମସିହାରେ ଓଡ଼ିଶା ହାଇକୋର୍ଟ ତାଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ୨୦୧୧ ମସିହାରେ ସୁପ୍ରିମକୋର୍ଟ ତାଙ୍କ ଆଜୀବନ କାରାଦଣ୍ଡକୁ ବଜାୟ ରଖିଥିଲେ। ମାମଲାଟି ମୃତ୍ୟୁଦଣ୍ଡ ପାଇଁ ଆବଶ୍ୟକ ‘ବିରଳରୁ ବିରଳତମ’ (rarest of rare) ବର୍ଗରେ ଆସୁନଥିବା ଦର୍ଶାଇ କୋର୍ଟ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିନଥିଲେ।
ଏହା ବ୍ୟତୀତ ଦାରା ସିଂହ ଓଡ଼ିଶାରେ ମୁସଲିମ୍ ବ୍ୟବସାୟୀ ଶେଖ୍ ରେହମାନ୍ ଏବଂ ଖ୍ରୀଷ୍ଟିଆନ୍ ପାଦ୍ରୀ ଅରୁଲ୍ ଦାସଙ୍କ ହତ୍ୟା ମାମଲାରେ ମଧ୍ୟ ପୃଥକ ଭାବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
Comments ସମସ୍ତ ମତାମତ