Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଲକାନଗିରି ପାଖ ଦେଇ ଯିବ ବାତ୍ୟା

    Share on :
    ajab-Image
    Date: Nov 18, 2026    Views: 2563

    ଭୁବନେଶ୍ୱର: ବଦଳୁଛି ବାତ୍ୟା ଗତିପଥ । ଓଡ଼ିଶା ଦେଇ ସ୍ଥଳଭାଗ ଛୁଇଁବ ବାତ୍ୟା । ବଢିଲା ଭୟ । ନୂଆ ଟ୍ରାକ ଅନୁସାରେ ଓଡ଼ିଶା ଦେଇ ଯିବ ବାତ୍ୟା ଅକଭାନ । ଲ୍ୟାଣ୍ଡଫଲ ପରେ ମାଲକାନଗିରି ଭିତରେ ଦେଇ ଆଗକୁ ଯିବ । ଆଇଏମଡି ଜାରି କରିଥିବା ନୂଆ ଟ୍ରାକରୁ ଏହା ସ୍ପଷ୍ଟ ହୋଇଛି । ଦକ୍ଷିଣ ଓଡ଼ିଶା ଦେଇଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ମାଲକାନଗିରି ଦେଇ ଯିବା ବେଳେ ଅକଭାନ ତୀବ୍ରତା ବାତ୍ୟା ଥିବ । ବାତ୍ୟା ପରିଧିରେ ମାଲକାନଗିରି ସହ ଆଉ ୩ ଜିଲ୍ଲା ବି ରହୁଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ବି ବାତ୍ୟା ପରିଧିରେ ଆସୁଛି । ପୂର୍ବରୁ ଜାରି ଟ୍ରାକରେ ଯିବା ବେଳେ ଅବପାତ ହୋଇ ଯିବାର ଥିଲା । ଏବେର ନୂଆ ଟ୍ରାକ୍‌ରେ ଅବପାତ ନୁହେଁ, ବାତ୍ୟା ରୂପ ନେଇ ଯିବ ।
    ବାତ୍ୟାର ଗତି ଏବେ ଅତି ମନ୍ଥର ରହିଛି । ଘଣ୍ଟାପ୍ରତି ଗତି ମାତ୍ର ୩ କିଲୋମିଟର ରହିଛି । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢ଼ୁଛି ।ଆନ୍ଧ୍ରରେ ଭୀଷଣ ପ୍ରଭାବ ପକାଇବ ବାତ୍ୟା ‘ଅକଭାନ୍’ । ୧୨୦ରୁ ୧୩୦ କିମି ବେଗରେ ପବନ ବହିବ । ବହୁ କ୍ଷୟକ୍ଷତି କରିବ । ଓଡ଼ିଶାରେ ବାତ୍ୟା ସେଭଳି ପ୍ରଭାବ ପକାଇବନି ସତ, କିନ୍ତୁ ମାଲକାନଗିରି ସୀମାନ୍ତ ମୋଟୁ ଦେଇ ଯିବ । ବିଶାଖପାଟଣା ପାଖରେ ଲ୍ୟାଣ୍ଡଫଲ୍‌ ସମୟରେ ମାଲକାନଗିରିରେ ୭୦ କିମି ବେଗରେ ପବନ ବହୁଥିବ । ପୂରା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଢାଳିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ବାତ୍ୟା ‘ଅକଭାନ୍’ର ସମ୍ଭାବ୍ୟ ଗତିପଥ ଓ ତୀବ୍ରତାକୁ ନେଇ ଏଭଳି ଆକଳନ କରିଛି ।

    ଆକଳନ ଅନୁସାରେ, ବାତ୍ୟା ଓଡ଼ିଶାରେ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ଥିବ । କିନ୍ତୁ ବାତ୍ୟାର କେନ୍ଦ୍ରୀୟ ବଳୟ ମାଲକାନଗିରି ଉପର ଦେଇଯିବ । ବାତ୍ୟାର ସମ୍ପୂର୍ଣ୍ଣ ବାହ୍ୟବଳୟ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ଉପର ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ପରେ ଓଡ଼ିଶାରେ ପବନ କମିଯିବ । ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷିବ । ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି ।
    ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,  ୧୯ ତାରିଖ ରାତିରୁ ୨୦ ତାରିଖ ଲ୍ୟାଣ୍ଡ୍ଫଲ ପର୍ଯ୍ୟନ୍ତ ପବନର ବେଗ ୧୨୦ରୁ ୧୩୦ କିମି ରହିବ । ଝଟ୍‌କା ପବନ ୧୪୫ କିମି ଛୁଇଁବ । ୨୦ ତାରିଖ ମଧ୍ୟାହ୍ନରେ ଏହା ନେଲୋର ଓ ବିଶାଖପାଟଣା ପାଖ ଟୁନି ଭିତରେ ସ୍ଥଳଭାଗ ଅତିକ୍ରମ କରିବ । ବୁଧବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ଗଜପତି, ଗଞ୍ଜାମ ଓ ପୁରୀରେ ଭାରୀ ବର୍ଷା ହୋଇପାରେ । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ ।
    ଗୁରୁବାର(୧୯ ତାରିଖ) କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ୨୦ ତାରିଖ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଢାଳିବ । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ୨୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଉତ୍ତର ଓଡ଼ିଶାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook