ମୁଖ୍ୟ ଖବର
ଗଞ୍ଜାମ: ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଭାବେ ଆକଳନ କରିଛି କେନ୍ଦ୍ରୀୟ ଟିମ୍ । ବନ୍ୟାରେ ଅଧିକ ପ୍ରଭାବିତ ପୁରୁଷୋତ୍ତମପୁର, ହିଞ୍ଜିଳି, ଆସିକା ଓ ଧରାକୋଟ ବ୍ଲକ୍କୁ ବୁଧବାର ପରିଦର୍ଶନ କରିଛନ୍ତି ଟିମ୍ ସଦସ୍ୟ । ନଦୀବନ୍ଧ, ଜଳସେଚନ ପ୍ରକଳ୍ପ, ଚାଷ ଜମିରେ ବାଲିଚର ମାଡ଼ିଯିବା, ପୋଲ, ରାସ୍ତା, ଚିକିତ୍ସାଳୟ, ବିଦ୍ୟୁତ୍ ଭିତ୍ତିଭୂମି, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବୁଲି ଦେଖିବା ସହ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଚାଷ ଜମିକୁ ଯାଇ ଫସଲ ନଷ୍ଟର ପରିମାଣ ଅନୁଧ୍ୟାନ କରିବା ସହ ଆବଶ୍ୟକ ନମୁନା ମଧ୍ୟ ସଂଗ୍ରହ କରିଛନ୍ତି । ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି ।ଆଠଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର । ଏହି ଟିମ୍ ପୁରୁଷୋତ୍ତମପୁର ବ୍ଲକ୍ର ଆଛୁଲି, ହାଣ୍ଡିଘର, ପ୍ରତାପୁର ଓ ହୀରାଧରବାଟି ଜଳସେଚନ ପ୍ରକଳ୍ପ, ହିଞ୍ଜିଳି ବ୍ଲକ୍ର ଘୋଡ଼ାହାଡ଼ ପୋଲ ଓ ଜୟମଙ୍ଗଳ ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ଆସିକାର ଲକ୍ଷ୍ମୀ ବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକ୍ର ଜାହାଡ଼ା ଗ୍ରାମ ଓ ଜାନିବିଲି ଆନିକଟ ଦେଖିଥିଲେ ।
ବୁଧବାର ଗୋପାଳପୁର ସର୍କିଟ୍ ହାଉସ୍ ଜିଲ୍ଲା ପ୍ରଶାସନ ସହ କେନ୍ଦ୍ରୀୟ ପ୍ରତିନିଧି ଦଳର ସମୀକ୍ଷା ବୈଠକ ହୋଇଥିଲା । ଦକ୍ଷିଣାଞ୍ଚଳ ଆର୍ଡିସି ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାର ବିଭିନ୍ନ ବିଭାଗର କ୍ଷୟକ୍ଷତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ । ବିଭାଗୱାରୀ କ୍ଷତିର ବିବରଣୀ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଉପସ୍ଥାପନ କରାଯାଇଥିଲା । ପୂର୍ବାହ୍ଣରେ ପୁରୁଷୋତ୍ତମପୁର ବ୍ଲକ୍ରେ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ । ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରିଥିଲା । ଆଛୁଲି ଠାରେ ଧାନ ଚାଷ, ଋଷିକୁଲ୍ୟା କୂଳ ହୁଡ଼ାର କ୍ଷତି ଦେଖିବା ସହ କ୍ଷତିଗ୍ରସ୍ତ ଲୋକମାନଙ୍କ ସାଙ୍ଗରେ ଆଲୋଚନା କରିଥିଲେ । ହାଣ୍ଡିଘର ପଞ୍ଚାୟତରେ ଗ୍ରାମ ଉନ୍ନୟନ ବିଭାଗ ରାସ୍ତା ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା, ବିଦ୍ୟୁତ୍ ଖୁଣ୍ଟଗୁଡ଼ିକର ଦୁରାବସ୍ଥା ଦେଖି ବନ୍ୟା କେତେ ଭୟଙ୍କର ବୋଲି ପଚାରିଥିଲେ । ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବା ସହ ପ୍ରତାପୁର ପଞ୍ଚାୟତରେ ଲୋକଙ୍କୁ ପଚାରି ବୁଝିଥିଲେ । ପରେ ହୀରାଧର ବାଟି ଆନିକଟରେ ପହଞ୍ଚି କେନାଲ ପୁନରୁଦ୍ଧାର ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ହିଞ୍ଜିଳି ଥାନା ଅନ୍ତରିଗାଁ ଓ ହିଞ୍ଜିଳି ବ୍ଲକ୍ର ଆଲପୁର ଋଷିକୁଲ୍ୟା ସେତୁ, ଘୋଡ଼ାହାଡ଼ ସେତୁ, ବୁରୁପଡ଼ା, ଖଣ୍ଡରା ଓ ପୋଡ଼ଙ୍ଗୀ ଅଞ୍ଚଳ ବୁଲି ଦେଖିଥିଲେ ଟିମ୍ ସଦସ୍ୟ । କ୍ଷତିଗ୍ରସ୍ତ ଧାନ ଓ ପରିବା ଚାଷ ଜମି, ଭାଙ୍ଗିଥିବା ରାସ୍ତାଘାଟ ଏବଂ ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିଥିଲେ । ଆସିକା ଲକ୍ଷ୍ମୀବଜାର, ନବରତ୍ନପୁର, ଧରାକୋଟର ଜାହାଡା ଆଦି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ । ବନ୍ୟା ଯୋଗୁଁ ଜନଜୀବନ ଉପରେ ପଡ଼ିଥିବା ପ୍ରଭାବର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ ଅଧିକାରୀ । ଜଳମଗ୍ନ ଚାଷ ଜମି, ରାସ୍ତାଘାଟ, ଘରଦ୍ୱାର ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । କେନ୍ଦ୍ରୀୟ ଟିମ୍ର ଗସ୍ତ ପରେ କ୍ଷୟକ୍ଷତିର ପ୍ରକୃତ ଚିତ୍ର ସାମ୍ନାକୁ ଆସିବା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଓ କ୍ଷତିପୂରଣ ମିଳିବ ବୋଲି ଆଶା ରଖିଛନ୍ତି ଜିଲ୍ଲାବାସୀ । କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରାଯିବା ନେଇ ସେମାନେ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ଟିମ୍ ଶେରଗଡ଼ ବ୍ଲକ୍ ଦେଇ ଯିବାବେଳେ ମୁଖ୍ୟ ରାସ୍ତା ପାଶ୍ୱର୍ କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନ କରିଥିବା ଜଣାଯାଇଛି ।
Comments ସମସ୍ତ ମତାମତ