ମୁଖ୍ୟ ଖବର
ଭୁବନେଶ୍ବର: ‘ବିପର୍ଯ୍ୟୟ ପରିଚାଳନା ଓ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ରହିଛି ସୁନାମ । କିନ୍ତୁ ଏଥିପାଇଁ କୌଣସି ପ୍ରକାର ଆତ୍ମସନ୍ତୁଷ୍ଟିରେ ରୁହନାହିଁ ।’ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ । ସମୟୋପଯୁକ୍ତ ପଦକ୍ଷେପ, ମାର୍ଗଦର୍ଶିକାର କଡାକଡି ପାଳନ ଓ ଜରୁରୀକାଳୀନ ସମୟରେ ତ୍ୱରିତ ସୂଚନା ପ୍ରସାର ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାର ସୁନାମକୁ ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ । ଗତକାଲି(ମଙ୍ଗଳବାର) ଲୋକସେବା ଭବନରେ ପ୍ରାକ ବାତ୍ୟା ପ୍ରସ୍ତୁତି ସଂପର୍କିତ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତାରେ କରି ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହ ସମସ୍ତ ବିଭାଗକୁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ପ୍ରସ୍ତୁତି ବ୍ୟବସ୍ଥାର ନିୟମିତ ସମୀକ୍ଷା କରିବା ସହ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ କଡାକଡି ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ‘ବଙ୍ଗୋପସାଗର କୂଳରେ ଭୌଗୋଳିକ ଅବସ୍ଥିତି କାରଣରୁ ଓଡ଼ିଶା ବାତ୍ୟା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ପ୍ରସ୍ତୁତି, ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ପ୍ରଚାର ମାଧ୍ୟମରେ “ଶୂନ୍ୟ ମୃତାହତ” ଲକ୍ଷ୍ୟ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଥିବା ସଂପର୍କରେ ସେ ଉଲ୍ଲେଖ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱରର ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଓଡିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନାହିଁ । ତେବେ ପ୍ରାକ ବାତ୍ୟା ପ୍ରସ୍ତୁତି ସ୍ୱରୂପ ସମସ୍ତ ସ୍ତରରେ ପ୍ରସ୍ତୁତି ଜାରି ରଖିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରାକ ବାତ୍ୟା ପ୍ରସ୍ତୁତି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷମାନେ ସୂଚନା ଦେଇଛନ୍ତି । ଆଇନ ଓ ଶୃଙ୍ଖଳା ଅତିରିକ୍ତ ଡ଼ିଜି ସଞ୍ଜୟ କୁମାର କହିଛନ୍ତି, "ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ମୁତୟନ ନିମନ୍ତେ ୩୦ଟି ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ଜଳ ସମ୍ପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପୂର୍ତ୍ତ, କୃଷି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଗୃହ ଓ ନଗର ଉନ୍ନୟନ ଆଦି ବିଭାଗ ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ପୁନରୁଦ୍ଧାର, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଔଷଧ, ପଶୁଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ସହ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ବନ୍ଧୀୟ ପ୍ରସ୍ତୁତି ସଂପର୍କରେ ବିଭାଗୀୟ ପ୍ରସ୍ତୁତି ନେଇ ସମୀକ୍ଷା ହୋଇଛି ।
ବିଭିନ୍ନ ବିଭାଗକୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ପ୍ରସ୍ତୁତି ସୁନିଶ୍ଚିତ କରିବା, କଣ୍ଟ୍ରୋଲ ରୁମ ସକ୍ରିୟ କରିବା ଓ ଏସଓପି କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ମତ୍ସ୍ୟଜୀବୀଙ୍କ ପାଇଁ ବାତ୍ୟା ସତର୍କତା ସୂଚନାର ପ୍ରଚାର-ପ୍ରସାର ଓ ପ୍ରଭାବଶାଳୀ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଅଗ୍ନିଶମ ସେବା ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର, ଭାରତୀୟ ପାଣିପାଗ ବିଭାଗ, ଓଡ୍ରାଫ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
Comments ସମସ୍ତ ମତାମତ