Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରୟାସ ବୈଠକରେ ସାମାଜିକ କ୍ଷେତ୍ରର ସମୀକ୍ଷା, ବିଭାଗୀୟ ସମନ୍ୱୟ ସୁଦୃଢ଼ କରିବାକୁ ଆହ୍ୱାନ

    Share on :
    ajab-Image
    Date: Aug 30, 2026    Views: 3478

    ଭୁବନେଶ୍ୱର:ସାମାଜିକ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ଯୋଜନା ଓ ସେବାକୁ ଅଧିକ ଫଳପ୍ରଦ କରିବା ପାଇଁ ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲାସ୍ତରରେ ଚିହ୍ନଟ ସମସ୍ୟାର ଶୀଘ୍ର ସମାଧାନ ସହ ତାହାର ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
    ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରେ ଶିଶୁ ଓ ମାତୃ ପୋଷଣକୁ ଅଧିକ ପ୍ରଭାବୀ କରିବା ଉପରେ ଜୋର ଦିଆଯାଇଥିଲା। ଖାଦ୍ୟର ପରିମାଣ ସହିତ ପୃଷ୍ଟିସାର, ସ୍ନେହସାର ଓ ବିଭିନ୍ନ ପୋଷକତତ୍ତ୍ୱର ସମନ୍ୱୟ ମାଧ୍ୟମରେ ପରିବାରସ୍ତରରେ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ପୋଷଣ-ବଗିଚା, ଘରୋଇ ପନିପରିବା ଓ ଫଳଚାଷ, ଚାରା ବଣ୍ଟନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତାଜା ପନିପରିବା ଯୋଗାଣକୁ ବିଭାଗୀୟ ସମନ୍ୱୟରେ ବଢ଼ାଇବାକୁ କୁହାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ମାପ, ଗୃହ ପରିଦର୍ଶନ ଓ ପୋଷଣ ଖାଦ୍ୟ ବଣ୍ଟନକୁ ମଧ୍ୟ ସୁଦୃଢ଼ କରାଯିବ।ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ସ୍ତରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ  ଦକ୍ଷତା ବୃଦ୍ଧି, ଶିକ୍ଷଣ ସାମଗ୍ରୀର ସଠିକ୍ ବ୍ୟବହାର ଏବଂ ଶିକ୍ଷଣ ଫଳାଫଳର ନିୟମିତ ମୂଲ୍ୟାୟନ ଉପରେ ଆଲୋଚନା ହୋଇଥିଲା।

    ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷାରେ ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ, ନବଜାତଙ୍କ ଉନ୍ନତ ଚିକିତ୍ସା ଏବଂ ସଂକ୍ରମଣ ନିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା।୨୦୨୬ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ପାଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଅନୁଧ୍ୟାନ , ହାତ ସଫା ରଖିବା, ଚିକିତ୍ସାଳୟ ପରିସ୍କାର ପରିଚ୍ଛନ୍ନତା, ଜୈବ ଚିକିତ୍ସା ବର୍ଜ୍ୟ ପରିଚାଳନା ଏବଂ ସୁରକ୍ଷା ସାମଗ୍ରୀ ବ୍ୟବହାର ସମ୍ପର୍କିତ ଚିହ୍ନଟ ହୋଇଥିବା ଅଭାବଗୁଡ଼ିକର ସମୟ ସୀମା ମଧ୍ୟରେ ସମାଧାନ ସହ ନିୟମିତ ଯାଞ୍ଚ, କର୍ମଚାରୀଙ୍କ ପୁନଃପ୍ରଶିକ୍ଷଣ ଓ ନିରନ୍ତର ଅନୁଧ୍ୟାନକୁ ସୁଦୃଢ଼ କରାଯାଉଛି ।

    ଆସନ୍ତା ସେପ୍ଟେମ୍ବର ୧ରୁ ‘ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ’ର ୧୦୦ ଦିନିଆ କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ଏକ୍ସ-ରେ ଯାଞ୍ଚ ଆରମ୍ଭ ହେବ।। ଉପଲବ୍ଧ ଏକ୍ସ-ରେ ମେସିନର ସର୍ବାଧିକ ବ୍ୟବହାର, ଦୂରଦୂରାନ୍ତ ଅଞ୍ଚଳରେ ଯାଞ୍ଚ ଶିବିର ଆୟୋଜନ ଏବଂ ଦୈନିକ ଭିତ୍ତିରେ ଯାଞ୍ଚର ଅନୁଧ୍ୟାନ ଓ ରିପୋର୍ଟିଂ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ୩୦ ଜିଲ୍ଲାରେ ନିୟମିତ ତଥ୍ୟଭିତ୍ତିକ ବୈଠକ ଓ ନିରୀକ୍ଷଣ ମାଧ୍ୟମରେ ସେବାର ଗୁଣବତ୍ତା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଅନୁଗୋଳରେ ମାତୃମୃତ୍ୟୁ ହ୍ରାସ ଏବଂ ରାୟଗଡ଼ାରେ ଛାତ୍ରଛାତ୍ରୀଙ୍କ ରକ୍ତହୀନତା ଦୂରୀକରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଦୃଷ୍ଟାନ୍ତ ଭାବେ ଉପସ୍ଥାପନ କରାଯାଇଥିଲା।

    ‘ପ୍ରୟାସ’ ମାଧ୍ୟମରେ ତୃଣମୂଳସ୍ତରରେ ଦାୟିତ୍ୱବୋଧ, ବିଭାଗୀୟ ସମନ୍ୱୟ ଓ ସମୟସୀମା ମଧ୍ୟରେ ସମସ୍ୟା ସମାଧାନ କରି ସାମାଜିକ କ୍ଷେତ୍ରର ସେବାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook