Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚମକିବ କନ୍ଧମାଳ ଯୋଡି ହେବ ବିକାଶ, ପର୍ଯ୍ୟଟନ ଉପରେ ମୁଖ୍ୟ ଶାସନ ସଚିବଙ୍କ ଫୋକସ

    Share on :
    ajab-Image
    Date: Apr 8, 2026    Views: 2887

    ଭୁବନେଶ୍ବର: କନ୍ଧମାଳର ପର୍ଯ୍ୟଟନ, ବିକାଶର ମୂଳ ଆଧାର । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କନ୍ଧମାଳ ଜିଲ୍ଲା ସଂପର୍କିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରି ଏହା କହିଛନ୍ତି । ଜିଲ୍ଲା ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷଣ କରିଥିବା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
    ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତ ଜାନୁଆରୀ ମାସରେ କନ୍ଧମାଳ ଗସ୍ତ କରିଥିଲେ । ଗସ୍ତ ସମୟରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମି ବିକାଶ, ଜୀବିକା ନିର୍ବାହ କାର୍ଯ୍ୟକ୍ରମ, କୃଷି, ପର୍ଯ୍ୟଟନ ବାବଦରେ ସମୀକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟିକୁ ଆସିଥିବା ବିଭିନ୍ନ ସମସ୍ୟାର ସମାଧାନ ସହିତ ଜିଲ୍ଲାରେ ଆଗାମୀ ସମ୍ଭାବନା ସଂପର୍କରେ ଆଲୋଚନା କରିଛନ୍ତି । କନ୍ଧମାଳର ପ୍ରମୁଖ ଆକର୍ଷଣ ଦାରିଙ୍ଗବାଡି ନିକଟସ୍ଥ ଦର୍ଶନୀୟ ସ୍ଥାନ ହିଲ ଭ୍ୟୁ ପାର୍କ, ନେଚର ପାର୍କ, କଫି ବଗିଚା, ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଝରଣା ଓ ଜଳପ୍ରପାତ ଆଦି ସ୍ଥାନ ଗୁଡିକର ବିକାଶ ସଂପର୍କରେ ଆଲୋଚନା ହୋଇଛି । ଦାରିଙ୍ଗବାଡି ଓ ଜିଲ୍ଲାରେ ବିଭିନ୍ନ ଅଂଚଳରେ ପର୍ଯ୍ୟଟନର ବିକାଶ ଓ ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶରେ ସହାୟକ ହେବ ।

    ସେ ସଂପର୍କରେ ପଦକ୍ଷେପ ନେଇ ପର୍ଯ୍ୟଟନ ବିଭାଗର ସଚିବଙ୍କ ସହିତ ଆଲୋଚନା କରି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଦାରିଙ୍ଗବାଡି କଫି ବଗିଚାର ଉନ୍ନତିକରଣ ସହ ଜିଲ୍ଲାରେ ସମନ୍ୱିତ କୃଷି, କନ୍ଧମାଳ ହଳଦି, ମସଲା, ଗୋଲମରିଚ, ଷ୍ଟ୍ରବେରୀ ଚାଷ ଉପରେ ଆଲୋଚନା ହୋଇଛି । ଏଥି ସହିତ ମହୁ, ତେନ୍ତୁଳି ଆଦି ଜଙ୍ଗଲ ଜାତ ଦ୍ରବ୍ୟ ଜୀବିକାର୍ଜନ ସୃଷ୍ଟିରେ ସହାୟକ ହେଉଥିବାରୁ ଏଥି ନେଇ ଉନ୍ନତ ପ୍ୟାକେଜିଂ ବ୍ୟବସ୍ଥା, ବଜାର ସୁବିଧା କରି ସ୍ଥାନୀୟ ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଇଛି । କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଜିଲ୍ଲାର ବିକାଶ ପାଇଁ ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଉପସ୍ଥାପନ କରିଛନ୍ତି ।
    ପର୍ଯ୍ୟଟନ ସହିତ ସମାବେଶୀ ବିକାଶ, ଡିଜିଟାଲ ସଂଯୋଗୀକରଣ ବୃଦ୍ଧି, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ଜଳସେଚନ ସୁବିଧା, ଫୁଲବାଣୀରେ ମେଗା ପାଇପ ଯୋଗେ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ସାରିବା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ସଂଯୋଗୀକରଣ, ରେଳପଥ ସଂଯୋଗୀକରଣ, କନ୍ଧମାଳ-ଗାଜଲବାଡି ରାସ୍ତାର ସଂପ୍ରସାରଣ ଏବଂ ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମିର ଅଧିକ ଉନ୍ନତି ସଂପର୍କରେ ପଦକ୍ଷେପ ନିଆଯିବାକୁ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲାର କୃଷି ଉଦ୍ୟୋଗ, ସମନ୍ୱିତ ଏମଏସଏମଇ ପାର୍କ ସ୍ଥାପନ ରଣନୀତି, ଆଦର୍ଶ ସ୍କୁଲ ଓ ଛାତ୍ରାବାସ ନିର୍ମାଣ, ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ଅଧିକ ଉନ୍ନତି, ଗ୍ରାମୋଦୟ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ ଓ ମୌଳିକ ଆବଶ୍ୟକତା ପୂରଣ ଓ ବିକାଶକୁ ପ୍ରାଥମିକତା, ବିଭିନ୍ନ ଅଂଚଳରେ ପାଠାଗାର ନିର୍ମାଣ, ସୌର ଚାଳିତ ତାରବାଡ ବ୍ୟବସ୍ଥା ଜରିଆରେ କୃଷି କ୍ଷେତ୍ରକୁ ସୁରକ୍ଷା ଦେବା ସଂପର୍କରେ ମଧ୍ୟ ଆଲୋଚନା ହୋଇଛି ।

    ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ପଂଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ, କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ମିଶନ ଶକ୍ତି ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଦକ୍ଷିଣାଞ୍ଚଳ ଆରଡିସିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଭିସି ଜରିଆରେ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook