Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଶୋଧିତ ତୈଳ ଦର ଉପରେ ପଡ଼ିଛି ଯୁଦ୍ଧର ପ୍ରଭାବ

    Share on :
    ajab-Image
    Date: Sep 10, 2026    Views: 2492

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ତେଜୁଥିବାବେଳେ ଏହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡ଼ିଛି । ବୁଧବାର ୧୦୦ ଡଲାର ପାର୍ କରିଯାଇଛି ବ୍ରେଣ୍ଟ୍ କ୍ରୁଡ୍ । ବ୍ୟାରେଲ ପିଛା ଏହା ୧୦୧.୧ ଡଲାର ଛୁଇଁଛି । ସେହିଭଳି ଡବ୍ଲ୍ୟୁଟିଆଇ କ୍ରୁଡ୍ ୯୬.୨୪ ଡଲାର ହୋଇଛି । ବର୍ଦ୍ଧିତ ଦର ଯୋଗୁ ଘରୋଇ ତୈଳ କମ୍ପାନିଗୁଡ଼ିକ ଏବେ ଚାପରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ସତ୍ତେ୍ୱ ଘରୋଇ ବଜାରରେ ଇନ୍ଧନ ଦର ଅପରିବର୍ତ୍ତିତ ଥିବାରୁ ଭାରତୀୟ ତୈଳ ରିଟେଲରମାନେ ଲିଟର ପିଛା ପେଟ୍ରୋଲରେ ୫ ଟଙ୍କା ଏବଂ ଡିଜେଲରେ ୨୩ ଟଙ୍କାର କ୍ଷତି ସହୁଛନ୍ତି । ତୈଳ ଦର ବୃଦ୍ଧି ଯୋଗୁ ଦେଶର ଆମଦାନି ବିଲ୍ ବଢ଼ିବା ସହ ଦରଦାମ ସ୍ଥିତି ଉତ୍କଟ ହେବ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଇକ୍ରା ଲିମିଟେଡ୍ର ବରିଷ୍ଠ ଉପସଭାପତି ଏବଂ କୋ-ଗ୍ରୁପ୍ ହେଡ୍(କର୍ପୋରେଟ ରେଟିଙ୍ଗ୍ସ) ପ୍ରଶାନ୍ତ ବଶିଷ୍ଟ କହିଛନ୍ତି, ଇରାନ ଏବଂ ଆମେରିକା ମଧ୍ୟରେ ଅଶାନ୍ତି ବଢ଼ିବା ଫଳରେ ବ୍ରେଣ୍ଟ୍ କ୍ରୁଡ୍ ୧୦୦ ଡଲାର ଉପରକୁ ଚାଲିଯାଇଛି । ଭାରତୀୟ ବାସ୍କେଟ୍ରେ ଏହା ପାଖାପାଖି ୧୦୯ ଡଲାରକୁ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଭାରତୀୟ ତୈଳ ବିପଣନ କମ୍ପାନିଗୁଡ଼ିକ ଲିଟର ପିଛା ପେଟ୍ରୋଲ ବିକ୍ରିରେ ୫ ଟଙ୍କା, ଡିଜେଲ ବିକ୍ରିରେ ୨୩ ଟଙ୍କା ଏବଂ ସିଲିଣ୍ଡର ପିଛା ଘରୋଇ ଏଲ୍ପିଜି ବିକ୍ରିରେ ୨୦୦ ଟଙ୍କା କ୍ଷତି ସହୁଛନ୍ତି ।
    ବିଶ୍ୱର ତୃତୀୟ ବୃହତ୍ ତୈଳ ଆମଦାନିକାରୀ ଭାରତ ଏହାର ତୈଳ ଆବଶ୍ୟକତାର ୮୮%ରୁ ଅଧିକ ଆମଦାନି କରିଥାଏ । ଏଣୁ ଅଶୋଧିତ ତୈଳ ଦର ବୃଦ୍ଧିର ସବୁଠାରୁ ଅଧିକ ପ୍ରଭାବ ଭାରତ ଅନୁଭବ କରିବ । ଚଳିତବର୍ଷ ଏପ୍ରିଲ-ଜୁଲାଇରେ ଦେଶର ତୈଳ ଆମଦାନି ବିଲ୍ ୫୬%ରୁ ଅଧିକ ବଢ଼ି ୬୩.୪ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ପୂର୍ବ ବର୍ଷ ସମାନ ସମୟରେ ୪୦.୫ ବିଲିୟନ ଡଲାର ଥିଲା । କିନ୍ତୁ ଆମଦାନି ହୋଇଥିବା ତୈଳ ପରିମାଣ ୮୧ ନିୟୁତ ଟନ୍ରେ ସମାନ ରହିଛି । ବଶିଷ୍ଟଙ୍କ କହିବାନୁସାରେ, ଭୂ-ରାଜନୈତିକ ସମସ୍ୟା ଅଧିକ ବିକୃତ ହେଲେ ଅଶୋଧିତ ତୈଳ ଦର ଆହୁରି ବଢ଼ିବ । ତୈଳ ଉପରେ ନିର୍ଭରଶୀଳ କ୍ଷେତ୍ର ଯେପରି ବିମାନ ଚଳାଚଳ, ପେଣ୍ଟ୍, ଟାୟାର, କେମିକାଲ, ଲଜିଷ୍ଟିକ୍ସ ଏବଂ ଏଫ୍ଏମ୍ସିଜି କ୍ଷେତ୍ରର ଲାଭ ସଂକୁଚିତ ହେବ । ମୁଦ୍ରାସ୍ଫୀତି ଚାପ ବଢ଼ିବ । ଅନ୍ୟପକ୍ଷରେ, ଆର୍ବିଆଇ ପକ୍ଷରୁ ସୁଧ ହାର ହ୍ରାସ ସମ୍ଭାବନା କ୍ଷୀଣ ହୋଇଯିବ । ଆଗାମୀ ସମୀକ୍ଷା ବୈଠକରେ ସର୍ବୋଚ୍ଚ ବ୍ୟାଙ୍କ ସୁଧ ହାରକୁ ଅପରିବର୍ତ୍ତିତ ରଖିପାରେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook