Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଘୋଡ଼ାହାଡ଼ ଡ୍ୟାମ୍‌ରେ ୯୫ କୁମ୍ଭୀର

    Share on :
    ajab-Image
    Date: Jan 10, 2026    Views: 3325

    ବ୍ରହ୍ମପୁର/ଦିଗପହଣ୍ଡି: ସରିଛି କୁମ୍ଭୀର ଗଣନା । ବିଗତ ୪ ବର୍ଷରେ ବ୍ରହ୍ମପୁର ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ରୁ ବୃଦ୍ଧି ପାଇ ୯୫ରେ ପହଞ୍ଚିଥିବା ଜଣାପଡ଼ିଛି । ଘୋଡ଼ାହାଡ଼ ଜଳ ଭଣ୍ଡାର ମଧ୍ୟରେ ୧୦ଟି ସେଗମେଣ୍ଟ ସହ ପାଖ ଗାଁରେ ଥିବା ୧୬ଟି ପୋଖରୀକୁ ପୂର୍ବରୁ ଚିହ୍ନଟ କରାଯାଇଥିଲା । ଏହି ସମସ୍ତ ସ୍ଥାନରେ ୩ ଦିନ ଧରି ୨୫ଟି ଟିମ୍ ଗଣନାରେ ନିୟୋଜିତ ଥିଲେ । ବନ ବିଭାଗର ଗଣନା ଅନୁଯାୟୀ, ୨୦୨୨ ବନଖଣ୍ଡରେ କୁମ୍ଭୀର ସଂଖ୍ୟା ୭୬ ରହିଥିବା ବେଳେ ୨୦୨୩ରେ ତାହା ବୃଦ୍ଧି ପାଇ ୮୧ରେ ପହଞ୍ଚିଥିଲା । ସେହିପରି ୨୦୨୪ରେ ୮୪ରେ ଓ ୨୦୨୫ରେ ୮୭ରେ ପହଞ୍ଚିଥିଲା । ଚଳିତ ବର୍ଷ ଗଣନାରେ ଏହି ସଂଖ୍ୟା ବୃଦ୍ଧି ହୋଇ ୯୫ରେ ପହଞ୍ଚିଛି । ଡ୍ୟାମ୍‌ରେ ୬୩ଟି କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୬ଟି ପୋଖରୀରେ ୩୨ଟି କୁମ୍ଭୀର ଚିହ୍ନଟ କରାଯାଇଥିଲା । ରାଜ୍ୟରେ ମଗର କୁମ୍ଭୀରଙ୍କ ସଂରକ୍ଷଣ ପାଇଁ ଘୋଡ଼ାହାଡ଼ ଜଳଭଣ୍ଡାର ଅନ୍ୟତମ ସ୍ଥାନ । ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନିୟମିତ ଏହାର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ କାରଣରୁ କ୍ରମଶଃ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ସହଯୋଗରେ ସଂରକ୍ଷଣ ସମ୍ଭବ ହୋଇଛି । ଯାହାକି ଉଭୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ବନ୍ୟପ୍ରାଣୀ ସଂରକ୍ଷଣରେ ସହାୟକ ହେଉଛି ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋଖର କହିଛନ୍ତି ।

    ​​​​​ବ୍ରହ୍ମପୁର ବନଖଣ୍ଡ ତରଫରୁ ସୋମବାର ଘୋଡ଼ାହାଡ଼ଠାରେ କୁମ୍ଭୀର ଗଣନା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାରଠାରୁ ତିନି ଦିନ ଧରି ଘୋଡ଼ାହାଡ଼ ଓ ଏହାର ଆଖପାଖରେ ଥିବା ଜଳ ଭଣ୍ଡାରରେ କୁମ୍ଭୀର ଗଣନା ହୋଇଥିଲା । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ, ଏସିଏଫ୍ ସସ୍ମିତା ବିଶ୍ୱାଳ, ଗଞ୍ଜାମ ବିଜ୍ଞାନ ମହାବିଦ୍ୟାଳୟର ଜୁଲୋଜି ଅଧ୍ୟାପକ ମହେନ୍ଦ୍ର ସେଠୀ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ ୨୫ଟି ଟିମ୍ କୁମ୍ଭୀର ଗଣନା କରିଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook