ମୁଖ୍ୟ ଖବର
କେନ୍ଦ୍ରାପଡ଼ା: ଶିଶୁ ଯତ୍ନ ଅନୁଷ୍ଠାନରେ ରହି ଜଣେ ନାବାଳିକା ଗର୍ଭବତୀ ହେବା ଘଟଣାରେ ବର୍ତ୍ତମାନ ହରଡ଼ ଘଣାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ମହିଳା ଓ ଶିଶୁ ବିକାଶ ବିଭାଗ ସହ CAW&CW (Crime Against Women & Children Wing) ନିଜ ଆଡୁ ମାମଲା ରୁଜୁଛି । କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟିଲା ସେନେଇ ଗତକାଲି ଏକ ପାଞ୍ଚ ଜଣିଆ ଟିମ୍ ଉକ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ପହଞ୍ଚି ତଦନ୍ତ କରିଥିଲେ । ସେପଟେ ଏହି ଘଟଣା ପରେ ସରକାର ରାଜ୍ୟର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଅନୁଷ୍ଠାନ ମୁଖ୍ୟ ଏବଂ ଦାୟିତ୍ଵରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଛାତିରେ ଛନକା ପଶିଥିବା କହିଛନ୍ତି ସାମାଜିକ କର୍ମୀ ନଗେନ୍ଦ୍ର ଜେନା ।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର CAW&CW (Crime Against Women & Children Wing) କେସ୍ ନମ୍ବର ୫/୨୦୨୬ ରେ ନିଜ ଆଡୁ ମାମଲା କରିଛି । ପୀଡ଼ିତା ଅନ୍ତେବାସୀ ଭାବେ ରହୁଥିବା ସିସିଆଇ ଯାଞ୍ଚ ସମେତ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ସଦର ଥାନାକୁ ଯାଇ CAW ଅଧିକାରୀମାନେ ଯାଞ୍ଚ କରିଥିଲେ ।
CAW&CW, ଅତିରିକ୍ତ ଏସପି ରାଜଲକ୍ଷ୍ମୀ ନାୟକ କହିଛନ୍ତି,"ଜିଲ୍ଲା ପୋଲିସ ତ୍ୱରିତ ପଦକ୍ଷେପ ନେଇଛି । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଆମେ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛୁ । ଶିଶୁ ସୁରକ୍ଷା ଏବଂ ଅଧିକାର ଉପରେ କଥା ଉଠିଛି ତେଣୁ ଘଟଣାକୁ ଅତି ଗୁରୁତ୍ବର ସହ ନେଇ ତଦନ୍ତ କରୁଛୁ । ADGଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଛୁ ।"
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପାଇଁ ଏହି ଘଟଣା ଏକ ନିନ୍ଦନୀୟ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଘଟଣାର ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଇଛି । ବିଭାଗୀୟ ଅଧିକାରୀ ସମସ୍ତେ ଗଣମାଧ୍ୟମରୁ ଦୂରେଇ ରହୁଥିବା ବେଳେ ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟର୍ କହିଛନ୍ତି,"ତଦନ୍ତ ଜାରି ରହିଛି । ଉଭୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତଦନ୍ତ ରିପୋର୍ଟ ସରକାରଙ୍କ ନିକଟକୁ ପଠାଯିବ । ସରକାରଙ୍କ ପକ୍ଷରୁ ଗୋଟିଏ ଗାଇଡ୍ଲାଇନ୍ ଆସିଛି, ସେହି ଅନୁସାରେ ସବୁ ପାଳନ କରାଯାଉଛି । କ୍ରାଇମବ୍ରାଞ୍ଚର CAW&CW ମଧ୍ୟ ତଦନ୍ତ ଆରମ୍ଭ କରିଛି ।"
ଗତ ଜୁନ୍ ୨୫ ତାରିଖରେ ଝାଡ଼ଖଣ୍ଡ CWCକୁ ହସ୍ତାନ୍ତର ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ବିଭାଗ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଓ ଝାଡ଼ଖଣ୍ଡ CWC ମଧ୍ୟ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଭୀମଆର୍ମି ଜିଲ୍ଲା ସଭାପତି ନଗେନ୍ଦ୍ର ଜେନା ।
ସେ କହିଛନ୍ତି," ଏହି ଘଟଣା ସାରା କେନ୍ଦ୍ରାପଡ଼ା ଜିଲ୍ଲା ଓ ରାଜ୍ୟକୁ ଲଜ୍ଜିତ କରିଛି । ଜଣେ ଅସହାୟ ନାବାଳିକାଙ୍କ ପ୍ରତି ଏଭଳି ଅମାନୁଷିକ କାଣ୍ଡ ଭିଆଇଥିବା ଅଭିଯୁକ୍ତମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଆବଶ୍ୟକ । ତେବେ ଏହି ଘଟଣାରେ ପୀଡ଼ିତାଙ୍କ ତିନି ବର୍ଷର ନିରବତା ଏବଂ ତାଙ୍କୁ ଘରେ ଛାଡିବାର ଦୁଇ ମାସ ପରେ ଅଭିଯୋଗକୁ ସହଜରେ ଗ୍ରହଣ କରାଯାଇପାରେ ନାହିଁ କାରଣ ନିୟମ ଅନୁଯାୟୀ କେନ୍ଦ୍ରାପଡ଼ା ପ୍ରଶାସନ ଝାଡ଼ଖଣ୍ଡରେ ପୀଡ଼ିତାଙ୍କୁ ଛାଡ଼ିବା ସମୟରେ ସେଠାରେ ତାଙ୍କର ମେଡ଼ିକାଲ୍ ଯାଞ୍ଚ କରାଯାଇଥିଲା କି ନାହିଁ ? ଏବେ ଏହା ବଡ ପ୍ରଶ୍ନ । ଦ୍ଵିତୀୟରେ ଜଣେ ବାଳ ଅପରାଧୀ (ନାବାଳକ) ଓ ସୁରକ୍ଷାକର୍ମୀ ଏହି ଘୃଣ୍ୟ କାମରେ ଜଡ଼ିତ ଥିବା ପୋଲିସ୍ କହୁଥିବା ବେଳେ ଆହୁରି ଅନେକ ଲୋକଙ୍କର ସମ୍ପୃକ୍ତି ଥାଇପାରେ ଓ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ ।"
Comments ସମସ୍ତ ମତାମତ