ମୁଖ୍ୟ ଖବର
ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ସିରିଜର ଅନ୍ତିମ ଟେଷ୍ଟ ଖେଳାଯିବ । କେପଟାଉନ ରେ ଅନୁଷ୍ଠିତ ହେଉଛି ଭାରତୀୟ କ୍ରିକେଟ ଟିମର ଏହି ନିର୍ଣ୍ଣାୟକ ଲଢେ଼ଇ । ମଇଦାନକୁ ଓହ୍ଲାଇବାକୁ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଅଧିନାୟକ ବିରାଟ କୋହଲି। ଆହତ ଥିବାରୁ ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ଖେଳି ପାରିନଥିଲେ। ସିରିଜ୍ର ଅନ୍ତିମ ଟେଷ୍ଟ ଜିତି ସିରିଜ୍ ଜିତିବା ଲକ୍ଷ୍ୟରେ ରହିବ ବିରାଟ ବାହିନୀ।
ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ, କେପ୍ଟାଉନ୍ରେ ମଙ୍ଗଳବାର ଆକାଶ ମେଘାଚ୍ଛନ୍ନ ରହିବ। ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ପ୍ରଥମ ଦିନ ଲଞ୍ଚ୍ ପୂର୍ବରୁ ବର୍ଷା ଯୋଗୁ ମ୍ୟାଚ୍ ପ୍ରଭାବିତ ହୋଇପାରେ। ତେବେ ଏହା ପରେ ଆକାଶ ପରିଷ୍କାର ରହିବା ସମ୍ଭାବନା ରହିଛି। ଦ୍ୱିପ୍ରହରରେ ବର୍ଷା ପବନର ଆଶଙ୍କା ରହିଛି। କେପ୍ଟାଉନ୍ରେ ବର୍ଷା ହେବାର ସମ୍ଭାବନର ୬୪ ପ୍ରତିଶତ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ ବିଦେଶ ମାଟିରେ କେବଳ ଦକ୍ଷିଣ ଆଫ୍ରିକାକୁ ଛାଡ଼ି ଦେଲେ, ଭାରତ ଅନ୍ୟ ସବୁ ଦେଶରେ ବିଜୟ ବାନା ଉଡ଼ାଇଛି। କିନ୍ତୁ ଦକ୍ଷିଣ ଆଫ୍ରିକା ଆଜି ବି ଭାରତ ପାଇଁ ଅଭେଦ୍ୟ। ଯେବେଠାରୁ ଭାରତ ଟେଷ୍ଟ କ୍ରିକେଟରେ ଅବତରଣ କରିଛି, ସେବେଠାରୁ ଆଜି ପର୍ଯ୍ୟନ୍ତ କେବେ ବି ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ୍ ଜିତି ନାହିଁ। ତେଣୁ ଏଥର ସ୍ୱର୍ଣ୍ଣିମ ଇତିହାସ ସୃଷ୍ଟି ପାଇଁ ବଡ଼ ସୁଯୋଗ ରହିଛି।
ବର୍ତ୍ତମାନ ସିରିଜ୍ ୧-୧ରେ ସମାନ ସ୍ଥିତିରେ ରହିଛି। ଆଜିର ମ୍ୟାଚ୍ ହିଁ କହିବ କିଏ ହାରୁଛି ଆଉ କିଏ ଉଡ଼ାଉଛି ବିଜୟ ବାନା।
Comments ସମସ୍ତ ମତାମତ