ମୁଖ୍ୟ ଖବର
ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ, ଗଜପତିରେ ସବୁଠୁ କମ
କଟକ : ୨୦୧୯ ନଭେମ୍ବର ୨ ତାରିଖ ସୁଦ୍ଧା ଓଡ଼ିଶାର ବିଭିନ୍ନ ଅଦାଲତରେ ପଡି ରହିଛି ମୋଟ ୧୨ ଲକ୍ଷ ୧୭ ହଜାର ୨୨୦ଟି ମାମଲା । ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍ଜେଡିଜେ) ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ରାଜ୍ୟରେ ଏବେ ବିଭିନ୍ନ ଅଦାଲତରେ ୨ ଲକ୍ଷ ୬୦ ହଜାର ୨୨୧ଟି ସିଭିଲ କେସ୍ ଓ ୯ ଲକ୍ଷ ୫୬ ହଜାର ୯୯୯ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି । ବିଚାରାଧୀନ ମାମଲା ମଧ୍ୟରୁ ରାଜ୍ୟରେ ୧ ହଜାର ୩୭୮ଟି ଏପରି ସିଭିଲ ମାମଲା ଅଛି ଯାହା ୩୦ ବର୍ଷ ବା ତା'ଠାରୁ ପୁରୁଣା । ସେହିଭଳି ୨ ହଜାର ୬୭୯ଟି ୩୦ ବର୍ଷ ବା ତା'ଠାରୁ ପୁରୁଣା ଅପରାଧିକ ମାମଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବେ ବିଚାରାଧୀନ ଅବସ୍ଥାରେ ରହିଛି । ଏଭଳି ଭାବେ ୩୦ ବର୍ଷରୁ ଅଧିକ ଦିନ ହେବ ଅଦାଲତରେ ପଡି ରହିଥିବା ମାମଲା ସଂଖ୍ୟା ହେଉଛି ୪ ହଜାର ୫୭ ।
ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୨୬ ହଜାର ୧୫୩ଟି ମାମଲା ବିଚାରାଧୀନ ରହିଛି । ଏଥି ମଧ୍ୟରେ ୩ ହଜାର ୩୪୯ଟି ସିଭିଲ ଓ ୨୨ ହଜାର ୮୦୪ଟି କ୍ରିମିନାଲ ମାମଲା ଅନ୍ତର୍ଭୁକ୍ତ । ୧୦ରୁ ୨୦ ବର୍ଷ ପୁରୁଣା ୧ ଲକ୍ଷ ୪୫ ହଜାର ୬୪୩ଟି ବିଚାରାଧୀନ ମାମଲା ବିଭିନ୍ନ ଅଦାଲତରେ ପଡି ରହିଛି । ଏଥି ମଧ୍ୟରେ ୧୭ ହଜାର ୯୦୨ଟି ସିଭିଲ ଓ ୧ ଲକ୍ଷ ୨୭ ହଜାର ୭୪୧ଟି କ୍ରିମିନାଲ ମାମଲା ରହିଛି । ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୨ ଲକ୍ଷ ୨୩ ହଜାର ୩୨୭ । ୩ରୁ ୫ ବର୍ଷ ପୁରୁଣା ୧ ଲକ୍ଷ ୬୭ ହଜାର ୪୮୦ ମାମଲା ଓ ୧ ବର୍ଷରୁ ୩ ବର୍ଷ ପୁରୁଣା ୨ ଲକ୍ଷ ୯୫ ହଜାର ୨୨୮ ମାମଲା ଏବେ ବିଭିନ୍ନ ଅଦାଲତରେ ବିଚାରାଧୀନ ରହିଛି । ରାଜ୍ୟର ବିଭିନ୍ନ ଅଦାଲତରେ ଏଭଳି ମାମଲା ବର୍ଷବର୍ଷ ଧରି ଗଡ଼ି ଚାଲିଥିବା ବେଳେ ନ୍ୟାୟ ପ୍ରକ୍ରିୟା ବିଳମ୍ବିତ ହେଉଛି । ଏଭଳି ସ୍ଥିତିରେ ଆଇନଜୀବୀଙ୍କ ଆନେ୍ଦାଳନ ଯୋଗୁଁ ଅଦାଲତରେ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହିତ ମାମଲା ଫଇସଲା ପ୍ରକ୍ରିୟା ଅଧିକ ଜଟିଳ ହୋଇଛି ।
ବିଚାରାଧୀନ ମାମଲା ପ୍ରସଂଗରେ ସବୁଠାରୁ ଆଗରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଦାଲତରେ ୧ ଲକ୍ଷ ୩୨ ହଜାର ୮୧୦ଟି ମାମଲା ବିଚାରାଧୀନ ରହିଛି । ଏଥିରେ ରହିଛି ୩୨ ହଜାର ୯୪୨ଟି ସିଭିଲ ଓ ୯୯ ହଜାର ୮୬୮ଟି କ୍ରିମିନାଲ ମାମଲା । ଖୋର୍ଦ୍ଧା ତଳକୁ ରହିଛି କଟକ ଜିଲ୍ଲା । ଜିଲ୍ଲାରେ ଏବେ ୧ ଲକ୍ଷ ୭ ହଜାର ୧୧୫ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି । କଟକ ଜିଲ୍ଲାର ବିଭିନ୍ନ ଅଦାଲତରେ ୨୫ ହଜାର ୭୯୬ ସିଭିଲ କେସ୍ ଓ ୮୧ ହଜାର ୩୧୯ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି । ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର ଜିଲ୍ଲା । ବାଲେଶ୍ୱର ଜିଲ୍ଲାରେ ୨୭ ହଜାର ୫୦୮ଟି ସିଭିଲ ଓ ୭୧ ହଜାର ୩୬୭ କ୍ରିମିନାଲ କେସକୁ ମିଶାଇ ମୋଟ ୯୮ ହଜାର ୮୭୫ଟି ମାମଲା ବିଚାରାଧୀନ ଅବସ୍ଥାରେ ରହିଛି । ଗଜପତି ଜିଲ୍ଲାରେ ସବୁଠାରୁ କମ୍ ୬ ହଜାର ୭୨୨ଟି ମାମଲା ବିଚାରାଧୀନ ରହିଛି । ସେହିଭଳି ଭାବେ ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଅନୁଗୁଳରେ ୫୦ ହଜାର ୨୫ଟି, ବଲାଙ୍ଗୀରରେ ୩୪ ହଜାର ୪୩୫ଟି, ବରଗଡରେ ୩୫ ହଜାର ୮୬୮ଟି, ଭଦ୍ରକରେ ୭୧ ହଜାର ୨୧୨ଟି, ବୌଦ୍ଧରେ ୧୦ ହଜାର ୨୧୦ଟି, ଦେବଗଡରେ ୭ ହଜାର ୪୨୧ଟି, ଢେଙ୍କାନାଳରେ ୩୦ ହଜାର ୫୩୨ଟି, ଗଞ୍ଜାମରେ ୫୬ ହଜାର ୬୩୨ଟି, ଜଗତସିଂହପୁରରେ ୩୭ ହଜାର ୮୫୪ଟି, ଯାଜପୁରରେ ୪୩ ହଜାର ୭୦୮ଟି, ଝାରସୁଗୁଡାରେ ୨୮ ହଜାର ୯୭୨ଟି, କଳାହାଣ୍ଡିରେ ୨୦ ହଜାର ୯୬ଟି, କନ୍ଧମାଳରେ ୧୪ ହଜାର ୩୧ଟି, କେନ୍ଦ୍ରାପଡ଼ାରେ ୨୯ ହଜାର ୩୫୧ଟି, କେନ୍ଦୁଝରରେ ୪୩ ହଜାର ୮୦୯ଟି, କୋରାପୁଟରେ ୨୮ ହଜାର ୮୭୧ଟି, ମାଲକାନଗିରିରେ ୭ ହଜାର ୨୨୧ଟି, ମୟୂରଭଞ୍ଜରେ ୫୧ ହଜାର ୭୬୫ଟି, ନବରଙ୍ଗପୁରରେ ୨୧ ହଜାର ୬୮୨ଟି, ନୟାଗଡରେ ୧୯ ହଜାର ୪୩୧ଟି, ନୂଆପଡାରେ ୯ ହଜାର ୩୬୩ଟି, ପୁରୀରେ ୬୦ ହଜାର ୫୩୪ଟି, ରାୟଗଡାରେ ୧୪ ହଜାର ୬୭୯ଟି, ସମ୍ବଲପୁରରେ ୫୯ ହଜାର ୯୨୩ଟି, ସୋନପୁରରେ ୧୦ ହଜାର ୧୫୮ଟି ଓ ସୁନ୍ଦରଗଡରେ ୭୩ ହଜାର ୯୧୫ଟି ମାମଲା ଏବେ ବିଚାରାଧୀନ ରହିଛି ।
Comments ସମସ୍ତ ମତାମତ