ମୁଖ୍ୟ ଖବର
ପ୍ରୟାଗରାଜ: ଦୁଇଜଣ ସାବାଳକ ମଧ୍ୟରେ ସମ୍ମତିକ୍ରମେ ଦୀର୍ଘ ଦିନ ଧରି ଚାଲିଥିବା ଶାରୀରିକ ସମ୍ପର୍କକୁ 'ଦୁଷ୍କର୍ମ' ଶ୍ରେଣୀଭୁକ୍ତ କରାଯାଇପାରିବ ନାହିଁ । ଏକ କଥିତ ଦୁଷ୍କର୍ମ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଏହା ସହିତ କୋର୍ଟ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ ରାଜୀବ ଲୋଚନ ଶୁକ୍ଲାଙ୍କ ସିଙ୍ଗଲ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଯଦି ଦୁଇଜଣ ଯୁବକଯୁବତୀ ପରସ୍ପରର ସମ୍ମତିରେ ଦୀର୍ଘ ସମୟ ଧରି ସମ୍ପର୍କ ରଖୁଛନ୍ତି, ତେବେ ଏହାକୁ ଅପରାଧ ବୋଲି ବିବେଚନା କରାଯାଇପାରିବ ନାହିଁ । କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେବା ସହ ପୁଲିସ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଲିଭ୍-ଇନ୍-ରିଲେସନ ନେଇ ଅନୁରୂପ ମନ୍ତବ୍ୟ ଦେଇଥିଲେ । ସେହି ମାମଲାରେ ଜଣେ ମହିଳା ନିଜ ସାଥୀଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ । କିନ୍ତୁ ସେମାନେ ଦୀର୍ଘ ଦିନ ଧରି ଏକାଠି ରହୁଥିଲେ ଏବଂ ସେମାନଙ୍କର ଏକ ସନ୍ତାନ ମଧ୍ୟ ଥିଲା । ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ ଯେ, ଯଦି ମହିଳା ଜଣକ ସମ୍ମତିରେ ରହୁଥିଲେ, ତେବେ ସମ୍ପର୍କ ଭାଙ୍ଗିବା ପରେ ଏହା ଦୁଷ୍କର୍ମ କେମିତି ହେଲା ? ଜଷ୍ଟିସ ବି.ଭି. ନାଗରତ୍ନ କହିଥିଲେ ଯେ, ଲିଭ୍-ଇନ୍ ସମ୍ପର୍କରେ ତିକ୍ତତା ଆସିବା ପରେ ପ୍ରାୟତଃ ମହିଳାମାନେ ଦୁଷ୍କର୍ମ ଅଭିଯୋଗ ଆଣିଥାନ୍ତି, ଯାହାକି ଆଇନଗତ ଦୃଷ୍ଟିକୋଣରୁ ସବୁବେଳେ ସଠିକ୍ ନୁହେଁ ।
ଆହ୍ଲାବାଦ ହାଇକୋର୍ଟରେ ହୋଇଥିବା ଶୁଣାଣି ବେଳେ ମହିଳାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଅଭିଯୁକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ଚାରିଜଣ ସ୍ତ୍ରୀ ଅଛନ୍ତି । ସେ ମହିଳାମାନଙ୍କୁ ଶୋଷଣ କରୁଛନ୍ତି । ତେବେ କୋର୍ଟ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଅଭିଯୁକ୍ତଙ୍କ ଅନ୍ୟ ସମ୍ପର୍କ ସହିତ ଏହି ମାମଲାର କୌଣସି ସମ୍ବନ୍ଧ ନାହିଁ । ମୁଖ୍ୟ ବିଷୟ ହେଉଛି ଯେ, ଯେତେବେଳେ ସମ୍ପର୍କ ସମ୍ମତି ଭିତ୍ତିକ ଥିଲା, ସେତେବେଳେ ଅପରାଧର ପ୍ରଶ୍ନ ଉଠୁନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପୁଣି ଥରେ ସ୍ପଷ୍ଟ କରିଛି ଯେ, ବାଲିଗମାନଙ୍କ ମଧ୍ୟରେ ସ୍ୱଇଚ୍ଛାରେ ଗଢ଼ିଉଠିଥିବା ଶାରୀରିକ ସମ୍ପର୍କକୁ ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଶତ୍ରୁତା କିମ୍ବା ମନୋମାଳିନ୍ୟ ଯୋଗୁଁ 'ଦୁଷ୍କର୍ମ'ର ରୂପ ଦିଆଯାଇପାରିବ ନାହିଁ । ଏହା ଆଗାମୀ ଦିନରେ ଏଭଳି ଅନେକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନଜିର ହୋଇ ରହିବ ।
Comments ସମସ୍ତ ମତାମତ