ମୁଖ୍ୟ ଖବର
ନୂଆଦିଲ୍ଲୀ : କରୋନା ପାଇଁ ଏଯାଏଁ କୌଣସି ଟୀକା ବା ଔଷଧ ବାହାରି ପାରିନାହିଁ । ତେବେ କେତେକ ରୋଗର ଔଷଧକୁ ବ୍ୟବହାର କରି କରୋନା ରୋଗୀଙ୍କୁ ସୁସ୍ଥ କରାଯାଇପାରୁଛି ।
୧. କୁଷ୍ଠରୋଗ ଔଷଧ ସେପସିଭାକ : ଚଣ୍ଡୀଗଡ଼ର କରୋନା ରୋଗୀଙ୍କୁ କୁଷ୍ଠରୋଗ ପାଇଁ ବ୍ୟବହୃତ ଔଷଧ ପ୍ରଦାନ କରାଯାଇ ପରୀକ୍ଷା କରାଯାଇଛି । ଏହାଦ୍ୱାରା ସଂକଟାପନ୍ନ ରୋଗୀଙ୍କୁ ରକ୍ଷା କରାଯାଇପାରିବା ସହ ମୃତୁ୍ୟହାର ହ୍ରାସ କରାଯାଇପାରିବ । ଏନେଇ ଆଇସିଏମଆର ଗବେଷଣା କରୁଥିବାବେଳେ ଯଦି ଏହା ସଫଳ ହେବ ତେବେ ସମସ୍ତଙ୍କୁ ଏହି ଔଷଧ ଦିଆଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
୨. ହାଇଡ୍ରୋକ୍ଲୋରୋକୁଇନ : ମ୍ୟାଲେରିଆ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥାଏ । ଆମେରିକା ଭଳି ବିଶ୍ୱର କେତେକ ଦେଶରେ କରୋନା ରୋଗୀଙ୍କୁ ହାଇଡ୍ରୋକ୍ଲୋରୋକୁଇନ ଦିଆଯାଉଛି । କରୋନା ରୋଗୀଙ୍କ ଲକ୍ଷଣ ମଧ୍ୟରେ କେତେକ ମ୍ୟାଲେରିଆର ବି ଲକ୍ଷଣ ରହିଛି । କିନ୍ତୁ ଏହାକୁ ମନଇଚ୍ଛା ସେବନ କରାଗଲେ ପ୍ରତିକୂଳାତ୍ମକ ପ୍ରଭାବ ପରିଲକ୍ଷିତ ହେବାର ଆଶଙ୍କା ରହିଛି ।
୩. ଏଚଆଇଭି ଡ୍ରଗ୍ସ : ଏଚଆଇଭିକୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ କୌଣସି ଔଷଧ ବାହାରି ନାହିଁ । ତେବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏଚଆଇଭି ରୋଗୀଙ୍କ ସ୍ୱତନ୍ତ୍ର ଔଷଧ ଦିଆଯାଉଛି । ତେବେ ଥାଇଲାଣ୍ଡରେ ପ୍ରଥମେ କରୋନା ରୋଗୀଙ୍କୁ ଏଚଆଇଭି ଔଷଧ ଦିଆଯାଇ ଚିକିତ୍ସା କରାଯାଇଥିଲା । ସେହିପରି କେରଳରେ ବି ଏହି ଔଷଧ ଦିଆଯାଇ ସଂକ୍ରମଣକୁ ହ୍ରାସ କରାଯାଇପାରିଥିବା କୁହାଯାଉଛି ।
୪. ଫାଭିଲାଭିର : ଜାପାନରେ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଉଥିବାବେଳେ ଭାରତରେ ବି ଏହାର ପରୀକ୍ଷା ଆରମ୍ଭ ହୋଇଛି । ଶରୀର ଭିତରେ ଯେଭଳି କରୋନା ଭୂତାଣୁ ଅଧିକ ସଂକ୍ରମିତ ନହେବ ଓ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ନପହଁଚାଇବ ତାହାକୁ ଲକ୍ଷ୍ୟ ରଖି ଏହି ଔଷଧ ରୋଗୀଙ୍କୁ ଦିଆଯାଉଛି ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।
୫. ରେମେସଡିଭିର : ଅନେକ ଦେଶରେ କରୋନାର ମୁକାବିଲା ପାଇଁ ଏହି ଔଷଧ ରୋଗୀଙ୍କୁ ଦିଆଯାଉଛି । ଏହା ଅନ୍ୟ ଔଷଧ ତୁଳନାରେ ବେଶୀ ଫଳପ୍ରଦ ହେଉଥିବା ଗବେଷକମାନେ ଦାବି କରିଛନ୍ତି । କରୋନାର ରିକୋଭରି ପିରିୟଡ଼ ୧୫ ଦିନ ଥିବାବେଳେ ଏହି ଔଷଧ ଦ୍ୱାରା ୪ ଦିନରେ ଭଲ ହୋଇପାରୁଛି ବୋଲି କେତେକ ଡାକ୍ତର ମତପୋଷଣ କରିଛନ୍ତି । ଅତୀତରେ ଇବୋଲୋ ରୋଗୀଙ୍କୁ ମଧ୍ୟ ଏହି ଔଷଧ ଦିଆଯାଉଥିଲା । କରୋନା ଭାଇରସ ଇବୋଲା ଫ୍ୟାମିଲିର ହୋଇଥିବାରୁ ଏହି ଔଷଧ ଫଳପ୍ରଦ ବୋଲି ଗବେଷଣାରୁ ଜଣଶପଡ଼ିଛି ।
୬. ପ୍ଳାଜମା ଥେରାପି : ପ୍ଲାଜମା ଥେରାପି ଦ୍ୱାରା ବି କରୋନା ରୋଗୀ ସୁସ୍ଥ ହୋଇପାରୁଛନ୍ତି । ଦିଲ୍ଲୀରେ ଏହା ଦ୍ୱାରା ସଫଳତା ବି ମିଳିଛି । କୋଭିଡ଼ ରୋଗୀ ସୁସ୍ଥ ହେବା ପରେ ତାଙ୍କ ଶରୀରେ ଆଂଟିବଡ଼ି ବିକଶିତ ହୋଇଥାଏ । ତେଣୁ ସେମାନଙ୍କ ଠାରୁ ପ୍ଲାଜମା ନେଇ ଅସୁସ୍ଥ ରୋଗୀଙ୍କୁ ଦିଆଗଲେ ସୁସ୍ଥ ହେଉଥିବାର ନଜିର ବି ରହିଛି । ଏହାର ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଥିବାବେଳେ ପ୍ଲାଜମା ଥେରାପି ନେଇ ଗବେଷଣା ଜାରିରହିଛି ।
Comments ସମସ୍ତ ମତାମତ