Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କରୋନା ଅନାଥଙ୍କୁ ନବୀନଙ୍କ ଉପହାସ : କଂଗ୍ରେସ

    Share on :
    ajab-Image
    Date: Sep 16, 2021    Views: 5057

    ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ଆଶୀର୍ବାଦ ଯୋଜନା ବନ୍ଦ ହୋଇଯିବା ପ୍ରସଙ୍ଗରେ ତୀବ୍ର ପ୍ର୍ରତିକ୍ରିୟା ରଖି କହିଛନ୍ତି ଯେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦିଅନ୍ତି ତାହା କେବଳ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଉର୍ଦ୍ଦିଷ୍ଟ । ୨୦୨୦ ମସିହା ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ ଶିଶୁମାନେ ନିଜର ପିତାମାତା ବା ସେମାନଙ୍କ ମଧ୍ୟରୁ ଜଣେ ବା ପରିବାରର ମୁଖ୍ୟ ରୋଜଗାର ବ୍ୟକ୍ତିଙ୍କୁ ହରାଇଛନ୍ତି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ । ଗତ ଜୁନ ୨୦ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କଲେ । ସବୁଠାରୁ ଦୁଃଖର ବିଷୟ ଏହିକି ଯେ ଯୋଜନା ଘୋଷଣା କରିବାର ୨ ମାସ ୨୪ ଦିନରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି । ସେପ୍ଟେମ୍ବର ୧୫ ତାରିଖରୁ ଏହି ଯୋଜନାଟି ହଠାତ ବନ୍ଦ ହୋଇଗଲା କ’ଣ ପାଇଁ? 
     
    ସୂଚନା ମୁତାବକ ଏପର୍ଯ୍ୟନ୍ତ ୩୧ ହଜାର ପିଲା ଅଭିଭାବକ ମାନଙ୍କୁ ହରାଇଥିବା ସ୍ଥଳେ ମାତ୍ର ୧୦ ହଜାର ପିଲାଙ୍କୁ ଏହି ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ୨୦ ହଜାର ପିଲା ଅପେକ୍ଷାରେ ଅଛନ୍ତି । ଓଡ଼ିଶାର କରୋନା ଅନାଥ ପିଲାଙ୍କୁ ପ୍ରତିଶ୍ରୁତି ଦେଇ ପୁଣି ପ୍ରତାରଣା କରିବା ଦୁର୍ଭାଗ୍ୟଜନକ । ଏବେ ସରକାର କହୁଛନ୍ତି ଆର୍ଥିକ ସଂକଟ ପାଇ ଏ ନିଷ୍ପତି ନେବାକୁ ପଡ଼ୁଛି । ରାଜ୍ୟ ସରକାର ଯଦି ଏତେ ଦୁର୍ବଳ ଏ ସବୁ ଯୋଜନା କରୁଛନ୍ତି କାହିଁକି? ଲୋକଙ୍କୁ ଠକୁଛନ୍ତି କାହିଁକି? କାଳିଆ ଯୋଜନାରେ ପ୍ରତିଶ୍ରୁତି ଦେଲେ ୧୦ ହଜାର ଟଙ୍କା ଦେବା ପାଇଁ ହେଲେ ଏବେ ଦେଉଛନ୍ତି ମାତ୍ର ୨୦୦୦ ଟଙ୍କା ! ବିଜୁ ଯୁବବାହିନୀ ଗଠନ କଲେ, ରାଜକୋଷରୁ ଅର୍ଥ ନଷ୍ଟହେଲା ଏବଂ ପରବର୍ତୀ ସମୟରେ ସେ ଯୋଜନା ମଧ୍ୟ ବନ୍ଦ ହେଲା । ଭୁବନେଶ୍ୱରରେ ମୋ ସାଇକେଲ ଯୋଜନା କଲେ, କୋଟି କୋଟି ଟଙ୍କା ପାଣିରେ ପଡ଼ିଲା । ସାଇକେଲ ସବୁ କବାଡ଼ିଆଙ୍କୁ ବିକ୍ରି ହେଲା । ଯଦି ଅର୍ଥ ନାହିଁ ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୦ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବାପାଇଁ ଯେଉଁ ବାହାସ୍ପୋଟ ମାରିଛନ୍ତି ତାହା ସମ୍ଭବ କରିପାରିବେ ତ? 
    ଆଶୀର୍ବାଦ ଯୋଜନାରେ କତେ ସ୍ୱପ୍ନ ଦେଖାଇଲେ- ୧୮ ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ  କରିବେ, ପିତାମାତାଙ୍କୁ ହରାଇଥିଲେ ମାସିକ ୨୫୦୦ ଟଙ୍କା, ଜଣକୁ ହରାଇଥିଲେ ମାସିକ ୧୫୦୦ ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ବା ଆଦର୍ଶ ବିଦ୍ୟାଳୟ ସ୍ଥାନିତ କରାଇବେ, ଗ୍ରୀନ ପ୍ୟାକେଜ ସ୍ମିକ ମାଧ୍ୟମରେ ଉଚ୍ଚଶିକ୍ଷା ଦେବେ, କରୋନା ଅନାଥର ଅଭିଭାବକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଯୋଜନାରେ ଅନ୍ତର୍ଭୁକ୍ତ କରାଇବେ । ଜଣେବି ପିଲା ଏଥିରୁ ଯେମିତି ବାଦ ନପଡ଼ନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ଲମ୍ବା ଲମ୍ବା ଭାଷଣ ଝାଡ଼ିଲେ । ଏପରିକି ଅନାଥ ପିଲା ସଂପତି ସୁରକ୍ଷା ଦାୟୀତ୍ୱ ସରକାର ନେବେ ବୋଲି ତାହା ମଧ୍ୟ ସ୍ଥିର ହୋଇ ପଡ଼ିଲା । ରାଜ୍ୟବାସୀ ଭାବିଲେ ଏ ମୁଖ୍ୟମନ୍ତ୍ରୀ ଜଣେ ଉଦାର ହୃଦୟର ବ୍ୟକ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର କଥା ଆଉ କାର୍ଯ୍ୟରେ ଆକାଶ ପାତାଳ ତଫାତ ବୋଲି ତାହା ସ୍ପଷ୍ଟ ହୋଇପଡ଼ିଛି । ଆଶୀର୍ବାଦ ଯୋଜନାକୁ ନେଇ ଏ ରାଜ୍ୟର କରୋନା ଅନାଥପିଲାଙ୍କର ଭବିଷ୍ୟତ ସୁରକ୍ଷିତ ହେବ ବୋଲି ସମସ୍ତେ ଭାବିିଥିଲେ ମାତ୍ର, ମୁଖ୍ୟମନ୍ତ୍ରୀ ସବୁ ଓଲଟପାଲଟ କରିଦେଲେ । କରୋନା ସରିନି, ତୃତୀୟ ଲହର କରୋନା ମାଡ଼ି ଆସୁଛି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଯୋଜନା ବନ୍ଦ ହୋଇଗଲା । ପ୍ରତିଶ୍ରୁତି ଦେଇ ଏପରି ବିଶ୍ୱାସଘାତକତାକୁ ରାଜ୍ୟବାସୀ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତିର ପୁନଃବିଚାର କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook