ମୁଖ୍ୟ ଖବର
ଭୁବନେଶ୍ବର: 'ରାଜ୍ୟରେ ୟୁ ଟର୍ଣ୍ଣ ସରକାର ଚାଲିଛି '। ଏଭଳି ଅଭିଯୋଗ ଆଣିଛି ଓଡି଼ିଶା ପ୍ରଦେଶ କଂଗ୍ରେସ । ସରକାର ନିଷ୍ପତ୍ତି ନେଉଛନ୍ତି ପରେ ପୁଣି ସେହି ନିଷ୍ପତ୍ତିକୁ ପରିବର୍ତ୍ତନ କରୁଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ନିଷ୍ପତ୍ତିକୁ ବାରମ୍ବାର ପରିବର୍ତ୍ତନ କରିବା, ଯାହା ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ବୋଲି କହିଛି କଂଗ୍ରେସ । ଗତକାଲି (ସୋମବାର) ରାଜ୍ୟ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ମୋହନ ସରକାର ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସର ମୁଖପାତ୍ର ସୋନାଲି ସାହୁ । ସେପଟେ କଡ଼ା ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ । ସେ କହିଛନ୍ତି,"ଆମ ସରକାର ଲୋକଙ୍କ ପାଇଁ ସମ୍ବେଦନଶୀଳ, ତେଣୁ ଲୋକଙ୍କ ହିତରେ ନିଷ୍ପତ୍ତି ପରିବର୍ତ୍ତନ ହେଲେ କୌଣସି ଅସୁବିଧା ନାହିଁ ।"
କଂଗ୍ରେସର ମୁଖପାତ୍ର ସୋନାଲି ସାହୁ କହିଛନ୍ତି,"୧୯ ମାସର ସରକାର ୧୯ ଥରରୁ ଅଧିକ ନିଷ୍ପତ୍ତି ଉପରେ ୟୁ ଟର୍ଣ୍ଣ ନେଇଛନ୍ତି । ରାଜ୍ୟରେ ୟୁ-ଟର୍ଣ୍ଣ ସରକାର ଚାଲିଛି । ବିଜେପି କ୍ଷମତାକୁ ଆସିବା ପରେ, ରତ୍ନଭଣ୍ଡାର ଗଣତି-ମଣତି ହେବ କହିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ । SC, STଙ୍କ ଜମି ବିକ୍ରି ପାଇଁ ଆଇନ ଆଣିବେ କହିଲେ ପରେ ଚୁପ ହୋଇଗଲେ । ଜାନୁଆରୀ ୧ ରୁ ପୁରୀ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ନାଁ ପରିବର୍ତ୍ତନ କରି ଓଡ଼ିଶା କ୍ରୀଡା ସମ୍ମାନ କରିବେ ବୋଲି ସକାଳେ କହିଲେ ହେଲେ ମୁଖ୍ୟମନ୍ତ୍ରୀ ପରେ କହିଲେ ସେମିତି କୌଣସି ପ୍ରସ୍ତାବ ନାହିଁ । ଶ୍ରୀମନ୍ଦିରର ୪ ଦ୍ଵାର ଖୋଲିବେ ବୋଲି କହିଲେ ପରେ ନିଷ୍ପତ୍ତିକୁ ପରିବର୍ତ୍ତନ କଲେ । ସେହିପରି ଗୁଟଖା ବ୍ୟାନ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ହେଲେ ସେଥିରେ ମଧ୍ୟ ୟୁ ଟର୍ଣ୍ଣ ମାରିଲେ ରାଜ୍ୟ ସରକାର ।"
ସେ ଆହୁରି ମଧ୍ୟ କହିଛନ୍ତି,"ସରକରାର ଠିକା ପ୍ରଥା ଉଚ୍ଛେଦ କରିବେ ବୋଲି କହିଥିଲେ କିନ୍ତୁ ଏହି ନିଷ୍ପତ୍ତିରେ ମଧ୍ୟ ୟୁ ଟର୍ଣ୍ଣ ମାରିଲେ, ସେହିଭଳି ସମୁଦ୍ର ବେଳାଭୂମିରେ ମଦ ବନ୍ଦ କରିବାକୁ କହି ପୁଣି ନିଷ୍ପତ୍ତିକୁ ବଦଳାଇଲେ । ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପ ଗୁଡ଼ିକରେ ପେଟ୍ରୋଲ ମିଳିବ ନାହିଁ କହିଲେ, ପୁଣି ନିଷ୍ପତ୍ତିକୁ ପରିବର୍ତ୍ତନ କରି ୟୁ ଟର୍ଣ୍ଣ ମାରିଲେ ସରକାର । କୋଟି କୋଟି ଟଙ୍କା ଫାଇନ ଆଦାୟ କରି ଚଳୁ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନେଇଥିଲେ ସରକାର । ଏହାସହ ବିଧାୟକ ଦରମା ବୃଦ୍ଧି, ଛାତ୍ର ସାଂସଦ ନିର୍ବାଚନ, ମାଗଣା ୩୦୦ ୟୁନିଟ ବିଜୁଳି ନିଷ୍ପତିରେ ମଧ୍ୟ ୟୁ ଟର୍ଣ୍ଣ ମାରିଥିଲେ ସରକାର । ଏପରିକି ସକାଳେ କହିଲେ ପଞ୍ଚାୟତ ନିର୍ବାଚନ ଶୀଘ୍ର ହେବ କିନ୍ତୁ ସନ୍ଧ୍ୟାରେ ସଚିବ କହିଲେ ଯେଉଁ ସମୟରେ ପଞ୍ଚୟତ ନିର୍ବାଚନ ହେବା କଥା ତାହା ହେବ। ସରକାର ଏବଂ ସଚିବ ମଧ୍ୟରେ ତାଳମେଳ ରହୁନାହିଁ । ସୁଭଦ୍ରା ଯୋଜନାରେ ଗୋଟିଏ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବ ବୋଲି କହି ୫ ବର୍ଷରେ ୫୦ ହଜାର ଦେଲେ । ଜମାକାରୀଙ୍କୁ ଚିଟ୍ ଫଣ୍ଡ୍ ଟଙ୍କା ଫେରାଇବା ନିଷ୍ପତ୍ତି, ମାଗଣାରେ ଅଭଡ଼ା ସେବା ଭଳି ନିଷ୍ପତ୍ତିରେ ମଧ୍ୟ ରାଜ୍ୟ ସରକାର ୟୁଟର୍ଣ୍ଣ ନେଇଥିଲେ । "
Comments ସମସ୍ତ ମତାମତ