Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପିସିସି ପୁନର୍ଗଠନ ନେଇ ବିଳମ୍ବ: ନିରଞ୍ଜନ ଗଲେ ଦିଲ୍ଲୀ

    Share on :
    ajab-Image
    Date: Nov 5, 2019    Views: 1925

    ଭୁବନେଶ୍ୱର : ଦୀପାବଳି ପରେ ପିସିସି ପୁନର୍ଗଠନ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ । ତେବେ ରାଜ୍ୟର କେତେକ ବରିଷ୍ଠ କଂଗ୍ରେସ ନେତା ପିସିସି ସଭାପତି ପରିବର୍ତ୍ତନ ନେଇ ଯେଉଁ ମେଳି କରିଛନ୍ତି ସେଥିପାଇଁ ପିସିସି ପୁନର୍ଗଠନ ପ୍ରକି୍ରୟା ବିଳମ୍ବିତ ହୋଇଛି ।
    ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଆସନ୍ତାକାଲି ବିଭିନ୍ନ ରାଜ୍ୟର କଂଗ୍ରେସ କମିଟି ସଭାପତିଙ୍କ ବୈଠକ ଡାକିଥିବାରୁ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଯାଇଥିବା କୁହାଯାଇଛି । ଅନ୍ୟ ପକ୍ଷରେ ସଭାପତି ପରିବର୍ତ୍ତନ ନେଇ ଯେଉଁମାନେ ମିଶନରେ ବାହାରିଛନ୍ତି ସେମାନେ ୧୨ ତାରିଖରେ ଦିଲ୍ଲୀ ଯାଇ ସୋନିଆଙ୍କୁ ସାକ୍ଷାତ କରି ବିଧାୟକ ମହମ୍ମଦ ମୋକିମଙ୍କ ନାମ ପ୍ରସ୍ତାବ ଦେବାର କାର୍ଯ୍ୟକ୍ରମ ରହିଛି । ନିରଞ୍ଜନଙ୍କୁ ପରିବର୍ତ୍ତନ କରି ମୋକିମଙ୍କୁ ସଭାପତି କରିବା ନେଇ ରାଜ୍ୟ ନେତୃବର୍ଗଙ୍କ ସମର୍ଥନ ଜୁଟାଇବା ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟି ସୋମବାର ଆଲୋଚନା କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ବିଶ୍ୱାଳ ଦିଲ୍ଲୀରେ ଆଲୋଚନା କରିବେ ବୋଲି କହିଛନ୍ତି । ରାଜ୍ୟ କଂଗ୍ରେସର ନବକଳେବର ପାଇଁ ଗୋଟିଏ ଗୋଷ୍ଠୀ ଅଣ୍ଟା ଭିଡ଼ି ଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ରାଜନୈତିକ ମହଲ ଗୁରୁତ୍ୱ ଦେଇଛି । ଅନ୍ୟଏକ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରୀ ପଟ୍ଟନାୟକ ବିଭିନ୍ନ ଜିଲ୍ଲା କମିଟି ଜିଲ୍ଲା ସଭାପତିଙ୍କ ପୁର୍ନଗଠନ ତାଲିକା ନେଇ ଯାଇଛନ୍ତି ।
    ଏ ସମ୍ପର୍କରେ ଏଆଇସିସି ସହ ସେ ଆଲୋଚନା କରିପାରନ୍ତି । ସୋନିଆ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷା ଭାବେ ଅନ୍ତରୀଣ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶାର ପିସିସି କମିଟି ସମେତ ଅନ୍ୟାନ୍ୟ ସବୁ କମିଟି ଭାଙ୍ଗି ଦେଇଥିଲେ ।
    ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପୂର୍ବପରି ଓଡ଼ିଶା ଦାୟିତ୍ୱ ନିର୍ବାହ କରିବାକୁ କହିଥିଲେ । ଇତି ମଧ୍ୟରେ ତିନି ମାସ ଅତିକ୍ରାନ୍ତ ହୋଇଥିବା ବେଳେ ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଶ୍ରୀ ପଟ୍ଟନାୟକ ପୁନର୍ଗଠନ ପାଇଁ ଅଣ୍ଟା ଭିଡ଼ିବା ପୂର୍ବରୁ ପିସିସି ପରିବର୍ତ୍ତନ ସ୍ୱର ରାଜ୍ୟରେ ଶାଣିତ ହୋଇଛି । ବିଧାୟକ ସୁରେଶ ରାଉତରାୟ ଏଭଳି ମେଳିକୁ ନାପସନ୍ଦ କରିଛନ୍ତି । ତେବେ ସୋନିଆ ଗାନ୍ଧିଙ୍କ ଉପରେ ଛାଡ଼ି ଦିଆଯାଉ ସେ ଯାହାକୁ ସଭାପତି କରିବେ ଆମେ ତାଙ୍କୁ ନେଇ ଚଳିବୁ ବୋଲି କହିଛନ୍ତି ।
    ପୂର୍ବତନ ପିସିସି ସମ୍ପାଦକ ଚିନ୍ମୟ ସୁନ୍ଦର ଦାସ କହିଛନ୍ତି ଯେ ସଭାପତି ପରିବର୍ତ୍ତନ ନେଇ ଗଣମାଧ୍ୟମକୁ ନ ଯାଇ ଦଳୀୟ ଫୋରମରେ ଆଲୋଚନା ହେଉ । ଗୋଷ୍ଠୀ ହେବା ଦ୍ୱାରା କର୍ମୀ ଓ ଜନତାଙ୍କୁ ଖରାପ ବାର୍ତ୍ତା ଯାଉଛି । ପିସିସି ପୁନର୍ଗଠନ ନେଇ ଶ୍ରୀ ପଟ୍ଟନାୟକ ପୂର୍ବରୁ କହିଥିଲେ ଯେ ବୃହତ କମିଟି ନ କରି ଛୋଟିଆ କମିଟି କରାଯିବ ।
    ଏହି କମିଟିରେ ଯୁବ ଓ ମହିଳାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଶ୍ରୀ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ପୁନର୍ଗଠନ ସ୍ୱରୂପ ଜଣାପଡ଼ିବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook