ମୁଖ୍ୟ ଖବର
ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ସେ ନେଇ କୌଣସି ଧାରଣା ନାହିଁ ବୋଲି କହି ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ତୀବ୍ର ବର୍ଷିଛନ୍ତି।ଗୁରୁବାର ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟାଳୟ ଗସ୍ତ କରିଥିବା ଖଡ଼ଗେ କହିଥିଲେ, “ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ସେ ବିଷୟରେ କୌଣସି ଧାରଣା ନାହିଁ।”
ସେ କହିଥିଲେ, ମୋଦି ନିଜେ ସ୍ୱୀକାର କରୁଛନ୍ତି ଯେ କମ୍ପାନୀଗୁଡ଼ିକ କେବଳ ଲାଭ ପଛରେ ଦୌଡ଼ୁଛନ୍ତି। ସେମାନେ ନା ନିଯୁକ୍ତି ସୃଷ୍ଟି କରୁଛନ୍ତି, ନା ନିବେଶ କରୁଛନ୍ତି। “ଆମେ ବର୍ଷ ବର୍ଷ ଧରି ଏହି କଥା କହି ଆସୁଛୁ। କିନ୍ତୁ ମୋଦି କେବେ ଆମ କଥା ଶୁଣନ୍ତି ନାହିଁ। ମୋଦି ଧନୀଙ୍କ ପାଇଁ ସବୁ କିଛି କରୁଛନ୍ତି, କିନ୍ତୁ ଗରିବଙ୍କ ପାଇଁ କିଛି କରୁନାହାନ୍ତି। ତାଙ୍କର ‘ଡବଲ୍ ଇଞ୍ଜିନ୍’ ସରକାର ବିଫଳ ହେଉଛି,” ବୋଲି ଖଡ଼ଗେ କହିଥିଲେ।ଉତ୍ତରପ୍ରଦେଶ ସରକାର ରାହୁଲ ଗାନ୍ଧୀଙ୍କୁ ଭୟ କରୁଛନ୍ତି ବୋଲି ଖଡ଼ଗେ କହିବା ସହ କଂଗ୍ରେସ କର୍ମୀମାନଙ୍କୁ ଦଳକୁ ଆହୁରି ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ବିଧାନ ପ୍ରଣୟନରେ ଉତ୍ତରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା ବୋଲି ସେ କହିଥିଲେ।ଖଡ଼ଗେ କହିଥିଲେ, “ଭାରତ ସରକାର ଆଇନ, ୧୯୩୫କୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା କଂଗ୍ରେସ। ସମ୍ବିଧାନ ପ୍ରଣୟନ ପ୍ରକ୍ରିୟାରେ ଭୀମରାଓ ଆମ୍ବେଦକରଙ୍କୁ ସାମିଲ କରିବା ଏକ ଐତିହାସିକ ନିଷ୍ପତ୍ତି ଥିଲା।”
ସେ ଆହୁରି କହିଥିଲେ, “ଯେତେବେଳେ କଂଗ୍ରେସ ପକ୍ଷରୁ ଆମ୍ବେଦକରଙ୍କୁ ଖସଡ଼ା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା, ସେତେବେଳେ ଆମ୍ବେଦକର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ ଯେ ସେ କଂଗ୍ରେସ ବିରୋଧରେ ଅନେକ କଥା କହି ଆସିଛନ୍ତି, ତଥାପି ତାଙ୍କୁ ଏହି ଦାୟିତ୍ୱ ପାଇଁ ଚୟନ କରାଯାଇଛି। ଶେଷରେ ସେ ଏହି ପ୍ରସ୍ତାବକୁ ଗ୍ରହଣ କରି ଖସଡ଼ା କମିଟିର ଅଧ୍ୟକ୍ଷ ହୋଇଥିଲେ।”
ସମ୍ବିଧାନର ସୁରକ୍ଷା ପାଇଁ ଗାନ୍ଧୀ ଏକ ଯାତ୍ରା କରିଥିଲେ ବୋଲି ଖଡ଼ଗେ କହିଥିଲେ। ସେ କହିଥିଲେ, “କଂଗ୍ରେସ ଦଳ କେବେ ବି ଶେଷ ହେବ ନାହିଁ। ଆମର ୧୪୦ରୁ ୧୪୧ ବର୍ଷର ଇତିହାସ ରହିଛି। ଏତେ ବର୍ଷ ମଧ୍ୟରେ ଯଦି ଦଳ ଶେଷ ହୋଇନାହିଁ, ତେବେ ଏବେ କ’ଣ ଶେଷ ହୋଇଯିବ? ଆମ ପାଖରେ ଏବେ ଏଭଳି ଜଣେ ନେତା ଅଛନ୍ତି, ଯିଏ କାହାକୁ ଭୟ କରନ୍ତି ନାହିଁ ଏବଂ ଯାହାଙ୍କୁ କେହି ଧମକାଇ ପାରିବେ ନାହିଁ।”
ଦଳ ଭିତରେ କିଛି ଲୋକ ଅତ୍ୟଧିକ ଭୟଭୀତ ରହୁଛନ୍ତି ବୋଲି କହି ଖଡ଼ଗେ ସେମାନଙ୍କୁ ବିଜେପିରେ ଯୋଗ ଦେବା କିମ୍ବା ଘରେ ବସି ରହିବାକୁ କହିଥିଲେ। ସେ କହିଥିଲେ, “ଆର୍ଏସ୍ଏସ୍ ମୌଳିକ ଭାବେ ସମ୍ବିଧାନର ବିରୋଧୀ। ଅତୀତରେ ମଧ୍ୟ ଏହା ଥିଲା ଏବଂ ଆଜି ମଧ୍ୟ ରହିଛି।”
ଏଥିସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ମୋଦିଙ୍କ ମଧ୍ୟରେ ଭୋଟ୍ ଚୋରି କରିବା ପାଇଁ ମେଣ୍ଟ ହୋଇଥିବା ଖଡ଼ଗେ ଅଭିଯୋଗ କରିଥିଲେ।
ଉତ୍ତରପ୍ରଦେଶବାସୀ ବିଜେପିକୁ ପରାସ୍ତ କରିଛନ୍ତି ବୋଲି ଖଡ଼ଗେ କହିଥିଲେ। ସେ କହିଥିଲେ, “ମୋଦି ନିଜର ସାଧାରଣ ସଭାଗୁଡ଼ିକରେ ‘ଆମେ ୪୦୦ରୁ ଅଧିକ ଆସନ ଜିତିବୁ’ ବୋଲି ଦାବି କରୁଥିଲେ। କିନ୍ତୁ ଉତ୍ତରପ୍ରଦେଶର ଜନସାଧାରଣ ତାଙ୍କୁ ପରାସ୍ତ କରିଛନ୍ତି। ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ପରାଜିତ ହୋଇଛି।”
ସେ ଆହୁରି କହିଥିଲେ, “ନିଜର ପଦବୀ ବଞ୍ଚାଇବା ପାଇଁ ମୋଦି ଏବେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତୀଶ କୁମାରଙ୍କ ପାଦ ଧରି ରହିଛନ୍ତି। ଯେଉଁଦିନ ସେମାନେ ନିଜର ସମର୍ଥନ ପ୍ରତ୍ୟାହାର କରିନେବେ, ସେଦିନ ମୋଦି ଶୂନ୍ୟରେ ଝୁଲି ରହିଯିବେ।”
Comments ସମସ୍ତ ମତାମତ