ମୁଖ୍ୟ ଖବର
ଭୁବନେଶ୍ୱର: ୨୬ ବର୍ଷର ରାଜନୈତିକ ବନବାସ, ଏବେ କି ବଦଳିବ କଂଗ୍ରେସର ଭାଗ୍ୟ ? ସଂଗଠନକୁ ସଜାଡ଼ିବା ପାଇଁ ଦିଆଯାଇଥିବା ଟାସ୍କର ହେବ ଅଡିଟ୍ । ନେତାଙ୍କ ପରଫର୍ମାନ୍ସ କାର୍ଡ ଖୋଲିବେ ନୂଆ ପ୍ରଭାରୀ । କିଏ କେତେ କାମ କରିଛି, କିଏ କେବଳ ବୈଠକରେ ସୀମିତ ରହିଛି ଏବଂ କିଏ ସଂଗଠନକୁ ଗ୍ରାଉଣ୍ଡକୁ ନେଇଛି, ତାର ହେବ ସମୀକ୍ଷା। ଜୁଲାଇ ୧୫ରୁ ୧୭ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ । ସଂଗଠନକୁ ତୃଣମୂଳରୁ ସଜାଡ଼ିବା, ପଞ୍ଚାୟତ ନିର୍ବାଚନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଓ ବିଜେପି ସରକାର ବିରୋଧରେ ଆକ୍ରମଣାତ୍ମକ ରଣନୀତି ପ୍ରସ୍ତୁତ କରିବାକୁ ଏହି ଗସ୍ତକୁ ରାଜ୍ୟ କଂଗ୍ରେସ ପାଇଁ ଟର୍ଣ୍ଣିଂ ପଏଣ୍ଟ ବୋଲି ଦେଖାଯାଉଛି ।
ଓଡ଼ିଶା କଂଗ୍ରେସକୁ ପୁଣିଥରେ ଗ୍ରାଉଣ୍ଡରେ ସକ୍ରିୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆ ପ୍ରଭାରୀ ଲାଲଜୀ ଦେଶାଇ । ଜୁଲାଇ ୨ରେ ପ୍ରଥମ ଓଡ଼ିଶା ଗସ୍ତରେ ଆସି ସେ ବରିଷ୍ଠ ନେତା, ବିଧାୟକ, ଜିଲ୍ଲା ସଭାପତି ଓ ସଂଗଠନର ବିଭିନ୍ନ ଶାଖା ସହ ମାରାଥନ ବୈଠକ କରିଥିଲେ । ସେତେବେଳେ ପ୍ରତ୍ୟେକ ନେତାଙ୍କୁ ଅଲଗା ଅଲଗା ଦାୟିତ୍ୱ ଦେଇ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏବେ ତିନି ଦିନିଆ ଗସ୍ତରେ ସେହି ଟାସ୍କର ହେବ ଅଡିଟ୍ । କେତେ ଜିଲ୍ଲାରେ ସଂଗଠନ ସକ୍ରିୟ ହୋଇଛି, କେତେ ବୁଥରେ କମିଟି ଗଠନ ହୋଇଛି, କେତେ ଜନସମ୍ପର୍କ କାର୍ଯ୍ୟକ୍ରମ ହୋଇଛି ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ କେତେ ବଢ଼ିଛି, ସେସବୁର ଟିକିନିଖି ସମୀକ୍ଷା କରିବେ ପ୍ରଭାରୀ ।ଏଥରର ଗସ୍ତରେ କେବଳ ସମୀକ୍ଷା ନୁହେଁ, ରହିଛି ଭବିଷ୍ୟତର ରୋଡମ୍ୟାପ୍, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବେ । ଜିଲ୍ଲା ସଭାପତିଙ୍କ ସହ ପୃଥକ ବୈଠକ କରି ପ୍ରତ୍ୟେକ ଜିଲ୍ଲାର ରାଜନୈତିକ ସ୍ଥିତି, ବୁଥ୍ ମ୍ୟାନେଜମେଣ୍ଟ, ସଦସ୍ୟ ସଂଗ୍ରହ ଅଭିଯାନ, ଜନସମ୍ପର୍କ କାର୍ଯ୍ୟକ୍ରମ ଓ ସରକାର ବିରୋଧୀ ଆନ୍ଦୋଳନର ବ୍ଲୁ-ପ୍ରିଣ୍ଟ ଚୂଡ଼ାନ୍ତ ହେବ ।
କଂଗ୍ରେସ ଆଉ କେବଳ ବିବୃତ୍ତିରେ ସୀମିତ ରହିବ ନା ରାଜରାସ୍ତାରେ ସଂଘର୍ଷ କରିବ, ସେଥିପାଇଁ ମଧ୍ୟ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେବ । ୨୦୦୦ ମସିହା ପରଠାରୁ ଓଡ଼ିଶାରେ କଂଗ୍ରେସ କ୍ଷମତାଠାରୁ ଦୂରରେ । ବିଜେଡିର ଦୀର୍ଘ ଶାସନ ଓ ବର୍ତ୍ତମାନ ବିଜେପି ସରକାର ମଧ୍ୟରେ କଂଗ୍ରେସ ନିଜର ରାଜନୈତିକ ସ୍ଥାନକୁ ସୁଦୃଢ଼ କରିପାରିନାହିଁ । ସଂଗଠନ ଦୁର୍ବଳତା, ଗୋଷ୍ଠୀ କନ୍ଦଳ, ନେତୃତ୍ୱ ସଙ୍କଟ ଓ ତୃଣମୂଳ ସ୍ତରରେ ସକ୍ରିୟତାର ଅଭାବକୁ ନେଇ ଦୀର୍ଘ ଦିନ ଧରି ପ୍ରଶ୍ନ ଉଠିଆସୁଛି । ସେଥିପାଇଁ ନୂଆ ପ୍ରଭାରୀଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସଂଗଠନକୁ ଏକାଠି କରିବା, କର୍ମୀଙ୍କ ମନୋବଳ ବଢ଼ାଇବା ଏବଂ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ବୋଲି କହିଛନ୍ତି, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ।ଜୁଲାଇ ୧୭ରେ କଟକରେ ରାହୁଲ ଗାନ୍ଧିଙ୍କ ଆହ୍ୱାନ କ୍ରମେ ଆୟୋଜିତ "ଛାତ୍ର କି ଗୁଞ୍ଜ" କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ଲାଲଜୀ ଦେଶାଇ । ଛାତ୍ର ଓ ଯୁବ ସଂଗଠନକୁ ସକ୍ରିୟ କରିବା, ବେକାରୀ, ଶିକ୍ଷା, ନିଯୁକ୍ତି ଓ ଯୁବ ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ । ଏହାସହ ଆଗାମୀ ଦିନରେ ମହଙ୍ଗାମାଡ଼, ବେକାରୀ, କୃଷକ ସମସ୍ୟା, ମହିଳା ସୁରକ୍ଷା ଓ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ କିପରି ଆକ୍ରମଣାତ୍ମକ ଆନ୍ଦୋଳନ କରାଯିବ, ସେଥିପାଇଁ ମଧ୍ୟ ଚୂଡ଼ାନ୍ତ ରଣନୀତି ହେବ ବୋଲି ମତ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ।ଲାଲଜୀ ଦେଶାଇଙ୍କ ଏହି ତିନି ଦିନିଆ ଗସ୍ତ କେବଳ ସାଂଗଠନିକ ବୈଠକରେ ସୀମିତ ନୁହେଁ, ବରଂ ଓଡ଼ିଶା କଂଗ୍ରେସର ଭବିଷ୍ୟତ ରାଜନୀତିର ଦିଗ ନିର୍ଦ୍ଧାରଣ କରିବାର ଏକ ପ୍ରୟାସ । ଦଳର ଲକ୍ଷ୍ୟ ସ୍ପଷ୍ଟ, ତୃଣମୂଳରୁ ସଂଗଠନକୁ ପୁନର୍ଗଠନ କରିବା, କର୍ମୀଙ୍କୁ ସକ୍ରିୟ କରିବା ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଲକ୍ଷ୍ୟ କରି ରାଜନୈତିକ ପୃଷ୍ଠଭୂମି ପ୍ରସ୍ତୁତ କରିବା । ତେବେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗ୍ରାଉଣ୍ଡରେ କେତେ ପ୍ରଭାବ ପକାଏ ଏବଂ ଦୀର୍ଘ ୨୬ ବର୍ଷର ରାଜନୈତିକ ଅଚଳାବସ୍ଥାରୁ କଂଗ୍ରେସ ବାହାରିପାରେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ।
Comments ସମସ୍ତ ମତାମତ