ମୁଖ୍ୟ ଖବର
ଭୁବନେଶ୍ୱର: ଏରସମା-ବାଲିକୁଦାବାସୀଙ୍କ ସହ ବିଶ୍ୱାସଘାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥାନୀୟ ବାସିନ୍ଦାଙ୍କୁ ନ୍ୟାୟ ନଦେଇ ଶିଳ୍ପର ଶୁଭାରମ୍ଭ କରିଛନ୍ତି । ଜଗତସିଂହପୁର ଢିଙ୍କିଆରେ ଶିଳ୍ପାୟନକୁ ବିରୋଧ କରୁନି କଂଗ୍ରେସ । କିନ୍ତୁ ପ୍ରଭାବିତ ଏବଂ ବିସ୍ଥାପିତଙ୍କ ଅଧିକାରକୁ ମାଗୁଛି ଦଳ । ସରକାର ଏହା ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ତରବରିଆ ଭାବରେ ମୁଖ୍ୟମନ୍ତ୍ରୀ ବାଃ ବାଃ ନେବା ପାଇଁ ଚେଷ୍ଟା କରିଛନ୍ତି । ୨୦୧୩ ଜମି ଅଧିଗ୍ରହଣ ଆଇନକୁ ଗୁରୁତ୍ୱ ଦେଇ ନାହାନ୍ତି । ପ୍ରଭାବିତ ଏବଂ ବିସ୍ଥାପିତଙ୍କ ଜୀବନ ଜୀବିକା କଥା ସରକାର ଚିନ୍ତା କରି ନାହାନ୍ତି । ଢିଙ୍କିଆବାସୀ କିଭଳି ନ୍ୟାୟ ପାଇବେ ସେନେଇ କଂଗ୍ରେସ ଗାନ୍ଧୀ ପଥେ ନ୍ୟାୟ ଯାତ୍ରା କରିଥିଲା । ପଦଯାତ୍ରାରେ ସ୍ଥାନୀୟ ଲୋକ ଯୋଡ଼ି ହୋଇଥିଲେ । ଗାନ୍ଧୀ ମାର୍ଗରେ ସରକାରଙ୍କ ଉଦ୍ଦେଶ୍ୟରେ ନିଜର ଦାବିକୁ ଦୋହରାଇ ଥିଲେ । ସରକାର ସେମାନଙ୍କ ସହିତ ବିଚାର ବିମର୍ଶ କରି ନାହାନ୍ତି । ଏହାକୁ ନେଇ ବଡ ଆନ୍ଦୋଳନ କରିବ କଂଗ୍ରେସ । ଏପରି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜେଏସଡବ୍ଲ୍ୟୁ ଲୌହ ପ୍ଲାଣ୍ଟ ଉଦଘାଟନ ଅବସରରେ ଏପରି କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ।
ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଭବନଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ବିସ୍ଥାପନ ବ୍ୟବସ୍ଥା ଓ କ୍ଷତିପୂରଣ ନ ଦେଇ ମୁଖ୍ୟମନ୍ତ୍ରୀଙ୍କ ଜେଏସଡବ୍ଲ୍ୟୁ ଲୌହ ପ୍ଲାଣ୍ଟ ଉଦଘାଟନ କରିବା ଦୁର୍ଭାଗ୍ୟଜନକ । ବାଲିକୁଦା ଏରସମା ଅଞ୍ଚଳର ପାନ, ମୀନ ଓ ଧାନ ଚାଷ କରୁଥିବା କୃଷକ ଏବଂ ଜଙ୍ଗଲରେ ବାସ କରୁଥିବା ଅଧିବାସୀ ପୋସ୍କୋ ଆନ୍ଦୋଳନ ସମୟରୁ ଦୀର୍ଘ 22 ବର୍ଷ ହେଲା ସେମାନଙ୍କ ଅଧିକାରର ସଂଘର୍ଷ କରି ଆସୁଛନ୍ତି l ବର୍ତ୍ତମାନ ଜେଏସଡବ୍ଲ୍ୟୁର ଦମନମୂଳକ ନୀତି ବିରୋଧରେ ତଥା ସରକାରଙ୍କ ଉପେକ୍ଷାର ଶିକାର ହୋଇ ଦୀର୍ଘ ୮ ଦିନ କାଳ ୪୫ ଡିଗ୍ରୀ ମୁଣ୍ଡଫଟା ଖରାରେ କୁଜଙ୍ଗଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଶହ ଶହ ନର ନାରୀ ନ୍ୟାୟପଥେ ଗାନ୍ଧୀ ପଦଯାତ୍ରା କରିଥିଲେ l
ସରକାର ସେମାନଙ୍କ ଦୁଃଖ ଶୁଣିବ ଓ ନ୍ୟାୟ ପ୍ରଦାନ କରିବ ବୋଲି କିନ୍ତୁ ସରକାର ଓଲଟା କଟା ଘାଆରେ ଚୂନ ଦେଲା ପରି ସେଠାକାର ଅଧିବାସୀଙ୍କୁ ଜମି ପଟ୍ଟା ବ୍ୟବସ୍ଥା ନ କରି, କ୍ଷତିପୂରଣ ଆକଳନ ନ କରି ମୁଖ୍ୟମନ୍ତ୍ରୀ ଜେଏସଡବ୍ଲୁର ପ୍ଲାଣ୍ଟ ଉଦଘାଟନ କରିବା ଅତି ନିନ୍ଦନୀୟ ବିଷୟ l ସରକାର ଏରସମା-ବାଲିକୁଦା ଅଞ୍ଚଳ ଲୋକଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକଳାପ, କୃଷକ, ଦଳିତ ଓ ଆଦିବାସୀଙ୍କ ପ୍ରତି କେତେ ସମବେଦନା ଅଛି ସୂଚାଇ ଦେଉଛି l ମୁଖ୍ୟମନ୍ତ୍ରୀଙ୍କ କମ୍ପାନୀ ପ୍ରୀତି ଯୋଗୁଁ ଆଜି ସାରା ରାଜ୍ୟରେ ଆଦିବାସୀ, ଗରିବ, ଦଳିତ ଓ କୃଷକଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି l ସମସ୍ତଙ୍କୁ ତିଳ ତିଳ ହୋଇ କାଳାତିପାତ କରିବାକୁ ଛାଡି ଦିଆଯାଉଛି l ଯଦି ସରକାର ନିରୀହ ଜନତାଙ୍କ ଅଧିକାର ଛଡେଇ ନେବେ, ଉପେକ୍ଷା କରିବେ, ଆଗାମୀ ଦିନରେ ସାରା ରାଜ୍ୟରେ ସରକାରଙ୍କ ବିରୋଧରେ ଘୋର କିନ୍ତୁ ଅହିଂସାତ୍ମକ ଆନ୍ଦୋଳନ ବ୍ୟାପିବ ଓ ଏହାର ପରିଣାମ ସରକାର ଭୋଗିବେ," ବୋଲି ପିସିସି ସଭାପତି କହିଛନ୍ତି l
ସୂଚନା ଥାଉ କି ଏପ୍ରିଲ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ଢ଼ିଙ୍କିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଗାନ୍ଧୀ ପଥେ ନ୍ୟାୟ ଯାତ୍ରା କରିଥିଲା କଂଗ୍ରେସ । ଢ଼ିଙ୍କିଆରେ ବିସ୍ଥାପିତ ଏବଂ ପ୍ରଭାବିତଙ୍କୁ ନ୍ୟାୟ ଦେବା ପାଇଁ ସହ ସହ ସଂଖ୍ୟାରେ ଲୋକମାନେ ଭୁବନେଶ୍ୱର ଆସି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ।
Comments ସମସ୍ତ ମତାମତ