ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପରାଜୟ ପୁଣି ଥରେ କଂଗ୍ରେସକୁ ଅନ୍ତଃକନ୍ଦଳ ଭିତରକୁ ଠେଲ ଦେଇଛି । ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ନୂଆପଡା ଉପନିର୍ବାଚନରେ ହାରିବା ପରେ ବରିଷ୍ଠ ନେତାଙ୍କ ଭିତରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ବିଭୀଷଣ ଉପାଖ୍ୟାନ ଏବେ ଦଳ ଭିତରେ ଖାଲି କମ୍ପନ ସୃଷ୍ଟି କରିଛି ତାହା ନୁହେଁ ବରଂ ବହୁ ଦିନ ଧରି ଲାଗିରହିଥିବା କଂଗ୍ରେସର ପୁରୁଣା ରୋଗ ବା ଦଳୀୟ ଅସନ୍ତୋଷ ପଦାରେ ପକାଇଛି । ତେବେ ଦଳକୁ ଡ୍ୟାମେଜ କଂଟ୍ରୋଲରୁ ରକ୍ଷା କରିବା ପାଇଁ ବିଭୀଷଣ ଉପାଖ୍ୟାନ ନେଇ ଭକ୍ତ ଦେଇଛନ୍ତି ୟୁ-ଟର୍ଣ ।
ବିଜୁ ଜନତା ଦଳର ପତନ ହେବା ସହ ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ଶାସନ କ୍ଷମତା ହାସଲ କରିଥିବା ବିଜେପିର ପ୍ରଭୁତ୍ୱ ବୃଦ୍ଧି ପାଇବାରେ ଲାଗିଛି । ସେପଟେ କଂଗ୍ରେସ ଛାଡିପାରୁନି ପୁରୁଣା ରୋଗ । ପୁଣି ଦଳ ଭିତରେ ମୁଖିଆଙ୍କ ବିରୋଧରେ ଆରମ୍ଭ ହୋଇଛି ମେଳି ।
କଂଗ୍ରେସ ଦଳରେ ବିଭୀଷଣ ମନ୍ତବ୍ୟ ଝଡ଼ ବହୁଥିବା ବେଳେ ଝଡ଼କୁ ରୋକିବା ପାଇଁ ପ୍ରୟାସ କରିଛନ୍ତି ଖୋଦ କଂଗ୍ରେସ ମୁଖ୍ୟ ଭକ୍ତ ଦାସ । ଏହି ମନ୍ତବ୍ୟକୁ ଘାଣ୍ଟି ଚକଟି କରାଯାଉଛି । ବିଭିଷଣ ଖୋଜାଯିବ ବୋଲି ମୁଁ କହିଥିଲି । ପ୍ରଶ୍ନ ପଚରା ଯିବାରୁ ଏଭଳି ମୁଁ କହିଥିଲି । ବାଦ ବିବାଦରୁ ବାହାରି କଂଗ୍ରେସ ଦଳକୁ ତିଆରି କରିବାର ସମୟ ଆସିଛି ବୋଲି କଂଗ୍ରେସ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ଭକ୍ତ ।"ବିଭୀଷଣ ମୁଁ କହି ନାହିଁ । ଶାସ୍ତ୍ର ହିସାବରେ ବିଭୀଷଣ ଭଗବାନଙ୍କ ସରଣରେ ଥିଲେ । ଖାଲି କଥା ଛଳରେ ମୁଁ କହିଥିଲି । କିନ୍ତୁ ଏହାକୁ ରାଜନୈତିକ ଭାଷାରେ ଫିଙ୍ଗା ଯାଇଛି । ନୂଆପଡା ଫଳାଫଳ ଆକଳନଠୁ ଅଧିକ ଥିଲା । ଉପନିର୍ବାଚନ ଜିତିଯିବୁ ବୋଲି ଆମେ କହି ନ ଥିଲୁ । ଜିତିବା ହିସାବରେ ଆମେ ଲଢ଼ିଥିଲୁ । ଏ ସମୟରେ ଅଯଥା ବାଦ ବିବାଦ କରନ୍ତୁ ନାହିଁ । କଂଗ୍ରେସ ରିଭାଇଭ୍ କରୁଛି । ମୋ ବିରୋଧରେ ସୀମା ବାହାରେ ଅପପ୍ରଚାର ହେଉଛି । ମୋର କିଛି ହେବ ନାହିଁ," ବୋଲି କହିଛନ୍ତି ଭକ୍ତ ।
ସେପଟେ ବିଭୀଷଣ ଉପାଖ୍ୟାନକୁ ନେଇ ପ୍ରଥମଥର କଂଗ୍ରେସ ବିଧାୟକ ରମେଶ ଜେନା କହିଛନ୍ତି, "ବିଭୀଷଣ ମନ୍ତବ୍ୟ ବିବାଦ ବାବଦରେ କିଛି ଆଲୋଚନା ହୋଇନାହିଁ । ଏହା ପାର୍ଟିର କଥା । ଯେଉଁମାନେ କିଛି ଜାଣି ପାରୁନାହାନ୍ତି, ବୁଝି ପାରୁନାହନ୍ତି ସେମାନେ ମିଡ଼ିଆ ରେ ଷ୍ଟେଟମେଣ୍ଟ ଦେଉଛନ୍ତି। ବୁଦ୍ଧି ଭ୍ରଷ୍ଟ ହେଉଥିବା ଲୋକମାନେ ଏଭଳି ମନ୍ତବ୍ୟ ଦିଅନ୍ତି। ଆମେ ସେହି ଭଳିଆ ଲୋକ ନୁହେଁ, ଆମେ ପାର୍ଟିକୁ ଗୁରୁତ୍ଵ ଦେଉ । ପାର୍ଟିର କଥା ଗମ୍ଭୀରତାର ସହ ଚିନ୍ତା କରେ । ଶୃଙ୍ଖଳା ସହ କାର୍ଯ୍ୟ କରେ। ଯାହାର ବୁଦ୍ଧି ଜ୍ଞାନ ନଥାଇ ସେମାନେ ଏମିତି ବୟାନ ଦିଅନ୍ତି। ସେ ବୟାନକୁ କିଛି ଖାତିର କରେ ନାହିଁ ।"
Comments ସମସ୍ତ ମତାମତ