ମୁଖ୍ୟ ଖବର
କଟକ : ନୂଆପଡ଼ା ଉପନିର୍ବାଚନ ସରି ନେତା ବଛା ହୋଇ ସାରିଲେଣି। ଏହାରି ଭିତରେ କିନ୍ତୁ କଂଗ୍ରେସରେ ବିବାଦ ଥମିନାହିଁ। ବିଜେଡିକୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିଥିଲେ ମଧ୍ୟ କଂଗ୍ରେସ କଙ୍କଡ଼ା ରାଜନୀତିରୁ ଦୂରେଇ ପାରିନାହିଁ। ଦଳର ଦୁଇ ନେତା ବିଭୀଷଣ ସାଜିବାରୁ ନୂଆପଡ଼ାରେ ପରାଜୟ ଘଟିଥିବା ବୋଲି ଖୋଦ୍ କଂଗ୍ରେସ ମଙ୍ଗୁଆଳ କହିଛନ୍ତି। ତେବେ ଏହି ଦୁଇ ବିଭୀଷଣ କିଏ ଏହାକୁ ନେଇ କନ୍ଦଳ ଆରମ୍ଭ ହୋଇଥିବା ବେଳେ ପିସିସି ସଭାପତିଙ୍କ ବିରୋଧରେ ଶୃଙ୍ଖଳା କମିଟିର ଦ୍ବାରସ୍ଥ ହୋଇଛନ୍ତି କଟକର ବରିଷ୍ଠ ନେତା ମହମ୍ମଦ ମୋକିମ୍।
ମୋକିମ୍ ଅଭିଯୋଗ ଉଠାଇଛନ୍ତି, ପିସିସି ସଭାପତିଙ୍କ ନେତୃତ୍ବରେ ନୂଆପଡ଼ାରେ ଉପନିର୍ବାଚନ ଲଢ଼ିଥିଲା କଂଗ୍ରେସ। ସେଠାରେ ସେ ୨୫ ଦିନରୁ ଅଧିକ ସମୟ ଧରି ରହିବା ସହ ଦଳର ମଙ୍ଗ ନେଇଥିଲେ। ଏପରିକି ବହୁ ନେତାଙ୍କୁ ନୂଆପଡ଼ା ଯିବା ଲାଗି ଦଳ ପକ୍ଷରୁ ଅନୁମତି ମିଳିନଥିଲା। ଦଳ ସେଠାରେ ପରାଜୟ ବରଣ କରିବା ପରେ ପିସିସି ସଭାପତି ଇଙ୍ଗିତ କରି ଗଣମାଧ୍ୟମରେ ବୟାନ ଦେବା ଦଳର ଶୃଙ୍ଖଳାକୁ କ୍ଷୁଣ୍ଣ କରୁଥିବା ମୋକିମ୍ ଅଭିଯୋଗ ଉଠାଇଛନ୍ତି। ଏ ସଂକ୍ରାନ୍ତରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ୍ କୁମାର ପାଢ଼ୀଙ୍କୁ ମୋକିମ୍ ଚିଠି ଲେଖିଛନ୍ତି। ବିଜେପି ପ୍ରାର୍ଥୀଙ୍କ ଠାରୁ କଂଗ୍ରେସ ପ୍ରାର୍ଥୀ ବୃହତ୍ ବ୍ୟବଧାନରେ ହାରିବା ନେଇ ନିଜେ ନୈତିକ ଦାୟିତ୍ବ ନେବା ବଦଳରେ ଏପରି ବେପରୁଆ ମନ୍ତବ୍ୟ ଦେଉଛନ୍ତି। ଯାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ, ଶୃଙ୍ଖଳା କମିଟି ମୋ ବିରୋଧରେ କୌଣସି ତଦନ୍ତ କରିନାହିଁ କି କୌଣସି ପ୍ରକାର ଅଭିଯୋଗ ଆସିନାହିଁ। ଜଣେ ପିସିସି ସଭାପତି ଭାବେ ଖୋଲାଖୋଲି ଗଣମାଧ୍ୟମକୁ ଆସି ନାଁ ନେଇ ଅଭିଯୋଗ କରିବା କଂଗ୍ରେସ ଇତିହାସରେ ପ୍ରଥମ ବୋଲି ମୋକିମ୍ ଚିଠିରେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ କଂଗ୍ରେସ ନେତା ମୋକିମ୍ଙ୍କୁ ପଚାରିବାରୁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି।
Comments ସମସ୍ତ ମତାମତ