Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ହଜାର ହଜାର କୋଟିର ଖଣି ଅଞ୍ଚଳରେ ଅନାହାର ମୃତ୍ୟୁ: କଂଗ୍ରେସ

    Share on :
    ajab-Image
    Date: Oct 30, 2025    Views: 2574

    ଭୁବନେଶ୍ୱର : ଯାଜପୁର ଜିଲ୍ଲା ସୁକିନ୍ଦାରେ ଅନାହାର ମୃତ୍ୟୁକୁ ନେଇ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ସରକାର ଆଦିବାସୀଙ୍କ ସୁରକ୍ଷା ଏବଂ ଉନ୍ନତି ପାଇଁ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାର ନଗ୍ନ ଚିତ୍ର ଏବେ ସାମ୍ନା କୁ ଆସିଛି। ସୁକିନ୍ଦା ଅଞ୍ଚଳରେ ଘଟିଥିବା ନିଶା ମାଙ୍କଡ଼ିଆ ଅନାହାର ମୃତ୍ୟୁ ଉପରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ଏକ ତଥ୍ୟ ଅନୁଧ୍ୟାନ କମିଟି ଉକ୍ତ ଅଞ୍ଚଳକୁ ଗସ୍ତ କରିଥିଲା । କମିଟିର ସଦସ୍ୟ ଭାବେ ମୁଁ ଏବଂ ଅନ୍ୟ ନେତୃବୃନ୍ଦ ସୁକିନ୍ଦା ଅନାହାର ମୃତ୍ୟୁ ଘଟଣାସ୍ଥଳକୁ ଯାଇ ସମସ୍ତ ତଥ୍ୟ ଅନୁଧ୍ୟାନ କରିଥିଲୁ । ନିଶା ମାଙ୍କଡ଼ିଆକୁ ଚାଉଳ ମିଳୁ ନଥିଲା, ବାସପଯୋଗୀ ଘର ଖଣ୍ଡିଏ ନଥିବାରୁ ପଲିଥିନ ଟାଣି ରହୁଥିଲା । ତାର କିଛି ସମ୍ପର୍କୀୟ କିଛି ଖାଦ୍ୟ ଦେଉଥିଲେ । ପରେ ରୋଗଗ୍ରସ୍ତ ହୋଇ ଅନାହାରରେ ମୃତ୍ୟୁବରଣ କଲା । କଂଗ୍ରେସ ସରକାର ଥିବା ବେଳେ ଅନାହାର ମୃତ୍ୟୁକୁ ରୋକିବା ପାଇଁ ଏନଆରଜିଏସ ଯୋଜନା ଆରମ୍ଭ ହୋଇଥିଲା ଏବଂ ସୁଫଳ ମଧ୍ୟ ମିଳିଥିଲା । କିନ୍ତୁ ଏବେ ସରକାର ବିଭିନ୍ନ ଆଳ ଦେଖାଇ ଏନଆରଜିଏସ ଯୋଜନାକୁ ଯେତେ ଟଙ୍କା ଦେବା କଥା ଦେଉ ନାହାନ୍ତି । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି , ଦେଶର ମହାମହିମ ରାଷ୍ଟ୍ରପତି ବି ଜଣେ ଆଦିବାସୀ । ତେଣୁ ତାଙ୍କ ସଚେତନତା ପାଇଁ ଧନ୍ୟବାଦ। ହେଲେ ଆଦିବାସୀଙ୍କ ଖାଦ୍ୟ ତଥା ସାମାଜିକ ସୁରକ୍ଷା ପ୍ରତି ଘୋର ଅବହେଳା ପ୍ରଦର୍ଶନ କରୁଛନ୍ତି  କାହିଁକି ? ଆଦିବାସୀଙ୍କ କଲ୍ୟାଣ ନିମିତ୍ତ ଅନେକ ଯୋଜନା ଅଛି। ହେଲେ ହିତାଧିକାରୀଙ୍କ ପାଖରେ ତାହା ପହଞ୍ଚି ପାରୁନାହିଁ କିମ୍ବା ଯୋଜନାକୁ ଠିକ ଭାବରେ କାର୍ୟ୍ୟକାରୀ କରାଯାଉ ନାହିଁ । ଅଶିକ୍ଷିତ ଏବଂ ଗରିବଙ୍କୁ ଚାଉଳ ଏବଂ ସରକାରୀ ଘର ଯୋଗାଇ ଦେବା କଣ ସରକାରଙ୍କ କାଯ୍ୟ ନୁହେଁ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ବିଭିନ୍ନ ଆଳ ଦେଖାଇ ସରକାର ଏବେ ଲୋକଙ୍କୁ ଚାଉଳ ଦେଉନାହାନ୍ତି, ତେଣୁ ଆଗାମୀ ଦିନରେ ଜନତା ଏହାର ଜବାବ ନିଶ୍ଚିତ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି। ପୂର୍ବରୁ ସୁକିନ୍ଦା ଅଞ୍ଚଳରେ ସୁଭଦ୍ରା ମାଙ୍କଡ଼ିଆ ନାମ୍ନୀ ଜଣେ ଆଦିବାସୀ ମହିଳାଙ୍କ ଅନାହାରରେ ମୃତ୍ୟୁ ଘଟିଥିଲା ।

    ତେଣୁ ଅନାହାର ଜନିତ ମୃତ୍ୟୁକୁ ହାଲୁକା ଭାବରେ ଗ୍ରହଣ ନକରି ଗମ୍ଭୀର ଭାବରେ ବିଚାର କରି ଆଦିବାସୀଙ୍କ ସୁବିଧା ସୁଯୋଗ ପ୍ରତି ଯତ୍ନବାନ ହେବା ପାଇଁ ସରକାରଙ୍କ ନିକଟରେ କଂଗ୍ରେସ ଦଳ ପକ୍ଷରୁ ଦାବୀ କରିଥିଲେ  ବିଧାୟକ ଶ୍ରୀ ଦାସ ।


    ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା ତାଙ୍କ ବକ୍ତବ୍ୟରେ କହିଲେ, ସୁକିନ୍ଦା ଅଞ୍ଚଳର ମାଙ୍କଡ଼ିଆ ସମାଜ ସମ୍ପୂର୍ଣ ନିରକ୍ଷର ଥିଲେ । ୨୦୧୪ ବେଳରୁ ମୁଁ ସେଠାକୁ ଯାଇ ସେମାନଙ୍କ ଉନ୍ନତି ପାଇଁ କାମ କରିଛି । ଗୋଟିଏ ପିଲାକୁ ପାଠ ପଢାଇ ମ୍ୟାଟ୍ରିକ ପାସ କଲା। ମାଙ୍କଡ଼ିଆ ସମାଜର ପ୍ରଥମ ମ୍ୟାଟ୍ରିକ ପାସ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଇଲୁ କାଳେ ସରକାରଙ୍କ ନଜର ପଡ଼ିବ ଏବଂ ସେଇ ପିଲାର ଭବିଷ୍ୟତ ସାଥିରେ ସମାଜ ବଦଳିବ ବୋଲି । କିନ୍ତୁ ଦୁଃଖର କଥା ସରକାର କିଛି କଲେନି । ଟାଟା କମ୍ପାନୀର ୨୦ ଗୋଟି ମାଇନ୍ସ ଅଛି ତାକୁ ଲାଗିକି ମାଙ୍କଡ଼ିଆଙ୍କ ବସ୍ତି । ପୃଥିବୀର ଏକ ତୃତୀୟାଂଶ କ୍ରୋମାଇଟ ଏହି ଅଞ୍ଚଳରୁ ବାହାରେ । ସାରା ପୃଥିବୀରେ ସୁକିନ୍ଦା ପ୍ରସିଦ୍ଧ । ଦୁଃଖର କଥା ଏହି ଅଞ୍ଚଳରେ ଶହ ଶହ ବର୍ଷଧରି ବାସ କରି ଆସୁଥିବା ମାଙ୍କଡ଼ିଆ ଜନଜାତିଙ୍କ ପାଖରେ ନିଜସ୍ୱ ଜମି ନାହିଁ, ନିଜସ୍ୱ ବାସସ୍ଥାନ ନାହିଁ । ଆଶ୍ଚର୍ୟ୍ୟର ବିଷୟ ମାଙ୍କଡ଼ିଆ ଜନଜାତିଙ୍କ ବିକାଶ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଅଛି ଯେଉଁଠି ୩୪ ଜଣ ଅଫିସର ଅଛନ୍ତି । କିନ୍ତୁ କେବଳ ଗୋଟିଏ ବାବୁଙ୍କ ଦେଖାମିଳେ, ସେ ପିଅନ, ଚୌକିଦାର ଓ ଅଫିସର । ବିଜେଡି ଶାସନରେ ଥିବାବେଳେ ପ୍ରଫୁଲ୍ଲ ଘଡେଇ ଏଠିକାର ବିଧାୟକ ଥିଲେ । ଚିନ୍ତା କରନ୍ତୁ ନିଜ ଉନ୍ନତି ବ୍ୟତୀତ କାହାର ବିକାଶ କରିଛନ୍ତି ସେ । ବିଜେପି ସରକାରଙ୍କ ମଧ୍ୟ କୌଣସି ଆନ୍ତରିକତା ପରିଲକ୍ଷିତ ହୋଇନି । ସବୁ କାମ କେବଳ ଭାଷଣରେ ସୀମିତ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ। ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ହିମାଂଶୁ ଲେଙ୍କା ଉପସ୍ଥିତ ଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook