ମୁଖ୍ୟ ଖବର
ଭୁବନେଶ୍ବର: କଂଗ୍ରେସର ଗିରଫ କର୍ମୀଙ୍କୁ ଝାରପଡା ଜେଲରେ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ପୋଲିସର ଦମନଲୀଳା ଉପରେ କଂଗ୍ରେସ ପ୍ରତିବାଦର ସ୍ବର ୨୭ ତାରିଖରେ ବିଧାନସଭା ଘେରାଉ ବେଳେ ଗିରଫ ହୋଇଥିବା କଂଗ୍ରେସ କର୍ମୀଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ଭକ୍ତ । ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଭକ୍ତ କହିଛନ୍ତି ସତ୍ୟର ନିଶ୍ଚିନ୍ତ ବିଜୟ ହେବ। ‘‘ଆମର ଲଢେଇ ସତ୍ୟ ପଥରେ ରହିଛି। ନାରୀଙ୍କ ପାଇଁ ଆମର ଲଢେଇ ଥିଲା, ହିଂସା କଂଗ୍ରେସ କର୍ମୀ କିମ୍ବା ନେତା କରିନାହାନ୍ତି। ସୁଚିନ୍ତିତ ଭାବରେ କଂଗ୍ରେସ କର୍ମୀଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି’’ ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର କଂଗ୍ରେସ ଆଡ଼ମିସନ ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରେ କିନ୍ତୁ ସେହି ଛାତ୍ରମାନଙ୍କୁ ଏବେ ଜେଲରେ ପୁରାଇ ଦିଆଯାଇଛି। ଛାତ୍ର କଂଗ୍ରେସକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି। ନିର୍ଦୋଷ ଛାତ୍ରମାନଙ୍କୁ ଜେଲରେ ରଖାଯାଇଛି। ପୋଲିସ କଂଗ୍ରେସ କର୍ମୀଙ୍କୁ ଅପରାଧୀଙ୍କ ଭଳି ବ୍ୟବହାର କରିଛି। ଏହା ଉଚିତ ନୁହେଁ। ସହିଦନଗର ଅଂଚଳରେ ଅସାଧୁ ଉପାୟରେ ଜମି ମାଫିଆଙ୍କୁ ଜମି ଦେଇଛନ୍ତି ପୂର୍ବ ସରକାର। ଯେଉଁଠାରେ ଅଣ ଚଉଡା ଜାଗା ଅଛି ତାହାକୁ ମଧ୍ୟ ରିଆଲିସ୍ଟିଟ କମ୍ପାନୀକୁ ଦେଇଦେଇଛନ୍ତି। ସେଠାରେ ପାର୍କିଙ୍ଗ, ପାନୀୟ ଜଳର ସମସ୍ୟା ରହିଛି। ଏଭଳି ଦୁର୍ନୀତି ଭୁବନେଶ୍ୱରରେ ଅନେକ ହୋଇଛି। ଆଗାମୀ ଦିନରେ ଏହି ଦୁର୍ନୀତିଙ୍କୁ ନେଇ କଂଗ୍ରେସ ବିରୋଧ ପଦର୍ଶନ କରିବ।ସୂଚନା ଥାଉ କି ,ରାଜ୍ୟରେ ମହିଳା ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ଏହାର ତୀବ୍ର ପ୍ରତିବାଦ ସ୍ବରୂପ ୨୭ ତାରିଖରେ ବିଧାନସଭା ଘେରାଓ କରିଥିଲା ପ୍ରଦେଶ କଂଗ୍ରେସ। କଂଗ୍ରେସର ୫ ଜଣ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କମିଶନରେଟ ପୋଲିସ । ଏହି କାର୍ୟ୍ୟକ୍ରମରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। କଂଗ୍ରେସ କର୍ମୀ ଓ ନେତାଙ୍କ ଉପରକୁ ଟିୟର ଗ୍ୟାସ ଏବଂ ପାଣି ମାଡ଼ କରିଥିଲା। କଂଗ୍ରେସ କର୍ମୀଙ୍କ ପକ୍ଷରୁ ଚେୟାର ଏବଂ ଅଣ୍ଡା ,ପଥର ମାଡ଼ ହୋଇଥିଲା ବୋଲି ଅଭିଯୋଗ ଆଣିଥିଲା ପୋଲିସ। ବହୁ ପୋଲିସ ,କଂଗ୍ରେସ କର୍ମୀ ଏବଂ ଜଣେ ସାମ୍ବାଦିକ ଏହାର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆହତ ମାନଙ୍କୁ ଭେଟିବାକୁ ପୋଲିସ ଡିଜି କ୍ୟାପିଟାଲ ହସ୍ପିଟାଲରେ ପହଁଚି ଗଣ୍ଡଗୋଳକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ମହାନିର୍ଦେଶକ କହିଥିଲେ।
Comments ସମସ୍ତ ମତାମତ