ଭୁବନେଶ୍ୱର: ଶୁଭଙ୍କର ସରକାର ହେଲେ ପଶ୍ଚିମବଙ୍ଗର ନୂଆ ପିସିସି ସଭାପତି । ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ ତାଙ୍କୁ ନିଯୁକ୍ତି ମିଳିପାରିଲା । ଜାତୀୟ ଯୁବ କଂଗ୍ରେସ ସଭାପତି ଭାବେ ଉଦୟଭାନୁ ଚିବ୍ଙ୍କୁ ବି ନିଯୁକ୍ତି ମିଳିଲା । ଏଆଇସିସି ଏହି ସମସ୍ତ ନିଯୁକ୍ତି ଦେଇପାରୁଛି । ମାତ୍ର ଓଡ଼ିଶା ବେଳକୁ କଂଗ୍ରେସ ନିରବ ।
ରାଜ୍ୟ କଂଗ୍ରେସ କମିଟି ଭାଙ୍ଗିବାକୁ ୬୨ ଦିନ ବିତିଲାଣି । ଏତେ ଦିନ ପରେ ବି ଏଆଇସିସି ଓଡ଼ିଶା ପାଇଁ କମିଟି ଗଢ଼ି ପାରୁନି । ଓଡ଼ିଶାକୁ ଅଣଦେଖା କରୁଛି କଂଗ୍ରେସ । ଫଳରେ ଦଳର ସ୍ଥିତି ବିଗିଡ଼ିବାରେ ଲାଗିଛି । ନଭେମ୍ବରରେ ହରିଆନା ଓ ମହରାଷ୍ଟ୍ର ନିର୍ବାଚନ ଥିବାରୁ ପିସିସି ଘୋଷଣା ବିଳମ୍ବ ହେବ ବୋଲି ଓଡ଼ିଶା କଂଗ୍ରେସର ନେତାମାନେ ଯୁକ୍ତି ବାଢ଼ୁଛନ୍ତି । କିନ୍ତୁ ଅନ୍ୟ ରାଜ୍ୟରେ ପିସିସି ସଭାପତି ଘୋଷଣା ହୋଇପାରୁଛି ।
ଓଡ଼ିଶାରେ ନ ହେବା ଫଳରେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶାକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଅସନ୍ତୁଷ୍ଟ କଂଗ୍ରେସ ନେତା କହୁଛନ୍ତି । ଦୀର୍ଘ ଦିନ ହେଲା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାରଙ୍କର ମଧ୍ୟ ଦେଖା ମିଳୁନି । ନିକଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ବିଜେପିର କେନ୍ଦ୍ରମନ୍ତ୍ରୀ ଓ ସହଯୋଗୀ ଦଳର ନେତାଙ୍କୁ ବିରୋଧ କରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମରେ ମଧ୍ୟ ପ୍ରଭାରୀଙ୍କ ଦେଖା ମିଳିଲା ନାହିଁ । ପର୍ୟ୍ୟବେକ୍ଷକ ଅଜୟ ମାକେନ ଓ ତାରିକ୍ ଅନୱାର ଓଡ଼ିଶା ଆସି ନେତାଙ୍କୁ ଭେଟି ରିପୋର୍ଟ ଦେବେ କି ସେମାନଙ୍କୁ କଲ୍ କରି ରିପୋର୍ଟ ସଂଗ୍ରହ କରିବେ ତାହା ମଧ୍ୟ ସନ୍ଦେହ ଘେରରେ । ପୂର୍ବରୁ ବିଧାୟକମାନଙ୍କ ନିକଟରୁ ଫିଡ୍ବ୍ୟାକ୍ ନିଆଯାଇଛି । ତେବେ ଏଆଇସିସି କେବେ ନିଷ୍ପତ୍ତି ନେବ ସେ ନେଇ ରାଜ୍ୟ କଂଗ୍ରେସର କୌଣସି ନେତା ଠିକ ଭାବେ ଆକଳନ ମଧ୍ୟ କରିପାରୁନଥିବା କହିଛନ୍ତି ।
Comments ସମସ୍ତ ମତାମତ