Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନଗଦ ଭତ୍ତା ଟଙ୍କା ପ୍ରଦାନ ନିର୍ବାଚନୀ ଚାଲ: କଂଗ୍ରେସ

    Share on :
    ajab-Image
    Date: May 26, 2023    Views: 3769

    ଭୁବନେଶ୍ବର : ରାଜ୍ୟ ସରକାର ହିତାଧିକାରୀଙ୍କୁ ନଗଦ ରାଶି ଆକାରରେ ଭତ୍ତା ଟଙ୍କା ପ୍ରଦାନ ପ୍ରସଙ୍ଗକୁ କଂଗ୍ରେସ ନିର୍ବାଚନୀ ଚାଲ ବୋଲି କହିଛି। ଏଥିସହିତ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରି ଡାକ ଜରିଆରେ ଭତ୍ତା ପ୍ରଦାନ ଲାଗି ବିକଳ୍ପ ପ୍ରସ୍ତାବ ଦେଇଛି।
    କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଲେ, ୨୦୦୮ ମସିହାରୁ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଜରିଆରେ ଭତ୍ତା ପ୍ରଦାନ କରୁଛନ୍ତି। ରାଜ୍ୟରେ ୨୮ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି। ତହିଁରୁ ୧୩ଲକ୍ଷ ଲୋକଙ୍କୁ କେନ୍ଦ୍ରୀୟ ସାମାଜିକ ନ୍ୟାୟ ଯୋଜନାରେ ସିଧାସଳଖ ବ୍ୟାଙ୍କ ଟ୍ରାନ୍‌ସଫର ଜରିଆରେ ଭତ୍ତା ପାଉଛନ୍ତି। ବାକି ୧୫ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ୫୦୦-୭୦୦ ଟଙ୍କା ପ୍ରଦାନ କରୁଛନ୍ତି। ମାତ୍ର ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ନଗଦ ଟଙ୍କା ପ୍ରଦାନ କରିବା ଭଳି ନିଷ୍ପତ୍ତି ନେଇଛନ୍ତି। ହିତାଧିକାରୀଙ୍କୁ ନଗଦ ରାଶି ବିଜେଡି କର୍ମୀ କିମ୍ବା ସଂଗଠକଙ୍କ ଜରିଆରେ ପ୍ରଦାନ କରା ନ ଯାଉ।

    ରାଜ୍ୟରେ ୮୩୨୯ଟି ଡାକ ଘର ଅଛି। ଏହାସହିତ ୭୬୫ଟି ଉପ-ଡାକଘର ରହିଛି। ତେଣୁ କହିବାକୁ ଗଲେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଡାକ ଘର ଅଛି। ତେଣୁ ରାଜ୍ୟ ସରକାର ପୋଷ୍ଟ ମାଷ୍ଟର ଜେନେରାଲଙ୍କ ସହିତ ଆଲୋଚନ କରି ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଡାକ ଜରିଆରେ ୧୫ ତାରିଖ ସୁଦ୍ଧା ପହଞ୍ଚାଇବାରେ ବ୍ୟବସ୍ଥା କରନ୍ତୁ। ଦୁର୍ଗମ ଅଞ୍ଚଳକୁ ମୋବାଇଲ ପୋଷ୍ଟ ଭ୍ୟାନ ଦ୍ବାରା ହିତାଧିକାରୀଙ୍କ ପାଖକୁ ଭତ୍ତା ଦିଆଯାଇପାରିବ। ଭତ୍ତା ପ୍ରଦାନ କରିବା ସମୟରେ ହିତାଧିକାରୀଙ୍କ ଟିପ ଚିହ୍ନ କିମ୍ବା ଦସ୍ତଖତ ଡାକ ବିଭାଗ କର୍ମଚାରୀମାନେ ସଂଗ୍ରହ କରନ୍ତୁ। ‌ଫଳରେ ଭତ୍ତା ଟଙ୍କା ବାଟମାରଣା ହୋଇପାରିବ ନାହିଁ।

    ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଥିଲେ, ରାଜ୍ୟର ୧୩ଲକ୍ଷ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଭତ୍ତା ଡିବିଟି ଜରିଆରେ ପ୍ରଦାନ କରାଯାଉଛି। ରାଜ୍ୟରେ ଏ ବ୍ୟବସ୍ଥା କାହିଁକି ହୋଇପାରୁନାହିଁ। ରାଜ୍ୟର ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ କାହିଁକି ଖୋଲା ଯାଉନାହିଁ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବା ଉଚିତ୍ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅପର୍ଣ୍ଣାଧିର ସିଂହ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook