ମୁଖ୍ୟ ଖବର
ଭୁବନେଶ୍ୱର: ପୁରୀର ଭିତ୍ତିଭୂମି ବିକାଶ ପାଇଁ ଆଜି ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପୁରୀ ସହରରେ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର ନିର୍ମାଣ କରିଯିବ l ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଏହି ସମ୍ମିଳନୀ କେନ୍ଦ୍ର ନିର୍ମାଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।
ପ୍ରସ୍ତାବିତ ପ୍ରକଳ୍ପକୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିବା ଭଳି ସ୍ଥାନ ଭାବେ ପରିକଳ୍ପନା କରାଯାଇଛି । ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ, ଶିକ୍ଷାଗତ ତଥା ବୃତ୍ତିଗତ ଆଲୋଚନାଚକ୍ର, ସାଂସ୍କୃତିକ ମହୋତ୍ସବ, ସରକାରୀ କାର୍ଯ୍ୟକ୍ରମ ଏବଂ ସାମାଜିକ ସମାବେଶ ଆଦି ଆୟୋଜନ କରାଯାଇପାରିବ । ଏହି ପ୍ରକଳ୍ପ ଦ୍ୱାରା ପୁରୀରେ ଏକ ବୃହତ ଓ ଆଧୁନିକ ପ୍ରେକ୍ଷାଳୟର ବହୁ ପ୍ରତୀକ୍ଷିତ ଆବଶ୍ୟକତା ପୂରଣ ହେବ ବୋଲି ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, 'ସହରର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ସହରାଞ୍ଚଳ ଭିତ୍ତିଭୂମି ତଥା ଜନସାଧାରଣଙ୍କ ସୁବିଧା ସୁଯୋଗକୁ ସୁଦୃଢ଼ କରିବା ଦିଗରେ ଏହି ସମ୍ମିଳନୀ କକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।' ଏହି ପ୍ରକଳ୍ପର ଶୀଘ୍ର ରୂପାୟନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଏବଂ ପ୍ରାଥମିକ ପ୍ରସ୍ତୁତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବାକୁ ପୁରୀ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ପୌରସଂସ୍ଥା ଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏଭଳି ବହୁମୁଖୀ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି । ଏହି ପଦକ୍ଷେପ ସହରାଞ୍ଚଳର ସୁବିଧା ସୁଯୋଗକୁ ସୁଦୃଢ଼ କରିବ, ଗୋଷ୍ଠୀ ସହଭାଗିତାକୁ ପ୍ରୋତ୍ସାହିତ କରିବ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ସହରାଞ୍ଚଳ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବ ।ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏକ ପ୍ରମୁଖ ଜନ କଲ୍ୟାଣକାରୀ ଭିତ୍ତିଭୂମି ଭାବେ ଉଭା ହେବ, ଯାହା ପୁରୀର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ପର୍ଯ୍ୟଟନ ଗୌରବକୁ ଆହୁରି ବଢ଼ାଇବ। ଏହାସହ ଓଡ଼ିଶାର ସ୍ଥାୟୀ, ସମାବେଶୀ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ବିକାଶର ପରିକଳ୍ପନାକୁ ସାକାର କରିବାରେ ବିଶେଷ ସହାୟକ ହେବ ।ବିଭାଗ ପକ୍ଷରୁ ବିକଶିତ ଓଡ଼ିଶା ପାଇଁ ଜନ ଭାଗିଦାରୀ: ସଶକ୍ତ ନାଗରିକ - ସମାବେଶୀ ସହର - ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ” ଆଭିମୁଖ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
Comments ସମସ୍ତ ମତାମତ