ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣକୁ ସୁଧାରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପ୍ରଥମଥର ପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ନିମନ୍ତେ ୧୧ପୃଷ୍ଠା ବିଶିଷ୍ଟ ‘ଆଦର୍ଶ ଆଚରଣ ବିଧି’ ପ୍ରସ୍ତୁତ ହୋଇଛି । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସହ କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସରକାର ଏହି ଐତହାସିକ ନିଷ୍ପତ୍ତିି ନେଇଛନ୍ତି ।
ଏଣିକି କେବଳ ପାଠପଢ଼ା ନୁହେଁ, ବରଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସାଧୁତା ଓ ପାରସ୍ପରିକ ସମ୍ମାନ ବଜାୟ ରଖିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ। ପୂର୍ବ ଅନୁମତି ବିନା ଶିକ୍ଷାନୁଷ୍ଠାନ ପରିସରରେ(କ୍ୟାମ୍ପସ) ଅନଧିକୃତ ଆନ୍ଦୋଳନ ଓ ହରତାଳ ନିଷେଧ କରାଯିବା ସହ ବାହ୍ୟ ହସ୍ତକ୍ଷେପ ଓ ଅସାମାଜିକ କାର୍ୟ୍ୟକଳାପରୁ ମୁକ୍ତ ରଖିବା ଏବଂ ମାସକ ମଧ୍ୟରେ ‘ତମାଖୁମୁକ୍ତ’ କରିବାକୁ ଏହି କଡ଼ା ନିୟମାବଳୀ ପ୍ରସ୍ତୁତ ହୋଇଛି। ଏସବୁ ସମେତ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ବିନା ଅନୁମତିରେ କୌଣସି ରାଜନୈତିକ ସଭା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।
ଏଣିକି କ୍ୟାମ୍ପସ ମଧ୍ୟରେ ଶୃଙ୍ଖଳା ଭାଙ୍ଗିଲେ କିମ୍ବା କୌଣସି ନିୟମ ଉଲ୍ଲଂଘନ କଲେ ବହିଷ୍କାର ଭଳି କଠୋର ଦଣ୍ଡ ମିଳିବ ବୋଲି ସରକାର ସ୍ପଷ୍ଟ କରିବା ସହ ଏହି ୧୧ପୃଷ୍ଠା ବିଶିଷ୍ଟ ‘ଆଦର୍ଶ ଆଚରଣ ବିଧି’କୁ ଶିକ୍ଷାନୁଷ୍ଠାନର ପ୍ରୋସପେକ୍ଟସ୍, ହ୍ୟାଣ୍ଡବୁକ୍ ଓ ୱେବସାଇଟରେ ସାମିଲ କରି ଏହାର ଅନୁପାଳନ ସୁନିଶ୍ଚିତ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ନୂଆ ଆଚରଣ ବିଧିକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଆଜି ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି ।
କଲେଜ ଓ ବିଶ୍ୱବିଦ୍ୟାଳୟକୁ ବାହ୍ୟ ହସ୍ତକ୍ଷେପରୁ ମୁକ୍ତ ରଖିବା ପାଇଁ ସରକାରୀ କାର୍ୟ୍ୟକ୍ରମ ବ୍ୟତୀତ କୌଣସି ରାଜନୈତିକ ଦଳର ସଭା ବା ସମାବେଶକୁ କ୍ୟାମ୍ପସ ମଧ୍ୟରେ ଅନୁମତି ଦିଆଯିବ ନାହିଁ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଶିକ୍ଷାନୁଷ୍ଠାନ ପରିସରରେ ଅନଧିକୃତ ଆନ୍ଦୋଳନ, ହରତାଳ କିମ୍ବା ସଭା ସମିତି କରିବା ସମ୍ପୂର୍ଣ୍ଣ ନିଷେଧ। କ୍ୟାମ୍ପସର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ୨୪ ଘଂଟିଆ ସିସିଟିଭି କ୍ୟାମେରାରେ ରହିବ।
ଅସାମାଜିକ ବ୍ୟକ୍ତି ଓ ଅଣଛାତ୍ରଙ୍କ ଅନୁପ୍ରବେଶ ରୋକିବା ପାଇଁ ହଷ୍ଟେଲରେ ନିୟମିତ ରାତ୍ରୀକାଳୀନ ଯାଂଚ କରାଯିବ। ଯଦି କୌଣସି ଅଣଛାତ୍ରଙ୍କୁ ହଷ୍ଟେଲରେ କେହି ଛାତ୍ର ଆଶ୍ରୟ ଦିଅନ୍ତି, ତେବେ ତାଙ୍କୁ ୬ ମାସ ପାଇଁ ନିଲମ୍ବିତ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାସହ ଆଗାମୀ ଏକ ମାସ ମଧ୍ୟରେ ପ୍ରତ୍ୟେକ କ୍ୟାମ୍ପସକୁ ‘ତମାଖୁମୁକ୍ତ ପରିସର’ ଭାବେ ଗଢ଼ିତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
Comments ସମସ୍ତ ମତାମତ