ମୁଖ୍ୟ ଖବର
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼। ବିଶ୍ୱ ବଜାରରେ ମଧ୍ୟ-ପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଜାଳେଣି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇବା ପରେ ଏବେ ସିଏନଜି ମଧ୍ୟ ମହଙ୍ଗା ହୋଇଛି । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ପର୍ଯ୍ୟନ୍ତ ସବୁଠି ସିଏନଜି ଦରରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ, ଦିଲ୍ଲୀରେ ସିଏନଜି କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଏବେ ରାଜଧାନୀରେ ସିଏନଜି ଦର ୭୯.୦୯ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ମୁମ୍ବାଇରେ ମଧ୍ୟ ଗୁରୁବାର ଦିନ ମହାନଗର ଗ୍ୟାସ୍ ଲିମିଟେଡ୍ (MGL) ଦର ବୃଦ୍ଧି କରିଥିଲା। ମୁମ୍ବାଇ, ଥାଣେ, ନଭି ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ଏବେ ଗୋଟିଏ କିଲୋଗ୍ରାମ ସିଏନଜି ପାଇଁ ଗ୍ରାହକଙ୍କୁ ୮୪ ଟଙ୍କା ଗଣିବାକୁ ପଡ଼ୁଛି, ଯାହା ପୂର୍ବରୁ ୮୨ ଟଙ୍କା ଥିଲା ।
ସିଏନଜି ଦର ବଢ଼ିବା ମାତ୍ରେ ଏହାର ପ୍ରଭାବ ସିଧାସଳଖ ପରିବହନ ସେବା ଉପରେ ପଡ଼ିବା ଆରମ୍ଭ ହୋଇଛି । ମୁମ୍ବାଇର ଅଟୋ ରିକ୍ସା ସଂଘଗୁଡ଼ିକ ପକ୍ଷରୁ ସର୍ବନିମ୍ନ ଭଡ଼ାରେ ଅତିକମରେ ୧ ଟଙ୍କା ବୃଦ୍ଧି କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି । ୟୁନିୟନ ନେତାଙ୍କ କହିବା ଅନୁଯାୟୀ, ବାରମ୍ବାର ଗ୍ୟାସ୍ ଦର ବଢ଼ିବା ଫଳରେ ଏହି ମୂଲ୍ୟରେ ଗାଡ଼ି ଚଳାଇବା ଏବେ ଆର୍ଥିକ ଦୃଷ୍ଟିକୋଣରୁ ଅସମ୍ଭବ ହୋଇପଡ଼ିଛି ।
Comments ସମସ୍ତ ମତାମତ