Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଗଣତନ୍ତ୍ରର ପ୍ରକୃତ ସଫଳତା ବ୍ୟକ୍ତି, ସମାଜ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ପ୍ରତିଫଳିତ ହେବା ଆବଶ୍ୟକ : ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Nov 27, 2026    Views: 2586

    ଭୁବନେଶ୍ୱର : ଭାରତୀୟ ସମ୍ବିଧାନର ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତା ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ ସର୍ବୋଚ୍ଚ କର୍ତ୍ତବ୍ୟ । ସମ୍ବିଧାନ ଗୌରବ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

    ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ଗୃହୀତ ହେବା ପରେ ଭାରତ ଏକ ସଶକ୍ତ ଓ ସ୍ୱାବଲମ୍ବୀ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସମ୍ବିଧାନର ମୁଖବନ୍ଧରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱ ରାଷ୍ଟ୍ରର ମେରୁଦଣ୍ଡ ଏବଂ ମୌଳିକ ଅଧିକାରର ସୁରକ୍ଷା ପାଇଁ ଅନୁଚ୍ଛେଦ ୩୨ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଛନ୍ତି।

    ସ୍ୱାଧୀନତା ପରବର୍ତ୍ତୀ ସମୟରେ ଅନେକ ସମସାମୟିକ ରାଷ୍ଟ୍ର ଏକଛତ୍ରବାଦ କିମ୍ବା ସାମରିକ ଶାସନ ଆଡ଼କୁ ଠେଲି ହୋଇଯାଇଥିବା ବେଳେ କେବଳ ସମ୍ବିଧାନ ଯୋଗୁଁ ଭାରତରେ ନିରନ୍ତର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ତିଷ୍ଠି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ତେବେ ଦେଶର ସାମ୍ବିଧାନିକ ଇତିହାସରେ ଜରୁରୀକାଳୀନ ପରିସ୍ଥିତିକୁ ଏକ କଳା ଅଧ୍ୟାୟ ଭାବେ ଅଭିହିତ କରି ସେ କହିଛନ୍ତି ଯେ, ସେ ସମୟରେ ଧାରା ୩୫୯ ଲାଗୁ କରି ଅନୁଚ୍ଛେଦ ୩୨କୁ ସସପେଣ୍ଡ କରାଯିବା ସହ ନାଗରିକଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରାଯାଇଥିଲା। ଗଣତନ୍ତ୍ରର ପ୍ରକୃତ ସଫଳତା କେବଳ ସାମ୍ବିଧାନିକ ଅଧିକାରରେ ସୀମିତ ନରହି ବ୍ୟକ୍ତି, ସମାଜ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି।

    କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟସଭା ସାଂସଦ ମନମୋହନ ସାମଲ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ସାମାଜିକ ନ୍ୟାୟ ଓ ନାଗରିକ କର୍ତ୍ତବ୍ୟବୋଧ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୁରୀ ସାଂସଦ ସମ୍ବିତ୍ ପାତ୍ର ଭାରତୀୟ ସମ୍ବିଧାନର ମହାନତା, ରାଷ୍ଟ୍ର ନିର୍ମାଣରେ ନାଗରିକଙ୍କ ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ପରମ୍ପରାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍ ଦୁର୍ଗା ପ୍ରସନ୍ନ ଚୌଧୁରୀ, ପ୍ରଫେସର ଡଃ ମାନସ ବେହେରା ଏବଂ ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ଆବାହକ ସୁଦର୍ଶନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook