Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୪,୧୫୦ କୋଟିର ଅତିରିକ୍ତ ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Nov 19, 2026    Views: 3947

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ଲାଗି ବୁଧବାର ମୋଟ୍‌ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବିଧାନସଭାରେ ଆଗତ କରିଛନ୍ତି। ଏଥିରେ ୧୦୬୦ କୋଟି ଟଙ୍କାର ପ୍ରଶାସନିକ ବ୍ୟୟ, ୧୭୯୯୦ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ, ୫୧୦୦ କୋଟି ଟଙ୍କାର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ରଖାଯାଇଛି। ସରକାରଙ୍କ କହିବାନୁଯାୟୀ, ୨୦୨୭ ଆର୍ଥିକ ବର୍ଷ ଲାଗି ଗତ ମାର୍ଚ୍ଚ ୩୧ ତାରିଖରେ ୩.୧୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଥିଲା। ଏହା ମଧ୍ୟରେ ବିଭିନ୍ନ କାରଣରୁ ଅତିରିକ୍ତ ବଜେଟର ଆବଶ୍ୟକତା ପଡ଼ିଲା। ରାଜ୍ୟରେ ଚାଲିଥିବା କେତେଗୁଡ଼ିଏ ପ୍ରକଳ୍ପ ଏବଂ ନୂତନ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ପଡ଼ିଲା। ସେହିପରି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ମଧ୍ୟ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ପଡ଼ିଲା। ସେହିପରି ଓଡ଼ିଆ ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରିମ ଟଙ୍କା ଫେରସ୍ତ ଏବଂ ବିଭିନ୍ନ ପ୍ରଶାସନିକ ବ୍ୟୟବରାଦରେ ଲେଖା ସଂଶୋଧନ ଆଦି କାରଣରୁ ଅତିରିକ୍ତ ବଜେଟ ଆଗତ କରାଯାଇଛି। ଏହି ଅତିରିକ୍ତ ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ଲାଗି ରଖାଯାଇଥିବା ୧୭୯୯୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟସ୍ତରୀୟ ଯୋଜନା ଲାଗି ୧୪୨୨୮ କୋଟି ଟଙ୍କା, କେନ୍ଦ୍ରୀୟ ପ୍ରବର୍ତ୍ତନ ଯୋଜନା ଲାଗି ୩୪୪୨ କୋଟି ଏବଂ କେନ୍ଦ୍ରୀୟ ସ୍ତରୀୟ ଯୋଜନା ପାଇଁ ୩୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
    ଅତିରିକ୍ତ ବଜେଟ ଅର୍ଥ ମଧ୍ୟରୁ କେତେଗୁଡ଼ିଏ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥି ମଧ୍ୟରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ସର୍ୱାଧିକ ୮୩୧୨ କୋଟି ଟଙ୍କା ରଖାଯାଇଛି। ଏହି ବିଭାଗରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୮୩୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗରେ ୪୮୫ କୋଟି ଟଙ୍କା ରଖାଯାଇଛି। ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି କେଜିଠାରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ସହରାଞ୍ଚଳ ମୁକାବିଲା ପାଣ୍ଠି ବାବଦକୁ ୧୭୪ କୋଟି ଟଙ୍କା ରଖାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ରାଜ୍ୟକୁ ଆର୍ଥିକ ସହାୟତା ଲାଗି ୩୧୬ କୋଟି ଟଙ୍କା ରଖାଯାଇଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ବନ୍ଦ ହୋଇଥିବା ସ୍ପିନିଂ ମିଲ୍‌ଗୁଡିକର ସମାପନ ଏକକାଳୀନ ସମାଧାନ(ଓଟିଏସ୍‌)ରେ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ଶିଳ୍ପ ବିଭାଗ ଅଧୀନରେ ଗଞ୍ଜାମରେ ଲବଣ କ୍ଷେତ ଜମି ଅଧିଗ୍ରହଣ ଲାଗି ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ପରିବହନ ବିଭାଗ ଅଧୀନରେ ନୂତନ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଲାଗି ୫୫୦ କୋଟି ଟଙ୍କା ରଖାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook