Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

    Share on :
    ajab-Image
    Date: Oct 8, 2026    Views: 2826

    ଖୋର୍ଦ୍ଧା: ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ପୂର୍ତ୍ତି ଅବସରରେ ଖୋର୍ଦ୍ଧାରେ ଆୟୋଜିତ ‘ସେବା ଜ୍ୟୋତି ଯାତ୍ରା’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ କରିଛନ୍ତି।

    କାର୍ଯ୍ୟକ୍ରମର ଆରମ୍ଭରେ ଦେଶ ଓ ରାଜ୍ୟର ସେବା ପାଇଁ ସଂକଳ୍ପ ପାଠ କରାଯିବା ପରେ ମୁଖ୍ୟମନ୍ତ୍ରୀ ସେବା ଜ୍ୟୋତି ପ୍ରଜ୍ୱଳନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଡବଲ୍‌ ଇଞ୍ଜିନ ସରକାରଙ୍କ ଶାସନରେ ଓଡ଼ିଶାର ବିକାଶ ଦ୍ରୁତଗତିରେ ଆଗେଇ ଚାଲିଛି।

    ୨୦୦୧ ଅକ୍ଟୋବର ୭ରେ ଗୁଜରାଟରୁ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନିକ ଓ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତାଙ୍କର ଏହି ସଫଳ ଯାତ୍ରାକୁ ୨୫ ବର୍ଷ ପୂରଣ ହୋଇଛି। ‘ରାଷ୍ଟ୍ର ପ୍ରଥମ’ ଏବଂ ‘ସବକା ସାଥ୍‌, ସବକା ବିକାଶ’ ମନ୍ତ୍ରକୁ ଆଧାର କରି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଦେଶ ଅଗ୍ରସର ହେଉଛି।

    ଡବଲ୍‌ ଇଞ୍ଜିନ ସରକାରରେ ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି ମିଳିଛି। ରାଜ୍ୟର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଶିଳ୍ପ ବିକାଶ ସହ ନିବେଶ ଓ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରାଯାଉଛି। ମେଟାଲ୍‌ ଶିଳ୍ପ ସମେତ ଡାଉନଷ୍ଟ୍ରିମ୍‌, କେମିକାଲ୍‌, ପେଟ୍ରୋକେମିକାଲ୍ସ, ଗ୍ରୀନ୍‌ ଏନର୍ଜି, ଆପାରେଲ୍‌, ପର୍ଯ୍ୟଟନ, ସେମିକଣ୍ଡକ୍ଟର ଓ ଆଇଟି ଭଳି କ୍ଷେତ୍ରରେ ନିବେଶର ପରିସର ବୃଦ୍ଧି ପାଉଛି। ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଶିଳ୍ପ ଓ ନିଯୁକ୍ତି ସୁଯୋଗ ପହଞ୍ଚାଇ ଯୁବପିଢ଼ି ଏବଂ ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ।

    ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲା ପ୍ରଭାରୀ ପବିତ୍ର କୁମାର ଦାସ, ଜିଲା ସଭାପତି ବିଶ୍ୱରଂଜନ ବଡ଼ଜେନା, ଭାଜପା ନେତା ନିକୁଞ୍ଜ କିଶୋର ପଟ୍ଟନାୟକ, ରଶ୍ମିମୟୀ ପଟ୍ଟନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତୃବୃନ୍ଦ ସେବା ଜ୍ୟୋତି ଯାତ୍ରାରେ ସାମିଲ ହୋଇ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡଠାରେ ‘ସେବା ସଂକଳ୍ପ ଜ୍ୟୋତି ଛକ’ର ଉଦ୍‌ଘାଟନ କରିଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook