ମୁଖ୍ୟ ଖବର
ଭୁବନେଶ୍ବର: କ୍ଷମତାପ୍ରାପ୍ତ ଅଦାଲତଙ୍କ ଆଦେଶ ଅନୁଯାୟୀ ଭରଣପୋଷଣ ଓ ଆଲିମୋନି ପ୍ରଦାନରେ ଏଣିକି ଆଉ ହେବ ନାହିଁ ବିଳମ୍ବ । କୋର୍ଟଙ୍କ ଆଦେଶ ସତ୍ତ୍ୱେ ନିର୍ଦ୍ଧାରିତ ରାଶି ପ୍ରଦାନ କରୁନଥିବା ସରକାରୀ କର୍ମଚାରୀଙ୍କ ଦରମାରୁ ଉକ୍ତ ରାଶି କାଟି ହିତାଧିକାରୀଙ୍କୁ ସିଧାସଳଖ ପ୍ରଦାନ କରାଯିବ । ଏନେଇ ଗତକାଲି(ଗୁରୁବାର) ଅର୍ଥ ବିଭାଗ ପକ୍ଷରୁ ଏକ SOP ଜାରି କରାଯାଇଛି । କୋର୍ଟଙ୍କ ତାଗିଦ ପରେ ନିକଟରେ ଏନେଇ ପଦକ୍ଷେପ ନେବାକୁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ବ୍ୟବସ୍ଥା ଅନୁଯାୟୀ, କ୍ଷମତାପ୍ରାପ୍ତ ଅଦାଲତଙ୍କ ପ୍ରମାଣିତ ଓ କାର୍ଯ୍ୟକାରୀ ଆଦେଶ ମିଳିବା ପରେ ସମ୍ପୃକ୍ତ ଡ୍ରଇଂ ଆଣ୍ଡ ଡିସ୍ବର୍ସିଂ ଅଫିସର ବା DDO ତୁରନ୍ତ HRMSରେ କର୍ମଚାରୀଙ୍କ ମାସିକ ପେ-ବିଲ୍ରେ ଆଲିମୋନି ବା ଭରଣପୋଷଣ ରାଶିକୁ ‘Private Deduction’ ଭାବେ ଦର୍ଶାଇବେ । ଦରମାରୁ କଟାଯାଇଥିବା ଅର୍ଥ ଟ୍ରେଜେରୀ ମାଧ୍ୟମରେ DDOଙ୍କ ନିର୍ଦ୍ଦିଷ୍ଟ ସରକାରୀ କରେଣ୍ଟ ଆକାଉଣ୍ଟରେ ଜମା ହେବ । ପରେ ତାହାକୁ ହିତାଧିକାରୀଙ୍କ ଯାଞ୍ଚ ହୋଇଥିବା ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ । ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ DDOଙ୍କୁ କୋର୍ଟ ଆଦେଶର ସତ୍ୟତା, ବୈଧତା ଓ କାର୍ଯ୍ୟକାରୀ ସ୍ଥିତି ଯାଞ୍ଚ କରିବାକୁ ହେବ । ଏଥିସହ ହିତାଧିକାରୀଙ୍କ ପରିଚୟ ଓ ବ୍ୟାଙ୍କ ଖାତା ବିବରଣୀ ଯାଞ୍ଚ କରି ନିର୍ଦ୍ଧାରିତ ଫର୍ମାଟରେ ତାଙ୍କ ଅଣ୍ଡରଟେକିଂ ଗ୍ରହଣ କରିବେ ।
ଆଲିମୋନି ବା ଭରଣପୋଷଣ ପାଉଥିବା ହିତାଧିକାରୀଙ୍କୁ ବର୍ଷକୁ ଦୁଇ ଥର ଶାରୀରିକ ଯାଞ୍ଚ ପାଇଁ DDOଙ୍କ ନିକଟରେ ହାଜର ହେବାକୁ ପଡ଼ିବ । ଏପ୍ରିଲରେ ପ୍ରଥମ ଥର ଏବଂ ଏହାର ଛଅ ମାସ ପରେ ନଭେମ୍ବରରେ ଦ୍ୱିତୀୟ ଥର ହାଜର ହେବାକୁ ହେବ । ନିର୍ଦ୍ଧାରିତ ସମୟରେ ହାଜର ନହେଲେ ପରବର୍ତ୍ତୀ ରାଶି ପ୍ରଦାନକୁ ଅଟକାଇ ଦିଆଯିବ । ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ ହିଁ ପୁନର୍ବାର ଅର୍ଥ ପ୍ରଦାନ କରାଯିବ ।
ସେହିପରି କୋର୍ଟଙ୍କ ଆଦେଶରେ ପରିବର୍ତ୍ତନ, ସ୍ଥଗିତ କିମ୍ବା ବାତିଲ ହେଲେ ହିତାଧିକାରୀଙ୍କୁ ତୁରନ୍ତ DDOଙ୍କୁ ଲିଖିତ ଭାବେ ଜଣାଇବାକୁ ହେବ । ଭରଣପୋଷଣ ପାଇବାର ଅଧିକାରକୁ ପ୍ରଭାବିତ କରୁଥିବା ବୈବାହିକ ସ୍ଥିତିରେ ପରିବର୍ତ୍ତନ ହେଲେ ମଧ୍ୟ ଏ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ । ଏପରି ପରିବର୍ତ୍ତନ ନଜଣାଇବା ଯୋଗୁଁ ଅଧିକ ଅର୍ଥ ପ୍ରଦାନ ହେଲେ, ତାହା ଆଇନ ଅନୁଯାୟୀ ହିତାଧିକାରୀଙ୍କଠାରୁ ଆଦାୟ କରାଯାଇପାରିବ ।
ସମଗ୍ର ପ୍ରକ୍ରିୟାରେ DDOଙ୍କୁ ମୁଖ୍ୟ ଦାୟିତ୍ୱ ଦିଆଯାଇଛି । କୋର୍ଟଙ୍କ ଆଦେଶ ଅନୁଯାୟୀ ଦରମାରୁ ରାଶି କାଟିବା, ହିତାଧିକାରୀଙ୍କ ଯାଞ୍ଚ, ସମୟୋଚିତ ଭାବେ ଅର୍ଥ ପଠାଇବା ଏବଂ ଏ ସଂକ୍ରାନ୍ତ ରେକର୍ଡ ସଂରକ୍ଷଣ କରିବେ DDO । HRMS/IFMSରେ ଏକୀକୃତ ଓ ସ୍ୱୟଂଚାଳିତ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଏହି SOP ଅନ୍ତରୀଣ ବ୍ୟବସ୍ଥା ଭାବେ ଲାଗୁ ରହିବ ।
Comments ସମସ୍ତ ମତାମତ