Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆମେ ଆମର ସର୍ବାଧିକ ସାମର୍ଥ୍ୟ ଯୁବବର୍ଗଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଉପଯୋଗ କରୁଛୁ - ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Sep 14, 2026    Views: 3479

     ଭୁବନେଶ୍ୱର:  ରାଜ୍ୟର ଯୁବପିଢ଼ିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଆମ ସରକାର ନିଜର ସର୍ବାଧିକ ସାମର୍ଥ୍ୟର ଉପଯୋଗ କରୁଛନ୍ତି ବୋଲି  UAE  ଗସ୍ତରୁ  ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି  ସେ କହିଛନ୍ତି ଯେ ରାଜ୍ୟର ପୁଅ-ଝିଅ ପାଠପଢ଼ା ସାରିବା ପରେ ଯେପରି ନିଜ ମାଟିରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ, ତାହା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ଏଥିପାଇଁ ଆରମ୍ଭରୁ ହିଁ ଶିଳ୍ପାୟନ ଅଭିଯାନକୁ ବ୍ୟାପକ କରାଯାଇଛି।

     ଭୁବନେଶ୍ୱର ବିମାନବନ୍ଦର ଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିକଟରେ ବିବୃତ୍ତି ରଖି ସେ କହିଥିଲେ ଯେ, ଏହି UAE ଗସ୍ତ, ଗତ ଦୁଇ ବର୍ଷ ଧରି ସରକାରଙ୍କ ଶିଳ୍ପାୟନ ଅଭିଯାନର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।

     ୨୦୨୫ ଜାନୁୟାରୀରେ ଭୁବନେଶ୍ୱରରେ ଅନୁଷ୍ଠିତ 'ଉତ୍କର୍ଷ ଓଡ଼ିଶା – ମେକ ଇନ ଓଡ଼ିଶା କନକ୍ଲେଭ' ପରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଠାରୁ ଆରମ୍ଭ କରି ସିଙ୍ଗାପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଗସ୍ତ କରି ପୁଞ୍ଜି ଯୋଗାଡ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ଏକ ସମର୍ପିତ ଟିମ୍ ନିରବିଚ୍ଛିନ୍ନ ଉଦ୍ୟମ ଜାରି ରଖିଛନ୍ତି | 

     ଏହି ଉଦ୍ୟମ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଗୋଟିଏ ଗୋଟିଏ ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି  ।


    ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ୟୁଏଇ (UAE) ଗସ୍ତ କାଳରେ ୯, ୧୦ ଓ ୧୧ ତାରିଖ— ତିନି ଦିନ ଧରି ଆବୁଧାବି ଏବଂ ଦୁବାଇରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଛି । UAE ଗସ୍ତରେ ସମୁଦାୟ ୫୨ଟି ବିଜନେସ ମିଟିଙ୍ଗ୍, ୬ଟି ରାଉଣ୍ଡଟେବୁଲ ମିଟିଙ୍ଗ୍, ୪୬ଟି ୱାନ୍-ଟୁ-ୱାନ୍ ମିଟିଙ୍ଗ୍ ସହ ପ୍ରାୟ ୪୦୦ ଶିଳ୍ପ ନେତୃତ୍ୱ ଓ ପ୍ରତିନିଧିଙ୍କ ସହିତ ଆଲୋଚନା ହୋଇଛି। 

    ଏହି ଗସ୍ତ କାଳରେ ସମୁଦାୟ ୮ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେବା ସହ ୧୬ଟି ନିବେଶ ସମ୍ଭାବନା (Investment Intents) ସୃଷ୍ଟି ହୋଇଛି, ଯାହାଦ୍ୱାରା ରାଜ୍ୟକୁ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି। ଏହାଦ୍ୱାରା ୬ ଲକ୍ଷ ୧୮ ହଜାର ୭୨୫ ପ୍ରତ୍ୟକ୍ଷ ସୁଯୋଗ ସୃଷ୍ଟି ହେବ। ପରୋକ୍ଷ ନିଯୁକ୍ତି ସହ ସମୁଦାୟ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 


    ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ହାସଲ ହୋଇଥିବା ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବକୁ ମିଶାଇ ବର୍ତ୍ତମାନ ରାଜ୍ୟର ମୋଟ ନିବେଶ ପ୍ରସ୍ତାବ ୨୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

     

    ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଏହି ଗସ୍ତ କାଳରେ UAE ର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ନିବେଶ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲା ବିନ୍ ତକ୍ ଅଲ୍‌ ମାରି ଏବଂ IHCର ପରିଚାଳନା ନିର୍ଦ୍ଦେଶକ ସୟଦ ବସର୍ ସୁଏବ୍‌ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। IHC ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୨୦୨୬ ଜୁଲାଇ ୨ ତାରିଖରେ ହୋଇଥିବା ଭାଗିଦାରୀକୁ ଆଗକୁ ନେଇ ଓଡ଼ିଶାରେ ୧୪ଟି ନୂଆ ପ୍ରକଳ୍ପ ପାଇଁ MoU ସ୍ୱାକ୍ଷରିତ ହୋଇଛି। ଏହି ଦୁଇ କମ୍ପାନୀର ଇଣ୍ଟିଗ୍ରେଟେଡ୍ ଆଲୁମିନିୟମ୍ ପ୍ରୋଜେକ୍ଟ ପାଇଁ ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନ ନେଇ ଉଦ୍ୟମ ଜାରି ରହିଛି।


     ଏହା ସହିତ UAEର ସଫଳ ଓଡ଼ିଆ ଉଦ୍ୟୋଗୀ ଓ ପ୍ରବାସୀ ଓଡ଼ିଆମାନଙ୍କ ସହ ଭାବର ଆଦାନପ୍ରଦାନ କରାଯାଇଛି, ଯାହା ଦ୍ୱିପାକ୍ଷିକ ବ୍ୟବସାୟିକ ଓ ସାଂସ୍କୃତିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି |

        
    ସେ ଆହୁରି କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଏବଂ ଆସନ୍ତା ଦଶ ବର୍ଷ ମଧ୍ୟରେ ରାଜ୍ୟକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ଏଥିପାଇଁ ଆଗାମୀ ଦିନରେ ପ୍ରତିଷ୍ଠିତ ହେବାକୁ ଥିବା କାରଖାନା ଓ ଅଫିସଗୁଡ଼ିକ ପାଇଁ ଯୁବବର୍ଗଙ୍କୁ ନିଯୁକ୍ତି-ପ୍ରସ୍ତୁତ (employment-ready) କରିବାକୁ ଆବଶ୍ୟକୀୟ skill-training ଦିଆଯାଉଛି।

      ପ୍ରାରମ୍ଭିକ ସ୍ତରରେ ସଫଳତା ମିଳିବା ପରେ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଏହିସବୁ ନିବେଶ ପ୍ରସ୍ତାବ ଓ MoU ଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରି ଉତ୍ପାଦନ ଆରମ୍ଭ କରିବା, ଯାହା ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତିର ଏକ ବଡ଼ ସୁଯୋଗ ସୃଷ୍ଟି କରିବ।"  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook